Below header

ମା’ ହିଙ୍ଗୁଳା ଓ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ, ନାମ ସଂକୀର୍ତ୍ତନ ସହ ହୋଇଥିଲା ବେଢ଼ା ପରିକ୍ରମା

ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଦୁଇ ଦେବୀଙ୍କର ଲେଉଟାଣି ଉତ୍ସବ ଅବସରରେ ପ୍ରତ୍ୟୁଷରୁ ମନ୍ଦିରରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ପରେ ସର୍ବସାଧରଣ ଦର୍ଶନ ନୀତି ଅନୁଷ୍ଠିତ ହୋଇଥିଲା ।

କଣିହାଁ (କେନ୍ୟୁଜ୍‌): କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଓ.ସି.ସି. କଲୋନୀ ନିକଟସ୍ଥ ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ମା’ ହିଙ୍ଗୁଳା ଓ ମା’ ବାଟମଙ୍ଗଳାଙ୍କ ଲେଉଟାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତି ବର୍ଷ ପରି ଏବର୍ଷ ମଧ୍ୟ ଦୁଇ ଦେବୀଙ୍କର ଲେଉଟାଣି ଉତ୍ସବ ଅବସରରେ ପ୍ରତ୍ୟୁଷରୁ ମନ୍ଦିରରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା । ପରେ ସର୍ବସାଧରଣ ଦର୍ଶନ ନୀତି ଅନୁଷ୍ଠିତ ହୋଇଥିଲା । ଗତ ଶୁକ୍ରବାର ଦିନ ୩୫ ତମ ଜାଗର ଉତ୍ସବ ଅବସରରେ ବାପଘର ଆଖଣ୍ଡଳମଣି ମନ୍ଦିରକୁ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ଓ ପ୍ରକଳ୍ପ ସ୍ଥିତ ମା’ ବାଟମଙ୍ଗଳାଙ୍କୁ ଆମନ୍ତ୍ରଣ କରି ଅଣା ଯାଇଥିଲା ।

ଲେଉଟାଣି ଉତ୍ସବ ଅବସରରେ ମନ୍ଦିରର ମୁଖ୍ୟ ଉପଦେଷ୍ଟା ଆକୁଳ ପଣ୍ଡାଙ୍କ ପୌରାହିତ୍ୟରେ ନାମ ସଂକୀର୍ତ୍ତନ ସହ ଦୁଇ ଦେବୀଙ୍କର ମନ୍ଦିର ବେଢ଼ା ପରିକ୍ରମା କରାଯାଇ ମନ୍ଦିର ବାହାରକୁ ଅଣାଯାଇଥିଲା । ସେଠାରେ ବାପଘରୁ ଝିଅ ବିଦା ସମୟରେ ଯେପରି ପିଠାପଣା, ଶାଢ଼ୀ ଶଙ୍ଖା, ଭାର ଥୋର ସହ ପ୍ରସାଧନ ସାମଗ୍ରୀ ଦେଇ ଝିଅକୁ ବିଦା କରାଯାଇଥାଏ ଠିକ୍‌ ସେହିପରି ସମସ୍ତ ସାମଗ୍ରୀ ସହ ଦୁଇ ଦେବୀଙ୍କର ମହିଳା ଭକ୍ତମାନେ ବନ୍ଦାପନା କରି ବିଦାୟ ଜଣାଇଥିଲେ । ମନ୍ଦିର ଠାରୁ ଘଣ୍ଟଘଣ୍ଟା , ବାଜା ବାଣ , ନାମ ସଂକୀର୍ତ୍ତନ ସହିତ ଏକ ଶୋଭାଯାତ୍ରାରେ ଭକ୍ତମାନେ ବାହାରି ପ୍ରଥମେ ରେଙ୍ଗାଳି ପ୍ରକଳ୍ପ ସ୍ଥିତ କପିଳେଶ୍ଵର ମନ୍ଦିର ସମ୍ମୁଖରେ ଥିବା ମା’ ବାଟମଙ୍ଗଳାଙ୍କୁ ନିଜ ଆସ୍ଥାନରେ ଛାଡିବା ପରେ ମା’ ହିଙ୍ଗୁଳାଙ୍କୁ ନେଇ ତାଳଚେର ସ୍ଥିତ ଗୋପାଳପ୍ରସାଦ ପୀଠକୁ ଯାଇ ମା’ ହିଙ୍ଗୁଳାଙ୍କୁ ବିଦାୟ ଦେଇଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମସ୍ତ କାର୍ଯ୍ୟ ଆୟୋଜନ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.