ବାସୁଦେବପୁର : କଳା ପଲସର୍‌ରେ ଆସି ଏସ୍‌ଏଚ୍‌ଜିଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାସୁଦେବପୁର (କେନ୍ୟୁଜ୍‌) : କଳା ପଲ୍‌ସର୍‌ରେ ଆସିଲେ ଆଉ ଏସ୍‌ଏଚ୍‌ଜିଙ୍କ କଷ୍ଟ ଅର୍ଜିତ ୩ ଲକ୍ଷ ଟଙ୍କା ଲୁଟି ନେଲେ । ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକା ସ୍ଥିତ ଇରମ ଟ୍ରେକର ଷ୍ଟାଣ୍ଡ ନିକଟରୁ ଏହି ଲୁଟ୍‌ ହୋଇଛି ।

ଆଜି ଅପରାହ୍ନରେ ଘଟିଛି ଏହି ଘଟଣା । ନୂଆଗାଁ ପଞ୍ଚାୟତ ଭାଟପଡ଼ା ଗ୍ରାମର ଜୟଗୁରୁ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଠାରୁ ଲୁଟେରା ଏହି ତିନି ଲକ୍ଷ ଟଙ୍କା ଛଡ଼ାଇ ନେଇଛନ୍ତି । ସୂର୍ଯ୍ୟମୁଖୀ ଚାଷ ବାବଦ ଟଙ୍କା ଦେବା ଲାଗି ବାସୁଦେବପୁର ଷ୍ଟେଟ ବ୍ଯାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ଥିଲେ ଗୋଷ୍ଠୀର ସଭାପତି ଆଶାମଣି ନାୟକ ଓ ସଂପାଦକ ମାଳତି ଜେନା । ଏମାନଙ୍କ ସମେତ ଗ୍ରୁପ୍‌ର ସଦସ୍ୟାମାନେ ଘରକୁ ଯିବା ଲାଗି ଇରମ ଟ୍ରେକର ଷ୍ଟାଣ୍ଡରେ ଥିବା ଏକ ଲୁଗା ଦୋକାନରେ ଅପେକ୍ଷା କରିଥିଲେ। ତାଙ୍କ ମଧ୍ଯରୁ ଦୁଇ ଜଣ ପାଖରେ ଥିବା ଏକ ନଳକୂଅକୁ ପାଣି ପିଇବା ପାଇଁ ଯାଇଥିବା ବେଳେ ଏହାର ସୁଯୋଗ ନେଇଥିଲେ ଦୁଇ ଜଣ ଦୁର୍ବୃତ୍ତ । ଏକ କଳା ପଲସର ଗାଡିରେ ଆସି ସଭାପତି ଆଶାମଣି ହାତରେ ଧରିଥିବା ଟଙ୍କା ବ୍ଯାଗକୁ ଝାମ୍ପି ନେଇ ଚମ୍ପଟ ମାରିଥିଲେ । ସେହି ବ୍ୟାଗ୍‌ରେ ୩ ଲକ୍ଷ ଟଙ୍କା ସହ ମୋବାଇଲ ଫୋନ ଏବଂ ବ୍ଯାଙ୍କର କାଗଜ ପତ୍ର ଥିଲା ।

ଲୁଟେରା ଦୁଇଜଣ ଟଙ୍କା ବ୍ୟାଗ୍‌ ଧରି ଜାମୁଝାଡି ଆଡ଼କୁ ଦ୍ରୁତ ଗତିରେ ପଳାଇ ଯାଇଥିଲେ । ଟଙ୍କା ନେଇ ଗଲା ବୋଲି ସମସ୍ତେ ଡାକ ଛାଡିବାରୁ ପାଖ ଦୋକାନରେ ବସିଥିବା ଲୋକେ ଲୁଟେରାଙ୍କ ପିଛା କରିଥିଲେ । ହେଲେ ସେମାନଙ୍କୁ ଧରି ପାରିନଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏପଟେ ଏତେଗୁଡ଼ାଏ ଟଙ୍କା ଲୁଟ୍‌ ହେବା ପରେ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି ଏସ୍‌ଏଚ୍‌ଜି ଗ୍ରୁପ୍‌ର ସଦସ୍ୟମାନେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.