ସମସ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ସୁଯୋଗ ନେଇ ସୁପ୍ରିମ୍କୋର୍ଟଙ୍କ ପ୍ରସ୍ତାବକୁ ସେବାୟତଙ୍କ ଅଗ୍ରାହ୍ୟ

ଭୁବନେଶ୍ବର : ସୁପ୍ରିମ୍କୋର୍ଟଙ୍କ ପ୍ରସ୍ତାବ । ପୁରୀ ଜିଲ୍ଲାଜଜ୍ଙ୍କ ରିପୋର୍ଟ ଅନୁସାରେ ଶ୍ରୀମନ୍ଦିର ସେବାୟତ ନିଯୁକ୍ତିରେ ବଂଶାନୁକ୍ରମିକ ପ୍ରଥା ବନ୍ଦ ହେଉ । ସେହିପରି ଶ୍ରୀମନ୍ଦିରରେ ସମସ୍ତଙ୍କ ପ୍ରବେଶ ଉପରେ ବିଚାର କରିବା ପାଇଁ ପ୍ରଶାସନକୁ ସୁପ୍ରିମ୍କୋର୍ଟ କହିଛନ୍ତି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାଁନ୍ତି ସେବାୟତ । ବହୁ ବର୍ଷର ପରମ୍ପରାକୁ ଭାଙ୍ଗିବା ଠିକ୍ ନୁହେଁ ବୋଲି ସେମାନେ କହିଛନ୍ତି ।
ତେବେ ସୁପ୍ରିମ୍କୋର୍ଟଙ୍କ ରାୟକୁ ବିଭିନ୍ନ ରାଜନୈତିକ ଦଳ ସ୍ୱାଗତ କରିଛନ୍ତି । ବିଜେଡି କହିଛି, ଶ୍ରୀମନ୍ଦିର ପ୍ରଶାସନ ବିଚାର କରି ପଦକ୍ଷେପ ନେବ । କଂଗ୍ରେସର ମତ, ସମସ୍ତଙ୍କ ପାଇଁ ଯାହା ଭଲ ହେବ, ତାହା କାଯ୍ୟର୍କାରୀ ହେବା ଉଚିତ । ବିଜେପି ମଧ୍ୟ ସ୍ୱାଗତ କରିବା ସହ ସରକାର ଏହାକୁ ବିଚାର କରି କାଯ୍ୟର୍କାରୀ କରିବା ଆବଶ୍ୟକ ବୋଲି କହିଛି ।
ଶ୍ରୀମନ୍ଦିର ସୁପରିଚାଳନା ନେଇ ସୁପ୍ରିମ୍କୋର୍ଟଙ୍କ ପ୍ରସ୍ତାବ ଓ କିଛି ନିର୍ଦ୍ଦେଶ ଉପରେ ସମସ୍ତଙ୍କ ସହ ବିଚାର ଆଲୋଚନା କରି ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନେବ ।
ଅନ୍ଯପଟେ ଶ୍ରୀମନ୍ଦିର ନେଇ ସୁପ୍ରିମ୍କୋର୍ଟଙ୍କ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । କଳିଙ୍ଗ ଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ସୁପ୍ରିମକୋର୍ଟଙ୍କ ସବୁ ନିର୍ଦ୍ଦେଶ ଓ ପ୍ରସ୍ତାବ ଉପରେ ଆଲୋଚନା ହେବ । ପରିଚାଳନା କମିଟି ବୈଠକରେ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଗଜପତି ଦିବ୍ୟସିଂହ ଦେବ କହିଛନ୍ତି । ଏହାସହ କଳିଙ୍ଗ ଟିଭିକୁ ସ୍ୱତନ୍ତ୍ର ସାକ୍ଷତକାର ଦେଇ ଶୀମନ୍ଦିର ସଂସ୍କାର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି ଓ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମତ ରଖିଛନ୍ତି ।