ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ୧୦ ବର୍ଷ ଜେଲ୍ଦଣ୍ଡ

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ । ଇସଲାମାବାଦର ଏକ ଦୁର୍ନୀତି ନିବାରଣ କୋର୍ଟ ତାଙ୍କୁ ଏହି ସଜା ଶୁଣାଇଛନ୍ତି । ତାଙ୍କ ଝିଅ ମରିୟମ ନଓ୍ଵାଜଙ୍କୁ ମଧ୍ୟ ୭ ବର୍ଷ ଏବଂ ଜ୍ୱାଇଁଙ୍କୁ ୧ ବର୍ଷ ଜେଲ୍ ଆଦେଶ ହୋଇଛି । ଜେଲ୍ ସହ କୋର୍ଟ ଜରିମାନା ଦଣ୍ଡାଦେଶ ଦେଇଛନ୍ତି । ନଓ୍ଵାଜ୍ ସରିଫ୍ଙ୍କୁ ୧୦ ମିଲିଅନ୍ ଡଲାର ଏବଂ ତାଙ୍କ ଝିଅ ମିରିୟମଙ୍କୁ ୨ ଦଶମିକ ୬ ମିଲିଅନ ଡଲାର ଜରିମାନା ଆଦେଶ ହୋଇଛି । ଲଣ୍ଡନର ଆଭେନ ଫିଲ୍ଡ ଦୁର୍ନୀତି ମାମଲାରେ ଏହି ଦଣ୍ଡାଦେଶ ହୋଇଛି । ଲଣ୍ଡନରେ ନଓ୍ଵାଜ ସରିଫ ୪ଟି ଦାମୀ ଫ୍ଲାଟ୍ କିଣିଥିଲେ । ଏହି ଫ୍ଲାଟ୍ କିଣାରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ନୱାଜଙ୍କ ପରିବାର ବିରୋଧରେ ଥିବା ୪ଟି ଦୁର୍ନୀତି ମାମଲା ମଧ୍ୟରୁ ଏହା ଗୋଟିଏ । ନଓ୍ଵାଜ ଓ ତାଙ୍କ ଝିଅ ଏବେ ଲଣ୍ଡନରେ ଅଛନ୍ତି । ଏହି ଦଣ୍ଡାଦେଶ ପରେ ନୱାଜଙ୍କ ଝିଅ ଆଉ ସାଧାରଣ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ । ଅନ୍ୟପଟେ ଏହି ରାୟ ବିରୋଧରେ ଉପର କୋର୍ଟକୁ ଯିବେ ବୋଲି ନୱାଜ ସରିଫଙ୍କ ଓକିଲ କହିଛନ୍ତି ।