ଏସଓପି ପ୍ରସ୍ତୁତି ପରେ ପାଠପଢା ଆରମ୍ଭର ତାରିଖ ଘୋଷଣା ହେବ: ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ୧୫ ତାରିଖ ପରେ ପର୍ଯ୍ୟାୟ କ୍ରମେ ଖୋଲିବ ସ୍କୁଲ । କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମତାମତ ନିଆଯିବ । ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଇଁ ନୂଆ SOP ଜାରି ହେବ । SOP ପ୍ରସ୍ତୁତ ହେବା ପରେ କେଉଁ ତାରିଖରେ ସ୍କୁଲ ଖୋଲିବ ନିଷ୍ପତ୍ତି ନିଆଯିବ । ଏ ସମ୍ପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏସଆରସିଙ୍କ ପକ୍ଷରୁ ଆଜି ଗାଇଡଲାଇନ ଜାରି କରାଯାଇଥିଲା । ଯେଉଁଥିରେ  ନଭେମ୍ବର ୧୬ ପରେ ୯ମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ସ୍କୁଲ ଖୋଲିବା ନେଇ ଘୋଷଣା କରାଯାଇଥିଲା । ଏଥିପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏସଓପି ପ୍ରସ୍ତୁତ କରିବେ ବୋଲି ଏଥିରେ କୁହାଯାଇଥିଲା ।

ଏକ ଭିଡିଓ ରିଲିଜ କରି ମନ୍ତ୍ରୀ କହିଛନ୍ତି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଦ୍ବାରା ଜାରି ଗାଇଡଲାଇନ ସଂପର୍କରେ ସେ ଅବଗତ ଅଛନ୍ତି। ଗାଇଡଲାଇନ ଅନୁସାରେ ସ୍କୁଲ ଖୋଲିବାକୁ ବିଭାଗ ପ୍ରସ୍ତୁତ ରହିଛି। କିନ୍ତୁ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଲାଗି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରିବାକୁ ସେ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏସଓପି ପ୍ରସ୍ତୁତି ପରେ କେଉଁ ତାରିଖରୁ ପାଠପଢା ଆରମ୍ଭ ହେବ ସେ ସମ୍ପର୍କରେ ଖୁବଶୀଘ୍ର ଘୋଷଣା କରାଯିବ । ଏ ନେଇ ଏସଆରସିଙ୍କୁ ପ୍ରସ୍ତାବ ପଠାଇଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.