ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଫୋକସରେ ପଶ୍ବିମାଞ୍ଚଳ

ଭୁବନେଶ୍ବର (କେନ୍ୟୁଜ୍) : ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ରାଜନୈତିକ ଦଳ କସରତ ଆରମ୍ଭ କରି ସାରିଛନ୍ତି । ପ୍ରଥମ ପର୍ଯ୍ୟାୟ ଭଳି ଏହି ଅଂଚଳରେ ମଧ୍ୟ ୨୦୧୪ରେ ବିଜେଡିର ପଲ୍ଲାଭାରି ଥିଲା । ଦ୍ୱିତୀୟ ପର୍ଯ୍ୟାୟ ରେ ଭୋଟିଂ ହେବାକୁ ଥିବା ୫ଟି ଲୋକସଭା ଆସନରୁ ୪ଟି ଜିତିଥିଲା ବିଜେଡି । ଗୋଟିଏ ଜିତିଥିଲା ବିଜେପି । ସେହିପରି ୩୫ଟି ବିଧାନସଭା କ୍ଷେତ୍ରରୁ ବିଜେଡି ୨୩ଟିରେ ବାଜି ମାରିଥିଲା । ଅଧିକାଂଶ ସ୍ଥାନରେ ଦ୍ୱିତୀୟ ସ୍ଥାନରେ ରହିଥିଲା କଂଗ୍ରେସ।

ତେବେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ରହିଛି ଏପ୍ରିଲ ୧୮ରେ। ଆସନ୍ତା ୧୯ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ୨୬ ତାରିଖ ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ସବୁ ଦଳ ପ୍ରାୟ ପ୍ରାର୍ଥୀ ଚୂଡାନ୍ତ କରି ସାରିଲେଣି। ଦ୍ୱିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ସହ ୩୫ଟି ବିଧାନସଭା ପାଇଁ ଭୋଟିଂ ହେବ। ଏହି ଆସନଗୁଡିକରେ ୨୦୧୪ରେ ବିଜେଡିର ହିଁ ଦବଦବା ଥିଲା। ୫ଟି ଲୋକସଭାରୁ ୪ଟି ବିଜେଡି ଓ ଗୋଟିଏରେ ଜିତିଥିଲା ବିଜେପି। ବରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସିକା ଲୋକସଭା ଆସନ ଥିଲା ବିଜେଡି ହାତରେ।

ସୁନ୍ଦରଗଡ଼ରେ ବାଜି ମାରିଥିଲେ ବିଜେପିର ଜୁଏଲ ଓରାମ। ଏହି ଲୋକସଭା ଗୁଡିକ ଅଧିନରେ ଥିବା ୩୫ଟି ଆସନରୁ ୨୩ଟି ବିଜେଡି, ୬ଟି କଂଗ୍ରେସ ଓ ୪ଟି ଆସନ ବିଜେପି ଜିତିଥିଲା। ଗୋଟିଏ ଲେଖାଏଁ ଆସନରେ ଜିତିଥିଲେ ସମତାକ୍ରାନ୍ତି ଦଳ ଓ ସିପିଏମ୍।
୩୫ଟି ଆସନରୁ ବିଜେଡି ୨୩ଟିରେ ପ୍ରଥମ ଥିବା ବେଳେ ୧୦ଟିରେ ଦ୍ୱିତୀୟ ସ୍ଥାନରେ ରହିଥିଲା। ଗୋଟିଏ ସ୍ଥାନ ବୀରମିତ୍ରପୁରରେ ଚତୁର୍ଥ ସ୍ଥାନରେ ଥିଲା। ସେହିପରି କଂଗ୍ରେସ ୬ଟିରେ ଜିତିଥିଲା ବେଳେ ୧୫ଟିରେ ଦ୍ୱିତୀୟ ଓ ୧୩ଟିରେ ତୃତୀୟରେ ଥିଲା। ଗୋଟିଏ ଆସନ ବୀରମିତ୍ରରୁପୁରରେ ପଞ୍ଚମ ସ୍ଥାନରେ ରହିଥିଲା। ବିଜେପି ୪ଟିରେ ଜିତିଥିବା ବେଳେ ୭ଟିରେ ଦ୍ୱିତୀୟ ଓ ୨୦ଟିରେ ତୃତୀୟ ସ୍ଥାନରେ ରହିଥିଲା ଦଳ।

ବରଗଡ଼ ଲୋକସଭା ଅଧିନରେ ଥିବା ବିଧାନସଭା କ୍ଷେତ୍ରରେ ବିଜେଡି ବରଗଡ଼, ଅତାବିରା ଓ ଭଟଲି ୩ଟି ଆସନ ଜିତିଥିଲା। କଂଗ୍ରେସ ଜିତିଥିଲା ବିଜେପୁର ଓ ଝାରସୁଗୁଡା ୨ଟି ଆସନ। ଏଥିରୁ ଗୋଟିଏ ଆସନ ବିଜେପୁର, ଉପନିର୍ବାଚନରେ ବିଜେଡି ହାତେଇ ନେଇଛି। ଏହାସହ ଝାରସୁଗୁଡାରୁ ବିଜୟୀ ପ୍ରାର୍ଥୀ ଥିବା କଂଗ୍ରେସର ନବ ଦାସ ଏବେ ବିଜେଡିରେ ଯୋଗ ଦେଇ ସାରିଛନ୍ତି। ତେଣୁ ଏହି ଆସନରୁ ବିଜେଡି ଶକ୍ତି ବୃଦ୍ଧି କରି ସାରିଛି। ବିଜେପି ପଦ୍ମପୁର ଓ ବ୍ରଜରାଜନଗର ୨ଟି ଆସନ ଜିତିଥିଲା।

ସୁନ୍ଦରଗଡ଼ ରାଜନୀତି ବେଶ ଜଟିଳ ରହିଛି। ୨୦୧୪ରେ ଏହି ଲୋକସଭା ଆସନ ଜିତିଥିଲେ ବିଜେପିର ଜୁଏଲ ଓରାମ। କିନ୍ତୁ ଏହି ଆସନ ଅଧିନରେ ଥିବା ବିଧାନସଭା କ୍ଷେତ୍ର ମଧ୍ୟରୁ ବିଜେଡି ରଘୁନାଥପଲ୍ଲୀ ଓ ରାଜଗାଙ୍ଗପୁର ୨ଟି, କଂଗ୍ରେସ ତଳସରା ଓ ସୁନ୍ଦରଗଡ଼ ଦୁଇଟି, ରାଉରକେଲାରେ ବିଜେପି , ବୀରମିତ୍ରପୁରରେ ସମତା କ୍ରାନ୍ତି ଦଳ ଓ ବଣାଇରେ ସିପିଏମ୍ ଜିତିଥିଲା। ଏହାରି ଭିତରେ ସୁନ୍ଦରଗଡ଼ରୁ କଂଗ୍ରେସରୁ ବିଧାୟକ ଥିବା ଯୋଗେଶ ସିଂହ ଏବେ ବିଜେଡି କ୍ୟାମ୍ପରେ। ଏହାସହ ବିଜେପିରୁ ବିଧାୟକ ଥିବା ଦିଲ୍ଲୀପ ରାୟ ଦଳ ଛାଡି ସାରିଛନ୍ତି। ସେପଟେ ସମତା କ୍ରାନ୍ତି ଦଳର ବିଧାୟକ ଥିବା ଜର୍ଜ ତିର୍କୀ ଏବେ ହାତ ଧରି ଚାଲୁଛନ୍ତି। ତେଣୁ ଏଠି ରାଜନୀତି ପାଣି ଗୋଳିଆ।

ବଲାଙ୍ଗିର ଲୋକସଭା କ୍ଷେତ୍ରରେ ଅଧିକାଂଶ ବିଧାନସଭା ଆସନ ବିଜେଡି ହାତରେ। ୨୦୧୪ରେ ଦଳ ୫ଟି ବିଧାନସଭା ଆସନ ଜିତିଥିଲା। ବୀରମହାରାଜପୁର, ସୋନପୁର, ଲୋଇସିଂହା, ଟିଟିଲାଗଡ଼ ଓ କଣ୍ଟାବାଞ୍ଜି ଜିତିଥିଲା ବିଜେଡି। ପାଟଣାଗଡରୁ ବିଜେପି ଓ ବଲାଙ୍ଗିରରୁ କଂଗ୍ରେସ ଗୋଟିଏ ଲେଖାଏଁ ଆସନ ଜିତିଥିଲେ। ସେପଟେ ଆସିକା ଲୋକସଭା କ୍ଷେତ୍ରରେ ବିଜେଡି କ୍ଲିନ୍ ସ୍ୱିପ୍ କରିଥିଲା। ଲୋକସଭା ଆସନ ସହ ସମସ୍ତ ୭ଟି ବିଧାନସଭା ଆସନ ପୋଲସରା, କବିସୂର‌୍ୟ୍ୟନଗର, ଖଲ୍ଲିକୋଟ, ଆସିକା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ଜିତିଥିଲା ବିଜେଡି। ନବୀନଙ୍କ ଅଂଚଳରେ ବିଜେପି ଓ କଂଗ୍ରେସର ହାତ ଖାଲି ଥିଲା। କନ୍ଧମାଳର ମଧ୍ୟ ୧୪ ଚିତ୍ର ବିଜେଡି ସପକ୍ଷରେ ଥିଲା। କନ୍ଧମାଳ ଲୋକସଭା ଆସନ ବିଜେଡି ଜିତିଥିବା ବେଳେ ୬ଟି ବିଧାନସଭା କ୍ଷେତ୍ର ବାଲିଗୁଡା, ଫୁଲବାଣୀ, କଣ୍ଟାମାଳ, ବୌଦ୍ଦ, ଦଶପଲ୍ଲା ଓ ଭଞ୍ଜନଗର ଜିତିଥିଲା ବିଜେଡି। କଂଗ୍ରେସକୁ ମିଳିଥିଲା ଗୋଟିଏ ଜି. ଉଦୟଗିରି। ବିଜେପି ଖାତରେ ଥିଲା ଶୂନ।

Leave A Reply

Your email address will not be published.