ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳ ଚଞ୍ଚଳ ସୁବର୍ଣ୍ଣପୁର ସହର, ବାହାଘର ପାଇଁ ପ୍ରସ୍ତୁତ ହୋଇଛନ୍ତି ଉଭୟ ପକ୍ଷ

ସୁବର୍ଣ୍ଣପୁର(କେନ୍ୟୁଜ): ଆସନ୍ତା କାଲି ଶୀତଳ ଷଷ୍ଠୀ ଯାତ୍ରା । ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବାହାଘର । ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଏବେ ବେଶ ଚଳ ଚଞ୍ଚଳ ସୁବର୍ଣ୍ଣପୁର ସହର । ସବୁବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସୋନପୁରରେ ଜାକଜମକରେ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏଣୁ ଏହି ବାହାଘର ପାଇଁ ଉଭୟ ପକ୍ଷ ପ୍ରସ୍ତୁତ ହୋଇଛନ୍ତି । ବିଶେଷକରି ମାତା ପାର୍ବତୀଙ୍କ ବାପଘର ସାଜିଥିବା ହିମାଦ୍ରୀ ନଗରସ୍ଥିତ ଗୋପାଳ ଭୁତଙ୍କ ଘରେ ମଧ୍ୟ ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବାହାଘର ପାଇଁ କିଣା ସରିଛି ସମସ୍ତ ଆସବାବ ପତ୍ର । ଘରକୁ ପହଞ୍ଚି ସାରିଛନ୍ତି କୁଣିଆ । ପ୍ରତିବର୍ଷ ସହରର ଇଷ୍ଟଦେବ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖରଙ୍କ ସହିତ ଦେବୀ କନ୍ୟା ପାର୍ବତୀଙ୍କ ସହିତ ବିବାହ କାର୍ଯ୍ୟ ବହୁ ଆଡମ୍ୱରରେ ପାଳିତ ହୋଇଆସୁଛି ।

ରାଜା ରାଜୁଡା ଅମଳରୁ ପାଳିତ ହୋଇଆସୁଥିବା ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଥାଏ ୧୦୮ ଭରି ସୁନାରେ ତିଆରି ଚନ୍ଦ୍ରଶେଖର ବାବାଙ୍କ ନାଗ ପ୍ରତିମା । ଏହା ସହିତ ମହଣ ମହଣ ରୂପାରେ ତିଆରି ବିମାନ ଓ ଦେବଦଳ ଅଷ୍ଟ ଶମ୍ଭୁ ଏବଂ ଅଷ୍ଟ ବିଷ୍ଣୁଙ୍କ ଅଳଙ୍କାର ଦର୍ଶନ କରିବାର ସୁଯୋଗ ପାଇଥାନ୍ତି । ଏକତ୍ର ଅଷ୍ଟ ଶମ୍ଭୁ ଅଷ୍ଟ ବିଷ୍ଣୁଙ୍କୁ ଦର୍ଶନ କରିବା ସହିତ ନବ ବିବାହିତ ଦେବ ଦମ୍ପତି ଶିବ ପାର୍ବତୀଙ୍କ ଆଶିଷ ଭିକ୍ଷା କରିଥାନ୍ତି ଏଠାକାର ଲୋକ । ତେଣୁ ଆଖ ପାଖ ଅଞ୍ଚଳର ହଜାର ହଜାର ଦର୍ଶକ ଏହି ଯାତ୍ରାକୁ ମନଭରି ଉପଭୋଗ କରିଥାନ୍ତି । ଆସନ୍ତା କାଲି ଦେବ ଦମ୍ପତିଙ୍କୁ ବିବାହ କରାଇବା ସହ କନ୍ୟା ପିତା ମାତା ଭାବେ କାର୍ଯ୍ୟ ତୁଲାଉ ଥିବାରୁ ଖୁସି ଅଛନ୍ତି କନ୍ୟା ପିତା ଏବଂ ମାତା ।

Leave A Reply

Your email address will not be published.