Below header

ପ୍ରଥମ ଥର ପାଇଁ ରାଜଭବନ ବାହାରେ ଶପଥ ଗ୍ରହଣ ଉତ୍ସବ, ସୁରକ୍ଷା ପାଇଁ ନିୟୋଜିତ ହେବେ ୨୫ ପ୍ଲାଟୁନ ପୋଲିସ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା, ଟ୍ରାଫିକ୍‌ ଓ ପାର୍କିଂ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ। ମୁତୟନ ହେବେ ୨୫ ପ୍ଲାଟୁନ୍‌ ଫୋର୍ସ, ସାଦା ପୋଷାକଧାରୀ ପୋଲିସ, କୁଇକ୍‌ ଆକ୍ସନ ଟିମ୍‌ ଓ ଡଗସ୍କ୍ଵାଡ । ଶପଥ ଗ୍ରହଣ ସମାରୋହ ସ୍ଥଳରେ ତିନିଟି ପ୍ରବେଶ ପଥ ରହିବ। ବିଭିନ୍ନ ସ୍ଥାନରେ ଲାଗିଛି ୨୫ରୁ ୩୦ଟି ସିସିଟିଭି। ସେହିପରି ଭୁବନେଶ୍ୱରରେ ଲାଗୁ ହେବ ସ୍ୱତନ୍ତ୍ର ଟ୍ରାଫିକ କଟକଣା।

ରାମମନ୍ଦିରରୁ ହାଉସିଂ ବୋର୍ଡ ଛକ ପର୍ଯ୍ୟନ୍ତ ରାସ୍ତାରେ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଗାଡ଼ିମୋଟର ଚଳାଚଳ ବନ୍ଦ ରହିବ। ଶପଥ ଗ୍ରହଣ ଉତ୍ସବକୁ କେବଳ ପାସ ପାଇଥିବା ଯାନବାହାନଗୁଡ଼ିକ ମଧୁସୂଦନ ମାର୍ଗ ଦେଇ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ରହିବେ। ଉତ୍ସବସ୍ଥଳକୁ ଯିବା ପାଇଁ ଗୋଲାପି, ସବୁଜ ଓ ହଳଦିଆ ରଙ୍ଗର ଯାନବାହନ ପାସ୍‌ ବ୍ୟବସ୍ଥା କରାଯାଇଛି। ଗୋଲାପି ରଙ୍ଗର ପାସଧାରୀ ଗାଡ଼ିଗୁଡ଼ିକ ସଚିବାଳୟ ମାର୍ଗ ଓ କେଶରୀ ଟକିଜ୍‌ ଦେଇ ପ୍ରଦର୍ଶନୀ ପଡ଼ିଆର ଦୁଇ ନମ୍ବର ଗେଟ୍‌ ଦେଇ ଭିତରେ ଥିବା ପାର୍କିଂରେ ରଖିବେ। ସବୁଜ ରଙ୍ଗ ପାସଧାରୀ ହାଉସିଂ ବୋର୍ଡ ଛକ ଦେଇ ମଧୁସୂଦନ ମାର୍ଗର ଉଭୟ ପାର୍ଶ୍ୱରେ ଗାଡ଼ି ରଖି ତିନି ନମ୍ବର ଗେଟ୍‌ ଦେଇ ଉତ୍ସବ ସ୍ଥଳକୁ ଯିବେ। ହଳଦିଆ ପାସଧାରୀ ଗାଡ଼ିଗୁଡ଼ିକ ରାମମନ୍ଦିର ଛକ ଦେଇ ମଧୁସୂଦନ ମାର୍ଗରେ ପ୍ରବେଶ କରିବେ। ସେମାନେ କ୍ୟାପିଟାଲ୍‌ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ ଏବଂ ଚାରି ଓ ପାଞ୍ଚ ନମ୍ବର ଗେଟ୍‌ ଦେଇ ଉତ୍ସବ ସ୍ଥଳକୁ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିଶନରଙ୍କ ପକ୍ଷରୁ ଜାରି ହୋଇଛି ଆଡଭାଇଜରୀ।

ପ୍ରଥମ ଥର ରାଜଭବନ ବାହାରେ ଲୋକଙ୍କ ସାମ୍ନାରେ ଶପଥ ନେବ ନୂଆ ସରକାର। ଆସନ୍ତାକାଲି ସକାଳ ସାଢ଼େ ୧୦ଟାରେ ରହିଛି ଶପଥ ଗ୍ରହଣ ସମାରୋହ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳ ବି ଶପଥ ନେବେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ନବୀନଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲେ ହେବେ ଦେଶର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶିଳ୍ପପତି।

ଆଦିତ୍ୟ ବିର୍ଲା ଗ୍ରୁପର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ଜେଏସପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ, ଆପୋଲା ହସ୍‌ପିଟାଲ୍‌ ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ସଙ୍ଗୀତା ରେଡ୍ଡୀ, ITCର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀ, ଇଣ୍ଡିଆ ସିମେଣ୍ଟ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପୁନିତ ଡାଲମିଆ, ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ୍‌ ଏମ୍‌ଡି ରମାକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେବା ସମ୍ଭାବନା ରହିଛି।

ସେହିପରି ସବୁ ଦଳର ନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ୭ ହଜାରରୁ ଅଧିକ ନିମନ୍ତ୍ରିତ ଅତିଥି। ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଚୂଡ଼ାନ୍ତ ପର‌୍ୟ୍ୟାୟରେ ଚାଲିଛି ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି। ସରି ଆସିଲାଣି ଅଭିଷେକ ହଲ୍‌ ଓ ମଞ୍ଚ ନିର୍ମାଣ କାମ। ବିଜେଡି ଏକ ଆଞ୍ଚଳିକ ଦଳ ଭାବେ ଲଗାତର ପଞ୍ଚମ ଥର ସରକାର ଗଠନ କରିବା ଦେଶରେ ବିରଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.