୨୦୧୪ଠୁ ଅଧିକ ସଂଖ୍ୟକ ମହିଳା ଲୋକସଭାକୁ ନିର୍ବାଚିତ, ତଥାପି ଏହା ୧୪.୬ ପ୍ରତିଶତରେ ସୀମିତ

ଏଥର ଲୋକସଭାରେ ଓଡ଼ିଶାର ୨୧ ସାଂସଦଙ୍କ ମଧ୍ୟରୁ ୭ ମହିଳା। ଅର୍ଥାତ ପ୍ରତିଶତ ହିସାବରେ ଓଡ଼ିଶା ଆସନ ସଂଖ୍ୟାର ୩୩ ପ୍ରତିଶତ ମହିଳା, ଲୋକସଭାକୁ ଯାଇଛନ୍ତି। ବିଜେଡିର ୫ ଓ ବିଜେପିର ୨। ବିଜେଡିରୁ ସବୁଠାରୁ ବୟସ୍କା ପ୍ରମିଳା ବିଷୋୟୀ, ଆଉ ସବୁଠାରୁ କନିଷ୍ଠା ଚନ୍ଦ୍ରାଣି ମୁର୍ମୁ। ଚନ୍ଦ୍ରାଣୀ ଲୋକସଭା ଇତିହାସରେ ସର୍ବ କନିଷ୍ଠ ସାଂସଦ ହେବାକୁ ଯାଉଛନ୍ତି। ଏହାବାଦ୍‌, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ ବିଜେଡିରୁ ସାଂସଦ ହୋଇଛନ୍ତି। ବିଜେପିରୁ ସଙ୍ଗୀତା ସିଂହଦେଓ ଏବଂ ଅପରାଜିତା ଷଡ଼ଙ୍ଗୀ।

ଦେଶରେ ଏଥର ୭୨୪ ଜଣ ମହିଳା ଲୋକସଭା ଆସନ ପାଇଁ ନିର୍ବାଚନ ଲଢିଥିଲେ। ସେଥିରୁ ୭୮ ଜଣ ବିଜୟୀ ହୋଇଛନ୍ତି। ଏଥିରୁ ପ୍ରାୟ ୬୦ ପ୍ରତିଶତ ଅର୍ଥାତ ୪୭ ଜଣ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି। ଲୋକସଭା ଇତିହାସରେ ୨୦୧୯ରେ ସବୁଠାରୁ ଅଧିକ ସଂଖ୍ୟା ମହିଳା ନିର୍ବାଚିତ ହୋଇଛନ୍ତି। ୨୦୧୪ରେ ଲୋକସଭାରେ ୬୬ ଜଣ ଅର୍ଥାତ ୧୨.୧ ପ୍ରତିଶତ ମହିଳା ଥିଲେ। ୨୦୧୯ରେ ୭୮ ଜଣ ଅର୍ଥାତ ୧୪.୬ ପ୍ରତିଶତ ମହିଳା ଅଛନ୍ତି। ଓଡ଼ିଶାରେ ୨୧ଆସନରୁ ୭, ପଶ୍ଚିମବଙ୍ଗରେ ୪୨ରୁ ୧୧, ଗୁଜରାଟରେ ୨୬ରୁ ୬, ମହାରାଷ୍ଟ୍ରରେ ୪୮ରୁ ୮ ଓ ଛତିଶଗଡ଼ରେ ମୋଟ ୧୧ ଆସନରୁ ୩ ଜଣ ମହିଳା ଲୋକସଭାକୁ ଯାଇଛନ୍ତି। ପ୍ରତିଶତ ହିସାବରେ ଓଡ଼ିଶାରୁ ୩୩. ୩ ପ୍ରତିଶତ, ପଶ୍ଚିମବଙ୍ଗରୁ ୨୬.୨ ପ୍ରତିଶତ, ଗୁଜରାଟରୁ ୨୩ ପ୍ରତିଶତ, ମହାରାଷ୍ଟ୍ରରୁ ୧୬.୭ ପ୍ରତିଶତ ଓ ଛତିଶଗଡ଼ରୁ ୧୬ ପ୍ରତିଶତ ମହିଳା ଲୋକସଭାକୁ ନିର୍ବାଚିତ ହୋଇଛନ୍ତି।

୨୦୧୪ରେ ଲୋକସଭାରେ ଓଡ଼ିଶାରୁ ମହିଳା ସାଂସଦ ହାର ଥିଲା ମାତ୍ର ୯. ୫ ପ୍ରତିଶତ। ଏଥର ୩୩ ପ୍ରତିଶତ ଛୁଇଁଛି। ଏହି ବୃଦ୍ଧିର ପ୍ରମୁଖ କାରଣ, ବିଜେଡି ଏକାକୀ ୨୧ ଆସନ ପାଇଁ ୭ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲା। ସେଥିରୁ ୫ ଜଣ ଜିତିଛନ୍ତି। ହାରିଛନ୍ତି ସୁନିତା ବିଶ୍ୱାଳ ଓ କୌଶଲ୍ୟା ହିକକା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.