ଆରପାରିରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଷ୍ଣୁ ଦାସ, ଘରୋଇ ମେଡିକାଲରେ ୬୬ ବର୍ଷ ବୟସରେ ବୁଜିଲେ ଆଖି

ଭୁବନେଶ୍ବର(କେନ୍ୟୁଜ୍):ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ତିର୍ତ୍ତୋଳ ବିଧାୟକ ବିଷ୍ଣୁ ଦାସ । ଚିକିତ୍ସାଧୀନ ଅବସ୍ଥାରେ ଆଜି ୬୬ ବର୍ଷ ବୟସରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନରୁ ଅସୁସ୍ଥ ଥିଲେ ବିଷ୍ଣୁ ଦାସ । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଜଣେ ଲୋକପ୍ରିୟ ରାଜନେତା, ଦକ୍ଷ ସଂଗଠକ ଓ ପ୍ରଶାସକ ଥିଲେ ବିଷ୍ଣୁ ଦାସ ।

APPOLO

ଜଗତସିଂହପୁର ଅଞ୍ଚଳର ବିକାଶ କ୍ଷେତ୍ରରେ ବିଷ୍ଣୁୁ ଦାସଙ୍କ ଉଲ୍ଲେଖନୀୟ ଅବଦାନ ରହିଛି । ଦଳିତ ଓ ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ଥିଲେ । ବିଜେଡିର ଜଣେ ବରିଷ୍ଠ ନେତା ଭାବରେ ସାଂଗଠନିକ ଶକ୍ତିକୁ ମଜଭୁତ କରିବା କ୍ଷେତ୍ରରେ ତାଙ୍କ ଭୂମିକା ରହିଥିଲା । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପିରବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜଣେ ଦକ୍ଷ ରାଜନୀତିଜ୍ଞ ହୋଇଥିବାରୁ ତାଙ୍କ ନିଧନରେ କିଟ୍ କିସ୍ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସମେତ ବହୁ ରାଜନେତା, ମନ୍ତ୍ରୀ, ସାଂସଦ ବି ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ।

ଛଅ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବିଷ୍ଣୁ ଦାସ । ୧୯୯୦ ମସିହାରୁ ୨୦୦୯ ପର୍ଯ୍ୟନ୍ତ ଲଗାତାର ପାଞ୍ଚ ଥର ଜଗତସିଂହପୁର ଆସନରୁ ବିଧାୟକ ଥିଲେ । ୧୯୯୦ ଓ ୧୯୯୫ରେ ଜନତା ଦଳ ଟିକେଟରେ ବିଧାନସଭା ଆସିିଥିଲେ । ଆଉ ଚାରି ଥର ବିଜେଡି ଟିକେଟରେ ନିର୍ବାଚନ ଜିତିଥିଲେ ବିଷ୍ଣୁ । ୨୦୧୪ ନିର୍ବାଚନରେ ସେ ହାରି ଯାଇଥିଲେ । ଏହାପରେ ୨୦୧୬ରେ ତାଙ୍କୁ ରାଜ୍ୟସଭା ପଠାଇଥିଲା ବିଜେଡି । ୨୦୧୭ ମାର୍ଚ୍ଚରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବରେ ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର ।

ଏହାପରେ ରାଜ୍ୟସଭା ଆସନରୁ ଇସ୍ତଫା ଦେଇଥିଲେ ବିଷ୍ଣୁ ଦାସ । ଚଳିତ ୨୦୧୯ ନିର୍ବାଚନରେ ତିର୍ତ୍ତୋଲ ଆସନରୁ ଲଢ଼ି ବିଜୟୀ ହୋଇଥିଲେ । ୨୦୦୬ରେ ବର୍ଷେ ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ ବିଷ୍ଣୁ ଦାସ । ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ମଧ୍ୟ ରହିଥିଲେ ବିଷ୍ଣୁ । ତାଙ୍କ ବିୟୋଗରେ ଦଳ ଜଣେ ଦକ୍ଷ ସଂଗଠକକୁ ହରାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.