ମାନସ ସ୍ବାଇଁ ମର୍ଡର ସସପେନ୍ସ ଉପରୁ ହଟିନି ସମ୍ପୂର୍ଣ୍ଣ ପରଦା,ଆଉ ୩ ଦିନ ରିମାଣ୍ଡରେ ଆସିବେ ଶର୍ମିଷ୍ଠା ସେଠୀ ଓ ଝୁନା ଭୋଇ

କେନ୍ୟୁଜ୍(ବ୍ୟୁରୋ):  ସରିଲା ରିମାଣ୍ଡ । ଜେଲ୍‌ ଫେରିଲେ ଷଡ଼ଯନ୍ତ୍ରକାରୀ ନିରଞ୍ଜନ ସେଠୀ ଓ ଅନ୍ୟତମ ଅଭିଯୁକ୍ତ ରଞ୍ଜନ ନାୟକ । ପୁଣି ରିମାଣ୍ଡରେ ଆସିବେ ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ସେଠୀ ଓ ଝୁନା ଭୋଇ । ସେମାନଙ୍କୁ ଆଉ ୩ ଦିନ ହେପାଜତରେ ଆଣିବ କ୍ରାଇମବ୍ରାଞ୍ଚ । ପ୍ରଥମ ପର୍ଯ୍ୟାୟ ଜେରା ବେଳେ ବହୁତ କଥା ମାନିଛନ୍ତି ନିରଞ୍ଜନ । ଶର୍ମିଷ୍ଠା ବି ଦୋଷ ସ୍ୱୀକାର କରିଛନ୍ତି । କିନ୍ତୁ ଏବେବି ମର୍ଡର ସସପେନ୍ସ ଉପରୁ ସମ୍ପୂର୍ଣ୍ଣ ପରଦା ହଟିନି । ଏଥିପାଇଁ ଶର୍ମିଷ୍ଠା ଓ ଝୁନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ଜେରା ହେବ । ୫ ଦିନ ରିମାଣ୍ଡ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ୩ଦିନ ଅନୁମତି ଦେଇଛନ୍ତି ଚାନ୍ଦବାଲି ଜେଏମଏଫସି ।

ପ୍ରଶ୍ନବାଚୀ ଭିତରେ ଛନ୍ଦି ହୋଇଛି ମାନସ ମର୍ଡର ମିଷ୍ଟ୍ରି । ଜଣାପଡିନି ହତ୍ୟାକାଣ୍ଡର ପ୍ରକୃତ କାରଣ କଣ ? ମେମୋରୀ ଚିପ୍‌ ରହସ୍ୟ ଏଯାଏ ଖୋଲିନି । କୁଆଡ଼େ ଗଲା ମେମୋରୀ ଚିପ୍‌ ? କାହା ପାଖରେ ଅଛି ? ସେଥିରେ ଅଛି କଣ ? ଅଶ୍ଲୀଳ ଭିଡିଓ ନା ଆଉ ଗୁପ୍ତ ତଥ୍ୟ ଲୁଚାଇ ରଖିଥିଲେ ମାନସ । ଏଦିଗରେ ପୋଲିସକୁ କୌଣସି ଠୋସ୍‌ ତଥ୍ୟ ଦେଇ ନାହାନ୍ତି ଶର୍ମିଷ୍ଠା । ସେହିପରି ଗତକାଲି ତାଙ୍କ ଘରୁ ନିରଞ୍ଜନଙ୍କ ଡାଏରୀ ମିଳିଥିଲା । ସେଥିରୁ ତଦନ୍ତକାରୀ ଟିମକୁ କିଛି ତଥ୍ୟ ମିଳିପାରେ । ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ମେମୋରୀ କାର୍ଡ ଓ ଡାଏରୀ ବାବଦରେ ଅଧିକ ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କ ମୋବାଇଲକୁ ଯାଞ୍ଚ ପାଇଁ ଫରେନ୍‌ସିକ୍‌ ଲାବୋରେଟାରୀକୁ ପଠାଯିବ ।

ତଦନ୍ତ ଯେତିକି ବଢୁଛି ମାନସ ମର୍ଡର କେସରେ ସାମନାକୁ ଆସୁଛି ନୂଆ ଟ୍ଵିଷ୍ଟ । ମାନସଙ୍କୁ ହତ୍ୟା ପରେ ଆତ୍ମହତ୍ୟାର ରୂପ ଦେବାକୁ ଯୋଜନା କରିଥିଲେ ଅଭିଯୁକ୍ତ । ରଞ୍ଜନ, ବିବେକ ଓ ଭାଗିରଥିଙ୍କ ମାଡ଼ରେ ମାନସଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚାହିଁଥିଲେ । ଯୋଜନା ଫେଲ୍‌ ମାରିବାରୁ ଶେଷରେ ରଣପୁର ବଧିପାଟଣାର ପୋତିଥିଲେ ମୃତଦେହ । ରିମାଣ୍ଡରେ ଶର୍ମିଷ୍ଠା କ୍ରାଇମବ୍ରାଞ୍ଚ ଆଗରେ ବଖାଣିଥିଲେ ଅପହରଣ, ହତ୍ୟା, ମୃତଦେହ ପୋତିବାର ପୁରା ଘଟଣା । ଅଭିଯୁକ୍ତ ରଞ୍ଜନ ଦେଖାଇଥିଲା ପ୍ରମାଣ ନଷ୍ଟ କରିବାର ସ୍ପଟ୍‌ । ନିରଞ୍ଜନ କେଉଁଠି ଓ କେମିତି ସମ୍ପୂର୍ଣ୍ଣ ଅଫିସରେ ମାନସଙ୍କୁ ନିର୍ଯାତନା ଦେଇଥିଲେ ଡେମୋ ଦେଖାଇଥିଲେ । ଏସମ୍ପର୍କିତ ତଥ୍ୟ ପ୍ରମାଣ ଓ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ । ଏବେ ହତ୍ୟାର କାରଣ ଜାଣିବା, ମେମୋରୀ ଚିପକୁ ଖୋଜି ବାହାର କରିବା ତଦନ୍ତକାରୀ ଟିମ୍‌ ଆଗରେ ଚ୍ୟାଲେଞ୍ଜ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.