କୁନି ରାଜବୀରଙ୍କୁ ଜୀବନ ଉପହାର ଦିଅନ୍ତୁ: ଦେଶବାସୀଙ୍କୁ ସହାଯ୍ୟ ପାଇଁ ଅପିଲ କଲେ ଅସହାୟଙ୍କ ଦେବଦୂତ ସୋନୁ ସୁଦ୍

କେନ୍ୟୁଜ୍(ବ୍ୟୁରୋ): ରାଜବୀରଙ୍କ ଜୀବନ ବଞ୍ଚାଇବା ପାଇଁ ଜନସାଧାରଣଙ୍କୁ ଅପିଲ କଲେ ସୋନୁସୁଦ୍। ଆଉ ହାତରେ ଅଛି ମାତ୍ର ଦୁଇ ମାସ । ଏହାର ଭିତରେ ୧୬ କୋଟି ଟଙ୍କାର ଇଞ୍ଜେକ୍ସନ ନଦେଲେ ଆଖିବୁଜି ଦେବ ରାଜବୀର। ଏହି କୁନି ଶିଶୁର  ଜୀବନକୁ  ତା ବାପା ମାଙ୍କୁ  ଉପହାର  ଦେବା  ପାଇଁ ସୋନୁ ସୁଦ୍ ତାଙ୍କ ପ୍ରଶଂସକମାନଙ୍କୁ ଅପିଲ କରିଛନ୍ତି।

କିଛି ଦିନ ତଳେ ରାଜବୀରର ବାପା ମା  ସରକାରୀ ସହାୟତାର ଆଶା କରି  ନବୀନ ନିବାସ ଆଗରେ ଧାରଣାରେ ବସିଥିଲେ । କିନ୍ତୁ  ସେଠାରୁ ତାଙ୍କୁ  ପୋଲିସ ଉଠାଇଦେଇ ଚିକିତ୍ସା ଆଳରେ  ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ଏସ୍‌ସିବିକୁ ପଠାଇ ଦିଆଗଲା। ଆଉ ଏସସିବିରେ ସ୍ପାଇନାଲ ମସକ୍ୟୁଲାର ଆଟ୍ରୋଫିର ଚିକିତ୍ସା ସମ୍ଭବ ନୁହେଁ ବୋଲି କର୍ତ୍ତୃପକ୍ଷ ଫେରାଇ ଦେଇଥିବା ଅଭିଯୋଗ ହୋଇଛି।

 ସବୁ ଆଡ଼ୁ ବିଫଳ ହେବା ପରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ପୁଅକୁ ଧରି କୁଳମଣୀ ରଣା ଏବଂ ତମଲିକା, ମୁମ୍ବାଇ ପହଞ୍ଚିଛନ୍ତି। ସେଠାରେ ସେମାନେ ଅଭିନେତା ସୋନୁ ସୁଦଙ୍କୁ ସାକ୍ଷାତ କରି ପୁଅର ଜୀବନ ଭିକ୍ଷା କରିଛନ୍ତି। ରିଲରୁ ରିଅଲ ହିରୋ ପାଲଟିଥିବା ସୋନୁ ମଧ୍ୟ ତାଙ୍କୁ ନିରାଶ କରିନାହାନ୍ତି। ରାଜବୀରଙ୍କ ଚିକିତ୍ସା ପାଇଁ ଦେଶବାସୀଙ୍କୁ ସାହାଯ୍ୟର ହାତ ବଢ଼ାଇବାକୁ ଅପିଲ୍ କରିଛନ୍ତି।

ରାଜବୀରକୁ ସ୍ପାଇନାଲ ମସ୍କୁଲାର ଆଟ୍ରୋପି ଭଳି ଏକ ସାଂଘାତିକ ରୋଗ ହୋଇଛି । କନ୍ଧମାଳର ଆମ୍ବପଡ଼ାର କୁଳମଣି ରଣା ଏବଂ ତମଲିକା ଦାସଙ୍କ ମାତ୍ର ୨୧ ମାସର ପୁଅ ହେଉଛି ରାଜବୀର । ତାର ଚିକିତ୍ସା ପାଇଁ ଦରକାର ‘ଜୋଲଗେନ୍ସମା’ ଇଞ୍ଜେକସନ । ଏହି ଔଷଧର ଦାମ୍‌ ୧୬ କୋଟି ଟଙ୍କା । ଆଉ ୪ ମାସ ମଧ୍ୟରେ ଇଞ୍ଜେକସନ ଦେବାକୁ ହେବ। ରାଜବୀରଙ୍କ ସମ୍ପର୍କରେ ପ୍ରଥମେ କେନ୍ୟୁଜରେ ପ୍ରସାରଣ ହୋଇଥିଲା ।

ରାଜବୀର ଏବେ ବେଙ୍ଗାଲୁରର ଏକ ହସପିଟାଲରେ ଚିକିତ୍ସିତ ହେଉଛି । ରାଜବୀରଙ୍କ ବାପା କୁଳମଣୀ ବେଙ୍ଗାଲୁରୁରେ ସ୍ୱିଗି ଡେଲିଭରି ବୟ ଭାବେ କାମ କରିଥିଲେ। ମାସକୁ ତାଙ୍କର ରୋଜଗାର ମାତ୍ର ୧୫ ହଜାର ଟଙ୍କା ଥିଲା। ସ୍ୱଳ୍ପ ଆୟରୁ ସଞ୍ଚୟ ସମସ୍ତ ପୁଞ୍ଚି ଓ ଧାର କରଜ କରି କୁଳମଣୀ ପୁଅର ଚିକିତ୍ସା ପାଇଁ  ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ସରି ଗଲାଣି। ତଥାପି ରାଜବୀରଙ୍କୁ ବଞ୍ଚାଇବାକୁ ହେଲେ ୧୬ କୋଟି ଟଙ୍କା ଆବଶ୍ୟକ।  ଏଥିପାଇଁ ଦେଶବାସୀ ରାଜବୀରକୁ ସାହାଯ୍ୟ କରନ୍ତୁ ବୋଲି ସୋନୁ ସୁଦ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.