ଅଗଷ୍ଟ ୧୬ରୁ ଦୁଇ ସପ୍ତାହ ଧରି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ଚାଲିବ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ

କଟକ(କେନ୍ୟୁଜ୍): ରାଜ୍ୟରେ ରାସ୍ତା ଦୁର୍ଘଟଣା ଚିନ୍ତାଜନକ ସ୍ଥିତିରେ ପହଁଚିଛି। ଏଥିପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଅଗଷ୍ଟ ୧୬ ରୁ ଦୁଇ ସପ୍ତାହ ଧରି ରାଜ୍ୟ ରାଜପଥ ଓ ଜାତୀୟ ରାଜପଥରେ ହେଲମେଟ ଚେକିଂର ସ୍ୱତନ୍ତ୍ର ଡ୍ରାଇଭ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୧ ମସିହାରେ ରାଜ୍ୟରେ ଦୁଇ ଚକିଆ ଯାନରେ ଦୁର୍ଘଟଣା ଘଟି ୮୬୮ ଚାଳକ ଓ ୪୪୦ ବସିଥିବା ବ୍ୟକ୍ତି ମୋଟ ୧୩୦୮ ଜଣଙ୍କର ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଲମେଟ ପିନ୍ଧି ନଥିଲେ। ସମୁଦାୟ ୧୨୮୦ ଜଣ ଗୁରୁତର ଆହତ ହୋଇଥିବା ବେଳେ ୭୪୭ ଜଣ ସାମାନ୍ୟ ଆହତ ହୋଇଥିଲେ।

ଓଡ଼ିଶାରେ ବିଶେଷ ଭାବେ ବସିଥିବା ଲୋକ ହେଲମେଟ ପିନ୍ଧୁ ନ ଥିବାର ଦେଖିବାକୁ ମିଳିଛି। ଏହି ସ୍ୱତନ୍ତ୍ର ଡ୍ରାଇଭରେ ଏଭଳି ଯାତ୍ରୀଙ୍କ ସମେତ ତିନି ଜଣିଆ ଯାତ୍ରୀ ଓ ନାବାଳକ ଡ୍ରାଇଭରଙ୍କୁ ଦଣ୍ଡିତ କରାଯିବ। ମୋଟର ଯାନ ସଂଶୋଧନ ଅଧିନିୟମ ୨୦୧୯ ଅନୁଯାୟୀ, ବିନା ହେଲମେଟରେ ଗାଡି ଚଳାଇଲେ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ଯଦି ବସିଥିବା ଲୋକ ହେଲମେଟ ପିନ୍ଧି ନାହାନ୍ତି ତେବେ ଡ୍ରାଇଭରଙ୍କ ଲାଇସେନ୍ସ ତିନି ମାସ ପାଇଁ ବାତିଲ ହେବା ସହିତ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ସଡ଼କ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.