ମାହାଙ୍ଗା ଶିଶୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମକାରୀକୁ ୨୦ ବର୍ଷର ଜେଲ ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକସୋ କୋର୍ଟ

କଟକ(କେନ୍ୟୁଜ) : ମାହାଙ୍ଗାର ଚର୍ଚ୍ଚିତ ୪ ବର୍ଷର ନାବାଳିକା ଦୁଷ୍କର୍ମ ଘଟଣାରେ କଟକ ଆଡ଼ହକ ଏଡିଜେ ସ୍ୱତନ୍ତ୍ର ପକସୋ କୋର୍ଟ ଅଭିଯୁକ୍ତ ଜିତେନ୍ଦ୍ର ସାହୁକୁ ଦୋଷୀ ସାବ୍ଯସ୍ତ କରିଛନ୍ତି।ଭାରତୀୟ ଦଣ୍ଡବିଧି ଆଇନର ୩୭୬ ଏବି ଦଫାରେ ଦୋଷୀ ଜିତେନ୍ଦ୍ର ସାହୁକୁ ୨୦ ବର୍ଷର ସଶ୍ରମ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ। ୨୦ ବର୍ଷର କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦିଆଯାଇଛି।

ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ ଜେଲଦଣ୍ଡ ଭୋଗିବେ ବୋଲି ନିର୍ଦ୍ଦେଶନାମାରେ ସ୍ପଷ୍ଟ ହୋଇଛି। ଏହାସହ ପିଡିତା କ୍ଷତିପୂରଣ ଆଇନ ଅନୁଯାୟୀ ପିଡିତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଅର୍ଥ ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଜିଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ ଏହି କ୍ଷତିପୂରଣ। ପିଡିତାକୁ ୧୮ ବର୍ଷ ହେବା ପର୍ଯ୍ଯନ୍ତ ଏହି ଟଙ୍କା ପିଡିତାର ବ୍ଯାଙ୍କ ଆକାଉଣ୍ଟରେ ଫିକ୍ସ ଡିପୋଜିଟ ହୋଇ ରହିବ।

୨୦୧୯ ମସିହା ଫେବୃଆରୀ ୨୭ ତାରିଖ ରାତିରେ ହୋଇଥିଲା ଦୁଷ୍କର୍ମ। ମାହାଙ୍ଗାରର ଜଣେ ବ୍ଯକ୍ତିଙ୍କ ଘରେ ଏକ ବିବାହ କାର୍ଯ୍ଯ ଚାଲିଥିବା ବେଳେ ଦୋଷୀ କରିଥିଲା ଏହି ଦୁଷ୍କର୍ମ। ଘଟଣା ପରଦିନ ୪ ବର୍ଷୀୟା ପିଡିତା ଘଟଣା ସମ୍ପର୍କରେ ନିଜ ମାକୁ କହିବା ପରେ ପରିବାର ପକ୍ଷରୁ ମାହାଙ୍ଗା ଥାନାରେ ଅଭିଯୋଗ କରାଯାଇ ଥିଲା।

ଦୋଷୀ ଜିତେନ୍ଦ୍ର ଜଣେ ଅତିଥି ଭାବେ ଯୋଗ ଦେଇ ଏଭଳି ଘୃଣ୍ଯ କାର୍ଯ୍ଯ କରିଥିଲେ। ପିଡିତାର ବୟାନ ସମେତ ୧୪ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ପ୍ରମାଣ ଓ ୧୪ ଟି ତଥ୍ଯ ପ୍ରମାଣ ଆଧାରରେ ଦୋଷୀକୁ ଦଣ୍ଡ ବିଧାନ କରିଛନ୍ତି ସ୍ୱତନ୍ତ୍ର କୋର୍ଟ। ଏହି ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ବିଶ୍ଜିତ ରାୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.