କିଟ୍‌ରେ କ୍ରୀଡ଼ା ମହାକୁମ୍ଭ: ୨୫ ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‌ ଦେଇଥିଲେ ଯୋଗ

ଭୁବନେଶ୍ବର(କେନ୍ୟୁଜ୍): ଫୁଟବଲଠୁ ବ୍ୟାଡମିଣ୍ଟନ , ରଗବୀଠୁ ସ୍ୱିମିଂ । ଇଣ୍ଡୋର-ଆଉଟଡୋରର ଆହୁରୀ କେତେ କଣ ଇଭେଣ୍ଟ । ଡିସେମ୍ବର ୨୦ରୁ ୩୦ ପର୍ଯ୍ୟନ୍ତ କିଟ ବିଶ୍ୱବିଦ୍ୟାଳୟର ବିଭିନ୍ନ କ୍ୟାମ୍ପସରେ ଚାଲିଥିଲା କ୍ରୀଡ଼ାର ମହାକୁମ୍ଭ । ହଜାର ହଜାର କ୍ରୀଡ଼ାବିତ୍‌ଙ୍କ ସମୋବେଶରେ କିଟ ହୋଇଉଠିଥିଲା ଚଳଚଞ୍ଚଳ । କ୍ରୀଡ଼ା ମହାକୁମ୍ଭରେ ଜାତୀୟ ଓ ଆଞ୍ଚଳିକସ୍ତରର ୨୫ହଜାରରୁ ଊର୍ଦ୍ଧ୍ୱ କ୍ରୀଡ଼ାବିତ୍‌, କୋଚ୍‌, ଅଫିସିଆଲ୍‌ ଓ ୧୦ହଜାର ଖେଳାଳିଙ୍କ ଅଭିଭାବକ ଯୋଗ ଦେଇଥିଲେ । କିଟର ବିଜୁ ପଟ୍ଟନାୟକ ଇନଡୋର୍‌ ଷ୍ଟାଡିଅମଠାରୁ ଆରମ୍ଭ କରି କିଟ୍‌-କିସ୍‌ ଆଥଲେଟିକ୍‌ ଷ୍ଟାଡିୟମ, ହକି ଷ୍ଟାଡିୟମ, ରଗବୀ ଷ୍ଟାଡିୟମ, କିଟ୍‌-କିସ୍‌ ଅନ୍ତର୍ଜାତୀୟ ଚେସ୍‌ ହଲ ଏବଂ କିଟ୍‌-କିସ୍‌ ସ୍ୱିମିଂ କମ୍ପ୍ଲେକ୍ସ ଆଦି କ୍ୟାମ୍ପସରେ ଏହି ସବୁ ପ୍ରତିଯୋଗିତା ଚାଲିଥିଲା ।

ଭାରତୀୟ ବିଶ୍ୱବିଦ୍ୟାଳୟ ସଂଘ ଆନୁକୂଲ୍ୟରେ ଡିସେମ୍ବର ୨୦ରୁ ୨୩ ତାରିଖ ପର୍ଯ୍ୟନ୍ତ ଉତ୍ତର-ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ଦୌଡ଼କୁଦ (ପୁରୁଷ ଓ ମହିଳା) ଚାମ୍ପିଅନ୍ସିପ୍‌ ଅନୁଷ୍ଠିତ ହୋଇଥିଲା । ଯେଉଁଠି ଯୋଗ ଦେଇଥିଲେ ୩ଶହରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟରୁ ୩ହଜାରରୁ ଊର୍ଦ୍ଧ୍ୱ ଖେଳାଳି, କୋଚ୍‌ ଅଫିସିଆଲ୍‌ ଓ ଅଭିଭାବକ । କିଟ୍‌ ରଗବୀ ଗ୍ରାଉଣ୍ଡରେ ଆୟୋଜିତ ଥିଲା ସର୍ବଭାରତୀୟ ରଗବୀ ପୁରୁଷ ଓ ମହିଳା ଚାମ୍ପିଅନସିପ ୨୦୨୨-୨୩ । ୨ ହଜାରରୁ ଊର୍ଦ୍ଧ୍ୱ ଉଭୟ ପୁରୁଷ ଓ ମହିଳା ଖେଳାଳି, କୋଚ, ଅଫିସିଆଲ୍‌ ଯୋଗ ଦେଇଥିଲେ । ସେହିପରି ୧୫ବର୍ଷରୁ କମ୍‌ ଓ ୧୭ବର୍ଷରୁ କମ୍‌ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ୍‌ ଚାମ୍ପିଅନସିପରେ ୧ହଜାରରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗଦେଇଥିଲେ ।

ଉଦଯାପନୀ ଉତ୍ସବରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ଏମଜିଏମ୍‌ ମିନେରାଲ୍ସର ଅଧ୍ୟକ୍ଷ ତଥା ଓଡ଼ିଶା କ୍ରିକେଟ ଆସୋସିଏସନର ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ଭାରତୀୟ ବ୍ୟାଡମିଣ୍ଟନ୍‌ ସଂଘର ଉପସଭାପତି ଶେଖର ବିଶ୍ୱାସ, ଭାରତୀୟ ବ୍ୟାଡ଼ମିଣ୍ଟନ୍‌ ସଂଘର ଯୁଗ୍ମ ସମ୍ପାଦକ ତଥା ଭାରତୀୟ ପାରା ବ୍ୟାଡ଼ମିଣ୍ଟନ୍‌ ସଂଘର ଅଧ୍ୟକ୍ଷ ପ୍ରଭାକର ରାଓ, ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ୍‌ ସଂଘର ସମ୍ପାଦକ ନିଲେନ୍‌ କୁମାର ପ୍ରମୁଖ ଯୋଗଦେଇ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସର୍ବଦା ପ୍ରୋତ୍ସାହନ ଦେଇ ଆସୁଥିବାରୁ ତାଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ କିଟ୍‌ କ୍ରୀଡ଼ାର ଉନ୍ନତି ପାଇଁ ପ୍ରୟାସ କରୁଛି ବୋଲି କହିଥିଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ।

କିଟରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ ଓ ମହିଳା ଯୋଗାସନ ଚାମ୍ପିଅନସିପ ୨୦୨୨-୨୩ରେ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୩ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଯୋଗ ଦେଇଥିଲେ। ସେହିପରି ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ପୁରୁଷ ଓ ମହିଳା ସନ୍ତରଣ ଚାମ୍ପିଅନସିପରେ ମଧ୍ୟ ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ୨ହଜାରରୁ ଊର୍ଦ୍ଧ୍ୱ ଖେଳାଳି, କୋଚ୍‌ ଓ ଅଭିଭାବକ ଯୋଗ ଦେଇଥିଲେ । ହକି ଖେଲୋ ଇଣ୍ଡିଆ ୟୁଥ ଗେମ୍ସ କ୍ୱାଲିଫିକେସନ୍‌ ଟୁର୍ଣ୍ଣାମେଣ୍ଟ ୨୦୨୨ରେ ମଧ୍ୟ ହଜାରେରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ । ଏଥିରେ ଓଡ଼ିଶା ସରକାରଙ୍କ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, ଓଡ଼ିଶା ହକି ଆସୋସିଏସନର ସାଧାରଣ ସମ୍ପାଦକ ସନାତନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ଖେଳାଳି ଓ ଅଫିସିଆଲ୍‌ ରହିବା ପାଇଁ କିଟର ବିଭିନ୍ନ ହଷ୍ଟେଲ୍‌ ଓ ଗେଷ୍ଟ ହାଉସରେ ବ୍ୟବସ୍ଥା କରାଯାଇଥିଲା । କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ରହିବା ସମୟରେ ଖେଳାଳି ଓ ଅଫିସିଆଲଙ୍କ ଯେଭଳି କିଛି ସମସ୍ୟା ନ ହୁଏ ସେଥିପ୍ରତି ଯତ୍ନବାନ ରହିବାକୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‌ ହସ୍ପିଟାଲିଟି ବିଭାଗ ଓ କ୍ରୀଡ଼ା ବିଭାଗକୁ ପରାମର୍ଶ ଦେଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.