ଗୁଜବ ଯୋଗୁଁ ଟୀକା ନେବାକୁ ଅମଙ୍ଗ! ଘର ବାହାରୁ ତାଲା ପକେଇ ଲୁଚିଯାଉଛନ୍ତି ଗ୍ରାମବାସୀ

ଉମରକୋଟ(କେନ୍ଯୁଜ୍): ମିଥ୍ଯା ଗୁଜବର ଶିକାର ହୋଇ ଟୀକା ନେବା ପାଇଁ ରାଜି ହେଉନାହାନ୍ତି ଗ୍ରାମାଞ୍ଚଳର ଲୋକେ । ଯାହାର ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକରେ। ଯାହାଫଳରେ ଟୀକା କରଣ ପାଇଁ ଚାଲିଥିବା ପ୍ରଚେଷ୍ଟା ଏବେ ଧିମେଇ ଯାଇଛି। ଉମରକୋଟ ସହରରେ ୧୮ରୁ ୪୫ ବର୍ଷର ଲୋକେ ଟୀକା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରି ବସିଥିବା ବେଳେ, ଟୀକା ମିଳୁନାହିଁ । ହେଲେ ଜିଲ୍ଲା ପ୍ରଶାସନ, ଗ୍ରାମାଞ୍ଚଳର ଲୋକଙ୍କୁ ଯେପରି ସମସ୍ତଙ୍କୁ ଟୀକା କରଣ ହୋଇପାରିବ ସେଥିପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏପରି ସ୍ଥଳେ କରୋନା ଟୀକା ନେଲେ ମରିଯିବୁ କହି ଏକ ଭ୍ରାନ୍ତ ଧାରଣା ସରଳ ଆଦିବାସୀଙ୍କ ମନରେ ପ୍ରବେଶ କରିଛି । ଯାହା ଦ୍ଵାରା  ସରକାରଙ୍କ ଏତେ ବଡ଼ କାର୍ଯ୍ଯକ୍ରମ ଆଣ୍ଠେଇପଡିଛି।

ଆଜିକୁ ୧ ମାସ ରୁ ଉର୍ଦ୍ଧ ହେଲାଣି ଉମରକୋଟ ବ୍ଲକରେ ଟୀକାକରଣ କାର୍ଯ୍ଯକ୍ରମ ଆରମ୍ଭ ହେଇଛି। ଲୋକେ ଯେପରି ଅଧିକ ରୁ ଅଧିକ ଲୋକେ ଟୀକା ନେବେ ସେଥିପାଇଁ ଅଙ୍ଗନୱାଡ଼ି କର୍ମଚାରୀ, ଆଶା, ୱାର୍ଡ ମେମ୍ବର, ସମିତି ମେମ୍ବର, ସରପଂଚ ଓ ପଞ୍ଚାୟତ ର୍ନିବାହୀ ଅଧିକାରୀ ଘର ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ଟୀକା ନେବାକୁ ଡାକୁଛନ୍ତି। କିନ୍ତୁ ଲୋକ ଭୟରେ ଟୀକା ନେବା ପାଇଁ ଆସୁନଥିବା ଅଙ୍ଗନବାଡି ଓ ଆଶା କର୍ମୀ ମାନେ ପ୍ରକାଶ କରିଛନ୍ତି। ଏହାସହ ଯେତେବେଳେ ଅଙ୍ଗନବାଡି କର୍ମୀ ଟୀକା ଦେବାକୁ ଡାକିଲେ ଆସୁଛି କହି ଘର ବାହାରୁ ତାଲା ପକେଇ ଲୁଚି ପଳାଉଛନ୍ତି ଗ୍ରାମାଞ୍ଚଳବାସୀ ।

ଏଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ୫ଟି ଟିମ୍‌ ଗଠନ କରାଯାଇଛି। ୧୦ ଦିନ ଆଗରୁ ମାଇକ ଯୋଗେ ବ୍ଯାପକ ପ୍ରଚାର ମଧ୍ୟ କରାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଉମରକୋଟ ବ୍ଲକରେ ମାତ୍ର ୪୦ ପ୍ରତିଶତ ଲୋକ ଟୀକା ଗ୍ରହଣ କରିଥିବା କହିଛନ୍ତି। ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରରେ  ଗ୍ରାମାଞ୍ଚଳର ଲୋକେ ବେଶୀ ପ୍ରଭାବିତ ହୋଇ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଗ୍ରାମାଞ୍ଚଳକୁ ବେଶି ଫୋକସ୍‌ ଦେବା ବେଳେ ଲୋକଙ୍କ ମଧ୍ୟରେ  ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥିବାରୁ ଅସୁବିଧାରେ ପକାଇଛି।

ବିଶେଷ କରି ଟୀକା ନେବା ପରେ ଯେଉଁ ଜ୍ବର, ମୁଣ୍ଡ ଓ ଦେହ ବଥା ହେଉଛି ସେଥିପାଇଁ ମରିଯିବେ ବୋଲି ଏକ ଅନ୍ଧ ବିଶ୍ଵାସ ସୃଷ୍ଟି ହୋଇଛି। ଏପରି ଅବସ୍ଥା ବ୍ଲକର ଅନ୍ଯ କିଛି ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି। ଅପରପକ୍ଷେ ପୂଜାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ୍‌ ଅଫିସର ଡକ୍ଟର ଅଭୟ କୁମାର ଦେ ଓ ବିଧାୟକ ସବୁ ବ୍ଯକ୍ତିଙ୍କୁ ଟୀକା ନେବା ପାଇଁ ପରାମର୍ଶ ଦେବା ସହ କୌଣସି ଗୁଜବକୁ ବିଶ୍ୱାସ ନ କରିବା ଓ ଟୀକା ନେଇ ନିଜ ଜୀବନକୁ ସୁରକ୍ଷିତ ରଖିବା ପାଇଁ ଜନସାଧାରଣ ଙ୍କୁ ଅନୁରୋଧ କରିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.