ରାଜ୍ୟ କଂଗ୍ରେସରେ ଅନୁଷ୍ଠିତ ହୋଇଛି ଚିନ୍ତନ ଶିବିର ନବ ସଂକଳ୍ପ ବୈଠକ, ୨୦୨୪ ନିର୍ବାଚନ ମୂଳ ଲକ୍ଷ

ରାଜ୍ୟ କଂଗ୍ରେସରେ ଅନୁଷ୍ଠିତ ହୋଇଛି ଚିନ୍ତନ ଶିବିର ନବ ସଂକଳ୍ପ ବୈଠକ । ଏହି ବୈଠକରେ ନୂତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ରାଜ୍ୟ ପ୍ରଭାରୀ ଓ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ୨୦୨୪ ପାଇଁ ବ୍ଲୁ ପ୍ଲାନ ନେଇ ଅନେକ ନେତା ନିଜର ମତବ୍ୟକ୍ତ କରିଥିବା ବେଳେ ଆସନ୍ତାକାଲି ଯାଏଁ ଏହି ଚିନ୍ତନ ବୈଠକ ଚାଲିବ ବୋଲି ଜଣାଯାଇଛି ।  ନବ ସଂକଳ୍ପ ଶିବିରରେ ଅନେକ ସଂକଳ୍ପ ନେଇଛି ରାଜ୍ୟ କଂଗ୍ରେସ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତିକୁ ପାଥେୟ କରି ୨୦୨୪ ନିର୍ବାଚନ ବୈତରଣୀ ପାର ହେବାକୁ ରାଜ୍ୟ କଂଗ୍ରେସ ଖସଡ଼ା ପ୍ରସ୍ତୁତ କରିଛି  ।

ଆଜିର ଚିନ୍ତନ ଶିବିରରେ ବିଧାୟକ, ସାଂସଦ, ଅନେକ ବରିଷ୍ଠ ନେତା ଉପସ୍ଥିତ ରହି କଂଗ୍ରେସକୁ ମଜବୁତ କରିବା ଓ ବିରୋଧୀଙ୍କୁ ଜବାବ ଦେବାକୁ ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି । ସଙ୍ଗଠନ ସୁଦୃଢ କରିବା ପାଇଁ ଆସନ୍ତା ୯ରୁ ସବୁ ଜିଲ୍ଲାରେ କଂଗ୍ରେସ ପଦଯାତ୍ରା ଆରମ୍ଭ କରିବ । ପ୍ରତି ଜିଲ୍ଲାରେ ୭୫ କିମି ପର୍ଯ୍ୟନ୍ତ ପଦଯାତ୍ରା କରିବେ ପିସିସି ସଭାପତି । ଜିଲ୍ଲା ବ୍ଲକ ଓ ମଣ୍ଡଳ ସ୍ତରରେ ମଧ୍ୟ ଦଳୀୟ ବୈଠକ ଅଧିବେଶନ ଅନୁଷ୍ଠିତ ହେବ ।

ଗୋଷ୍ଠୀ କନ୍ଦଳ ହେଉଛି କଂଗ୍ରେସ ଦଳର ପୁରୁଣା ରୋଗ । ଆଜିର ଚିନ୍ତନ ବୈଠକରେ କଟକ ବିଧାୟକ ମହମ୍ମଦ ମୋକିମ ଓ କୋରାପୁଟ ବିଧାୟକ ତାରାପ୍ରସାଦ ବାହିନୀପତି ଅନୁପସ୍ଥିତ ରହିବା ଦଳର ଫାଟ ଚିତ୍ରକୁ ପଦାରେ ପକାଇ ଦେଇଛି । କାନକୁହା କଥା ଆଉ ଶୁଣାଯିବନି ବୋଲି ନୂଆ ସଭାପତି ଶରତ ପଟ୍ଟନାୟକ ଚେତାବନୀ ଦେଇଥିବା ବେଳେ ଏହାକୁ ସମର୍ଥନ କରିଥିଲେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏହା ସାହ ସେ କହିଛନ୍ତିକି ଛାତ୍ର- ଯୁବ- ମହିଳା ଭଳି ଛାମୁଆ ସଂଗଠନକୁ ସୁଦୃଢ କଲେ ହିଁ ଦଳ ଆଗକୁ ଯାଇପାରିବ । ଏହା ସହ ପୁରାତନ ନେତାଙ୍କୁ ଘର ବାହୁଡା ପାଇଁ ମଧ୍ୟ ଉଦ୍ୟମ ଆରମ୍ଭ କରିବ କଂଗ୍ରେସ ।

Leave A Reply

Your email address will not be published.