ସଂରକ୍ଷଣ ପ୍ରସଙ୍ଗରେ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କଲେ ରାଜ୍ୟସରକାର, ଅଧ୍ୟକ୍ଷ ରହିବେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ ମିଶ୍ର

କେନ୍ୟୁଜ୍(ବ୍ୟୁରୋ):  ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ ଶିକ୍ଷାରେ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ରାଜ୍ୟ ସରକାର ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରିଛନ୍ତି । କମିଟିର ଅଧ୍ୟକ୍ଷ ରହିବେ ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ ମିଶ୍ର । ସେ ପୂର୍ବରୁ ଓଡ଼ିଶା ଜୁଡ଼ିସିଆଲ ଏକାଡେମୀର ନିର୍ଦ୍ଦେଶକ, ସିିବିଆଇ ସ୍ୱତନ୍ତ୍ର ଜଜ ଓ ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ଏହି କମିଟିରେ ୪ ଜଣ ସଦସ୍ୟ ଅଛନ୍ତି । ସେମାନେ ହେଲେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଅଶୋକ କୁମାର ଦାସ, ଡିଏମଇଟି ଡାକ୍ତର ସିବିକେ ମହାନ୍ତି, ସିଏଚଏସଇର ଅଧ୍ୟକ୍ଷ ବି.ଏସ ପୁନିଆ, ଟେକ୍ନିକାଲ ଏଜୁକେସନ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ ଜି. ରେଘୁ । କମିଟିର ଆବାହକ ଭାବେ ଯୁଗ୍ମ ସଚିବ ଏ.କେ ନାୟକ ଦାୟିତ୍ୱ ତୁଲାଇବେ ।

ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କ ଇଂଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମ ନାମଲେଖାରେ ସଂରକ୍ଷଣ ନେଇ ରାଜ୍ୟ କ୍ୟାବିନେଟରେ ସଂକଳ୍ପ ଗୃହୀତ ହୋଇଛି । ଏହାପରେ ସଂରକ୍ଷଣର ରୂପରେଖ ନେଇ ଏକ ଉଚ୍ଚ କ୍ଷମତା ସଂପନ୍ନ କମିଟି ଗଠନ କରାଯାଇଛି । ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କେତେ ପ୍ରତିଶତ ରହିବ ସଂରକ୍ଷଣ ବ୍ୟବସ୍ଥା ? ଏଥିପାଇଁ ସରକାରୀ ସ୍କୁଲରେ ଅନ୍ୟୁନ କେତେ ବର୍ଷ ପାଠ ପଢ଼ିଥିବା ଦରକାର ? ସେମାନଙ୍କ ପରିବାରର ବାର୍ଷିକ ଆୟ କେତେ ହୋଇଥିବ ? ପ୍ରଚଳିତ କୋଟାରେ ସବ୍‌ କୋଟା ବ୍ୟବସ୍ଥା ରଖାଯିବ କି? ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ପାଇଁ ଏସବୁ ରହିଛି ଚ୍ୟାଲେଞ୍ଜ । କମିଟି ତିନି ମାସ ମଧ୍ୟରେ ରିପୋର୍ଟ ଦେବାକୁ ଥିବା ବେଳେ ବିଭିନ୍ନ ଦିଗକୁ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି । କମିଟିର ସୁପାରିଶକୁ ଆଗାମୀ ଶିକ୍ଷା ବର୍ଷରୁ ଲାଗୁ କରାଯିବ ।.

Leave A Reply

Your email address will not be published.