Below header

କୋଭିଡ ପରିଚାଳନା ନେଇ ହାଇକୋର୍ଟରେ ପିଆଇଏଲ: କୋଭିଡ ମୃତ୍ୟୁ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ହାଇକୋର୍ଟରେ କୋଭିଡ ପରିଚାଳନା ଓ ଟିକାକରଣ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ସରକାର ସତ୍ୟପାଠରେ ଦର୍ଶାଇଛନ୍ତି ଯେ, ଘରକୁ ଘର ଯାଇ ଟିକା ଦେବା ସମ୍ଭବ ନୁହେଁ। ଆଇନଜୀବୀ ସୋହନ ମିଶ୍ରଙ୍କ ପକ୍ଷରୁ ଆଗତ ମାମଲାରେ ସରକାର ଘରକୁ ଘର ବୁଲି ବୟସ୍କ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟିକାକରଣର ବ୍ୟବସ୍ଥା କରନ୍ତୁ ବୋଲି ଆବେଦନ କରାଯାଇଥିଲା। ସେହିଭଳି ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। କୋଭିଡ ଗାଇଡ଼ ଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି।ମାମଲାର ଶୁଣାଣି କରି ହାଇକୋର୍ଟ କୋଭିଡ ଜନିତ ମୃତ୍ୟୁ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ୨୦ ତାରିଖ ସୁଦ୍ଧା ଏନେଇ ସତ୍ୟପାଠ ଦାଖଲ  କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି।ସୂଚନାଯୋଗ୍ୟ ରାଜ୍ୟରେ କୋଭିଡ ଜନିତ ମୃତ୍ୟୁର ସ୍ଵତନ୍ତ୍ର ଅଡିଟ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ଆଇନଜୀବୀ ନିଶିକାନ୍ତ ମିଶ୍ର ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ରାଜ୍ୟରେ କୋଭିଡରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ମୃତକଙ୍କ ସ୍ବତନ୍ତ୍ର ଅଡିଟ କରିବା ପାଇଁ ଆବେଦନକାରୀ ହାଇକୋର୍ଟରେ ପ୍ରାର୍ଥନା କରିଥିଲେ। ନିଶିକାନ୍ତ ମିଶ୍ରଙ୍କ ଜନସ୍ୱାର୍ଥ ମାମଲାକୁ ଅଦାଲତ ଅଗ୍ରାହ୍ୟ କରିଦେଇଥିବା ବେଳେ ସେଥିରେ ଥିବା କୋଭିଡ ମୃତ୍ୟୁ ପ୍ରସଙ୍ଗକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରିଥିଲେ। ଏହି ପ୍ରସଙ୍ଗ ସୋହନ ମିଶ୍ରଙ୍କ ମାମଲା ସହ ମିଶାଇ ପରିଚାଳନା କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.