ଏଠାରେ ନେଟୱାର୍କ ନଥିବାରୁ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢ଼ା ଠପ୍, କିଏ ଗାଈ ଚରାଉଛି ତ କିଏ ବିଲକୁ ଯାଉଛି

ଅନୁଗୁଳ: ସଭିଏଁ ପଢିବା ସଭିଏଁ ବଢିବା। ଏ ଉକ୍ତିଟି ଶୁଣିବାକୁ ସତରେ ବହୁତ ଭଲ ଲାଗୁଛି । ନିଜ ଭିତରର ଆତ୍ମବିଶ୍ବାସ ଦ୍ବିଗୁଣିତ ହୋଇଯାଉଛି। ସତରେ ଶିକ୍ଷା ମଣିଷ ଜୀବନର ଏକ ଅଭିଚ୍ଛିନ୍ନ ଅଙ୍ଗ। ଯେଉଁଥିପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରୁଛନ୍ତି । କିନ୍ତୁ ସବୁଠାରେ ଆଉ ସବୁ କ୍ଷେତ୍ରରେ କଣ ଏହା କାର୍ଯ୍ଯକାରୀ ହୋଇପାରୁଛି। ଶିକ୍ଷାର ଉପଲବ୍ଧି କଣ ସବୁ ଛାତ୍ର ଛାତ୍ରୀ ପାଇପାରୁଛନ୍ତି?
ମହାମାରୀ କରୋନାର କରାଳ ରୂପ ଦୀର୍ଘ ୬ମାସ ହେଲା ଆମେ ସଭିଏଁ ଦେଖି ଆସୁଛେ । ଯେଉଁଥିପାଇଁ ଲକ୍ ଡାଉନ୍ ସଟ୍ ଡାଉନ୍ କଟକଣା ମଧ୍ଯ ଲାଗୁ ହୋଇଛି । ମାସ ମାସ ହେଲା ସ୍କୁଲ କଲେଜ ବନ୍ଦ ରହିଛି । ଫଳରେ ସରକାର ଅନଲାଇନରେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇବାର ବ୍ୟବସ୍ଥା କରିଛନ୍ତି । ତେବେ ଏହା କିଛି ଛାତ୍ରଛାତ୍ରୀଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଛି । ବିଶେଷ ଭାବେ ଅନୁଗୋଳ ଜିଲ୍ଲାର ସାତକୋଶିଆ ଅଭୟାରଣ୍ୟର ଏମିତି କିଛି ଗାଁ ଅଛି ଯେଉଁଠି ମୋବାଇଲରେ ସଠିକ୍ ଭାବେ ନେଟୱାର୍କ ଆସୁନଥିବାରୁ ପିଲାଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହେବା ସହ ପିଲେ ଗାଈ ଚରାଇବା ବ୍ଯତିତ ଚାଷ କରିବାକୁ ବିଲକୁ ଯାଉଥିବା ଦେଖିବାକୁ ମିଳିଛି।
ଗାଁରେ ନେଟୱାର୍କ ନଥିବାରୁ ଛାତ୍ର ଛାତ୍ରୀଙ୍କର ପାଠପଢ଼ାରେ ଖୁବ୍ ଅସୁବିଧା ସୃଷ୍ଟି ହେଉଛି। ଯାହାଫଳରେ ସାତକୋଶିଆ ଅଭୟାରଣ୍ୟର ହିଂଶ୍ରୀଡା ଅଂଚଳର ପିଲାମାନେ ପାଠ ବଦଳରେ ଗାଈ ଚରାଉଛନ୍ତି। ଆଉ କିଛି ପିଲା ରାସ୍ତା କଡରେ ମାଟି ବୋଝେଇ ନେଉଥିବାବେଳେ ଆଉ କିଛି ବିଲକୁ ମଧ୍ୟ ଚାଷ କାର୍ଯ୍ୟ କରିବାକୁ ଯାଉଛନ୍ତି।
ସେହିପରି ଆଉ କିଛି ସ୍ଥାନରେ ଟାଓ୍ୱାର ଥିଲେ ବି ସିଗନାଲ୍ ଆସୁନାହିଁ । ଇଣ୍ଟରନେଟର ସିଗ୍ନାଲ୍ ଖୁବ୍ କ୍ଷିଣ ଗତି କରୁଛି । ପୁଣି ଯେଉଁଠି ଟାଓାର ନାହିଁ ଉକ୍ତ ଅଞ୍ଚଳର ଛାତ୍ରଛାତ୍ରୀ ମାନଙ୍କ ଦୁର୍ଦ୍ଦଶା କଥା କହିଲେ ନ ସରେ। ଖରାରେ ଦୀର୍ଘ ସମୟ ଧରି ମୋବାଇଲ୍ ଫୋନକୁ ଏକ ବାଡିରେ ରଖି ନେଟଓ୍ୱର୍କକୁ ଅପେକ୍ଷା କରିରହୁଛନ୍ତି ଛାତ୍ରଛାତ୍ରୀ । ଯାହାଫଳରେ ଏଠାକାର ଛାତ୍ରଛାତ୍ରୀ ମାନଙ୍କର ପାଠପଢା ଏକ ଦମ ଠପ ହୋଇଯାଇଛି। ତେବେ ଏଥିପ୍ରତି ଜିଲ୍ଲାପ୍ରସାଶନ କୈଣସି ଦୃଷ୍ଟି ଦେଉନଥିବାରୁ ପିଲାମାନଙ୍କ ଭବିଷ୍ଯତ ଏକ ପ୍ରକାରର ଅନ୍ଧାର ଭିତରକୁ ଟାଣି ହୋଇଯାଥିବା କହିଲେ ଭୁଲ୍ ହେବନାହିଁ । ତେଣୁ ଏଦିଗରେ ତୁରନ୍ତ ପଦକ୍ଷପ ନେବା ଆବଶ୍ଯକ ହୋଇପଡିଛି ।