ସୁବ୍ରତ ବାଗଚିଙ୍କ ପ୍ରେସ୍‌ମିଟ୍‌ : କରୋନା ବିରୋଧରେ ଚାଲିଥିବା ଲଢ଼େଇରେ କୌଣସି ଅବହେଳାର ପ୍ରଶ୍ନ ଉଠୁ ନାହିଁ

ଭୁବନେଶ୍ୱର (କେନ୍ୟୁଜ୍‌) : କରୋନା ବିରୋଧରେ ଓଡ଼ିଶାର ଲଢ଼େଇ ଜାରି ରହିବ । ହେଳା କିମ୍ବା ଅବହେଳାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସାରା ବିଶ୍ୱରେ ଆଜି କରୋନାର ସ୍ଥିତି କଣ ରହିଛି ସେ ସମ୍ପର୍କରେ ସୂଚନା ଦେବା ସହିତ ଓଡ଼ିଶାରେ ଗତକାଲି ୧୨ଟି ନମୂନା ପରୀକ୍ଷା ପାଇଁ ପଠା ଯାଇଥିଲା ଏବଂ ସବୁଗୁଡ଼ିକ ନେଗେଟିଭ ଆସିଛି ବୋଲି କହିଛନ୍ତି । ଆଜି ଆଉ ୬ଟି ନମୂନ ପଠାଯାଇଛି ।

ଆହୁରି ମଧ୍ୟ ୧୦୪ ନମ୍ବର ହେଲପ ଲାନ୍‌କୁ ୫୨୦୦ ଫୋନ୍‌ ଆସିଛି । ଯାହା ପୂର୍ବ ସମୟ ତୁଳନାରେ ୧୦ ଗୁଣ ଅଧିକ ବୋଲି ସେ ସୂଚନା ଦେଇଛନ୍ତି । ଲୋକେ କରୋନାକୁ ନେଇ ସଚେତନ ହୋଇଥିବାରୁ ଏତେ ସଂଖ୍ୟାରେ ଫୋନ୍‌ ଆସୁଛି । ପ୍ରତି ଘଣ୍ଟାରେ ପୋର୍ଟାଲକୁ ୮୦ଟି ରେଜିଷ୍ଟ୍ରେସନ୍‌ ଆସୁଛି । ଆଜି ଅପରାହ୍ନ ୨ଟା ସୁଦ୍ଧା୨୧୩୧ ଜଣ ରେଜିଷ୍ଟ୍ରେସନ୍‌ କରିଛନ୍ତି। ବିଦେଶାରୁ ଆସିଥିବା ଲୋକମାନେ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ୍‌ କରିବାକୁ ସରକାରଙ୍କ ତରଫରୁ କୁହାଯାଇଥିଲା । ଏମାନେ ସମସ୍ତେ ବିଦେଶରୁ ଆସିଛନ୍ତି । ସର୍ବାଧିକ ଆସିଛନ୍ତି ସାଉଦି ଆରବରୁ । ଚୀନ୍‌ରୁ କେହି ଆସି ନାହାନ୍ତି । ଦକ୍ଷିଣ କୋରିଆ ଏବଂ ଏବଂ ଫ୍ରାନ୍ସରୁ ୧ ପ୍ରତିଶତ ଲୋକ ଆସିଛନ୍ତି । ମୋଟ୍‌ ୮୦ଟି ଦେଶରୁ ଓଡ଼ିଶାକୁ ଲୋକ ଆସିଛନ୍ତି । ଏଥିରେ ୨୯ଟି ଜିଲ୍ଲାର ଲୋକ ରହିଥିବା ବେଳେ ମାଲକାନଗିରିର କେହି ନାହାନ୍ତି । ଭୁବନେଶ୍ୱର ଓ ଖୋର୍ଦ୍ଧାରେ ସର୍ବାଧିକ । କରୋନା ପାଇଁ ଆମକୁ ୧୫୫ ଦିନ ଧରି ଲଢ଼େଇ କରିବାକୁ ପଡ଼ିବ ବୋଲି ବାଗଚି କହିଛନ୍ତି ।

କେମିତି ଅଛନ୍ତି ଓଡ଼ିଶା କରୋନା ପଜେଟିଭ

ଓଡ଼ିଶା କରୋନା ପଜେଟିଭ୍‌ ସୁସ୍ଥ ଅଛନ୍ତି । କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଥିବା ଏହି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁଛି । ସେ ଆଜି ରୁଟି ଓ ଡାଲମା ଖାଇଛନ୍ତି ବୋଲି ବାଗଚି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଜଗନ୍ନାଥଙ୍କ ଉଦାହରଣ ଦେଲେ

ସବୁ ଜିଲ୍ଲା ମୁଖ୍ୟ ହସପିଟାଲରେ କରୋନା ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏହା ସହିତ କରୋନା ଭାଇରସ୍‌କୁ କିଭଳି ଭାବେ ସଂକ୍ରମଣରୁ ରୋକି ହେବ ସେ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅନ୍ୟ ବରିଷ୍ଠ ସରକାରୀ ଅଧିକାରୀମାନେ । ବାଗଚି ଉଦରାହରଣ ଦେଇ କହିଥିଲେ ଯେ ଯେତେବେଳେ ମହାସ୍ନାନ ପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଅସୁସ୍ଥ ହୁଅନ୍ତି, ୧୪ ଦିନ ପାଇଁ ଅଣସର ଘରେ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୁଅନ୍ତି । ଠିକ୍‌ ସେହିଭଳି କରୋନା ଭାଇରସ୍‌ ପାଇଁ ମଧ୍ୟ ରୋଗୀକୁ ୧୪ ଦିନ ଆଇସୋଲେସନ୍‌ ବା ସମ୍ପୂର୍ଣ୍ଣ ଅଲଗା ଭାବେ ରହିବାକୁ ପରାମର୍ଶ ଦିଆଯାଇଛି ।

କିଏ ମାସ୍କ ପିନ୍ଧିବା କଥା

ଏବେ ସମସ୍ତେ ମାସ୍କ ପିନ୍ଧିବା ପାଇଁ ତତ୍ପର ହେଉଛନ୍ତି । ଯାହାଫଳରେ ରାଜ୍ୟ ତଥା ଦେଶରେ ମାସ୍କ ମିଳୁନାହିଁ ଓ ଏହାର କଳାବଜାରୀ ମଧ୍ୟ ହେଉଛି । ତେବେ ସୁବ୍ରତ ବାଗଚି ଏ ସମ୍ପର୍କରେ ମଧ୍ୟ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି । ଦୁଇଟି ବର୍ଗର ଲୋକେ ମାସ୍କ ପିନ୍ଧନ୍ତୁ । ସଂକ୍ରମଣର ସମ୍ଭାବନା ଥିବା ବ୍ୟକ୍ତି ଏବଂ ସ୍ୱାସ୍ଥ୍ୟକର୍ମୀ ହିଁ ଏହାକୁ ପିନ୍ଧିବା ଦରକାର । ଅନ୍ୟ କୌଣସି ଲୋକ ଅଯଥାରେ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ ବୋଲି ବାଗଚି କହିଛନ୍ତି ।

ସାନିଟାଇଜର ପାଇଁ ଦୋକାନ ଦୌଡ଼ନ୍ତୁ ନାହିଁ

ସାନିଟାଇଜର ପାଇଁ ଦୋକାନ ନଦୌଡ଼ି ସାବୁନ ଦ୍ୱାରା ମଧ୍ୟ ହାତ ଧୋଇ ପାରିବେ ବୋଲି ସେ କହିଛନ୍ତି । ସାବୁନ ଦ୍ୱାର ଭଲ ଭାବେ ୨୦ ସେକେଣ୍ଡ ଯାଏ ହାତ ଧୋଇଲେ ଭାଇରସ୍‌ ରହିବ ନାହିଁ । ତେଣୁ ସାନିଟାଇଜର ପାଇ୍ୟ ଅଧିକ ବ୍ୟଗ୍ର ହେବ ଦରକାର ନାହିଁ ବୋଲି ବାଗଚି କହିଛନ୍ତି ।

ଧାର୍ମିକ ସ୍ଥଳ ପାଇଁ ଗାଇଡ୍‌ ଲାଇନ୍‌

ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳ ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ କରିଛନ୍ତି । ସେ ମନ୍ଦିର ହେଉ କି ମସଜିଦ ଅବା ଚର୍ଚ୍ଚ, ଏଠାରେ କିଭଳି ଭାବେ ସେବାୟତ ଓ ଭକ୍ତଙ୍କୁ ସୁରକ୍ଷିତ ରଖି ହେବ ସେ ସମ୍ପର୍କରେ ଏହି ଗାଇଡ୍‌ ଲାଇନ୍‌ ପ୍ରସ୍ତୁତ ହୋଇଛି । ଏସବୁ ଜାଗାରେ କାମ କରୁଥିବା ଓ ସେଠାକୁ ଯାଉଥିବା ଲୋକଙ୍କୁ କିଭଳି ଭାଇରସ୍‌ ଆକ୍ରମଣ ନକରିବ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ସେମାନେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରି ଭକ୍ତଙ୍କୁ ପୀଠଗୁଡ଼ିକୁ ଛାଡ଼ିବେ କି ନାହିଁ ସଂପୃକ୍ତ ସଂସ୍ଥା ଉପରେ ନିଷ୍ପତ୍ତି ଛାଡ଼ି ଦିଆଯାଇଛି । ସେମାନେ ଯଦି ପାରିବେ ତେବେ ଲୋକଙ୍କୁ ଛାଡ଼ନ୍ତୁ ନଚେତ ବନ୍ଦ କରି ଦିଅନ୍ତୁ । ତେବେ ଧାର୍ମିକ ସ୍ଥଳଗୁଡ଼ିକରେ ଦୈନନ୍ଦିନ ରୀତିନୀତି ଜାରି ରହିବ । ସେବାୟତମାନେ ସୁରକ୍ଷିତ ରହି ନିଜ ଦାୟିତ୍ୱ ତୁଲାଇବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.