ଦିନେ ମେଡାଲ ଜିତି ରଖିଥିଲେ ଜିଲ୍ଲା ଓ ରାଜ୍ୟର ନାମ, ଆଜି ସହଯୋଗ ନ ମିଳିବାରୁ ଘରେ ବସିରହିଛନ୍ତି ଯତୀନ

ବାଂଶପାଳ (କେନ୍ୟୁଜ) : ମୋ ପ୍ରତିଭା କଣ ସେମିତି ମଉଳିଯିବ। ମୋ ଭିତରେ ଥିବା ପ୍ରତିଭାକୁ କଣ ମିଳିବନି ପ୍ରୋତ୍ସୋହନ। କିଛି ଏମିତି କହୁଛନ୍ତି ଜାତୀୟ ସ୍ତରରେ ମେଡାଲ ହାସଲ କରିଥିବା ଯତୀନ। ଘରର ଆର୍ଥିକ ପରିସ୍ଥିତି ଅନୁକୂଳ ନଥିବାରୁ ପ୍ରଥମ ଶ୍ରେଣୀରୁ ବାପା ଘରୁ ଦୂରରେ ଥିବା ସେବାଶ୍ରମ ବିଦ୍ୟାଳୟରେ ଛାଡିଦେଲେ, ସ୍କୁଲରେ ଖେଳ ଶିକ୍ଷକଙ୍କ ମାର୍ଶାଲ ଆର୍ଟ ଅଭ୍ୟାସ ଦେଖି ଦେଖି ଟାଇକୋଣ୍ଡ ପ୍ରେମରେ ପଡିଯାଇଥିଲେ । ଛାତ୍ରର ଆଗ୍ରହ ଦେଖି ଖେଳ ଶିକ୍ଷକ ତାଙ୍କୁ ଟାଇକୋଣ୍ଡ ତାଲିମ ଦେଲେ । ଅଷ୍ଟମ ଶେଣୀରେ ଜାତୀୟ ସ୍ତରରେ ବ୍ରୋଞ୍ଚ ମେଡାଲ ପାଇ ରାଜ୍ୟ ତଥା ଜିଲ୍ଲାର ନାଁ ରଖିଲେ, କିନ୍ତୁ ତା ପରେ ନା ମିଳୁଛି ପ୍ରୋତ୍ସାହନ ନା ମିଳୁଛି ଉନ୍ନତ ତାଲିମ ବ୍ୟବସ୍ଥା । ବଣ ମଲ୍ଲୀ ଯେମିତି ବଣରେ ଫୁଟି ମଉଳି ଯାଏ। ସେମିତି ହିଁ ପ୍ରତିଭା ଥାଇ ମଧ୍ୟ ନିଜ ପ୍ରତିଭାକୁ ପରିପ୍ରକାଶ କରିପାରୁନାହାଁନ୍ତି ଯତୀନ।

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ କାଦକଳା ପଞ୍ଚାୟତ ଅଣ୍ଡିଆମରା ଗାଁର ସୁରେଶ ମୁଣ୍ଡା ଓ ସୁର ମୁଣ୍ଡାଙ୍କ ମଝିଆ ପୁଅ ଯତୀନ ମୁଣ୍ଡା । ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ପ୍ରଥମ ଶ୍ରେଣୀରେ ପଢିଲା ବେଳକୁ ବାପା ନେଇ ଯୋଡ଼ା ବ୍ଲକର ବଳଦା ସେବାଶ୍ରାମରେ ନାଁ ଲେଖାଇଥିଲେ । ପୁଅ ସେଠି ରହି ଖାଇ ପିଇ ପାଠ ଦୁଇ ଅକ୍ଷର ପଢ଼ିବ ବୋଲି ବାପା ମାଙ୍କ ଆଶା ରହିଥିଲା । ସେଠି ଖେଳ ଶିକ୍ଷକ ଜିତେନ ଓରାମଙ୍କ ଟାଇକୋଣ୍ଡୋ ଅଭ୍ୟାସ ଦେଖି ଟାଇକୋଣ୍ଡୋ ପ୍ରେମରେ ପଡିଯାଇଥିଲେ ଯତୀନ ।

ଶିକ୍ଷକଙ୍କୁ ଦେଖି ଟାଇକୋଣ୍ଡର ମୁଭ ଗୁଡିକୁ ଅବିକଳ ନକଲ କରୁଥିଲା ବେଳେ ଶିକ୍ଷକ ଜିତେନ୍ ଓରାମଙ୍କ ନଜରକୁ ଆସିଥିଲେ ଯତୀନ । ସେଇଠୁ ଆରମ୍ଭ ହୋଇଥିଲା ଯତୀନଙ୍କ ଟାଇକୋଣ୍ଡ ଯାତ୍ରା । ଯତୀନଙ୍କ ଆଗ୍ରହ ଦେଖି ଭଲ ଭାବେ ତାଲିମ ଦେଇଥିଲେ ଶିକ୍ଷକ ଏବଂ ୩ୟ ଶ୍ରେଣୀରେ ପଢିବା ବେଳକୁ ଜୁନିୟର ବର୍ଗରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଗୋଲଡ଼ ମେଡାଲ ପାଇଥିଲେ ଯତୀନ।

ବାସ ସେହି ଠାରୁ ଆଗ୍ରହ ବଢିବା ସହିତ ତାଲିମର ସମୟ ମଧ୍ୟ ବଢିଥିଲା । ଯତୀନଙ୍କ କଠିନ ପରିଶ୍ରମ କୋଚ ଜିତେନ ଓରାମଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯତୀନ ଉତ୍ତରାଖଣ୍ଡ ସ୍ପୋର୍ଟ୍ସ ଟାଇକୋଣ୍ଡୋ ଆସୋସିଏସନ ଦ୍ୱାରା ଡେରାଡୁନରେ ଆୟୋଜିତ ୧୫ ରୁ ୧୭ ବର୍ଷ ବର୍ଗରେ ୧୨ତମ ଜାତୀୟ ଟାଇକୋଣ୍ଡୋ ଚାମ୍ପିୟନସିପ ୨୦୨୧ରେ ଭାଗ ନେଇଥିଲେ । ସେଠି ଉନ୍ନତ ଖେଳ ପ୍ରଦର୍ଶନ କରି ବ୍ରୋଞ୍ଚ ପଦକ ହାତେଇବାରେ ସକ୍ଷମ ହୋଇଥିଲେ ଆଉ ରାଜ୍ୟ ତଥା ଜିଲ୍ଲାର ନାଁ ରଖିଲେ ।

କିନ୍ତୁ ଏବେ ସେ ରହୁଛନ୍ତି ଗାଁରେ। ଅଖ୍ୟାତ ପଲ୍ଲୀ ଅଣ୍ଡିଆମରା ଗାଁରେ ପ୍ରଶିକ୍ଷଣ ପାଇଁ କୌଣସି ସାଧନ ନାହିଁ, ତେଣୁ ପ୍ରକୃତି କୋଳରେ ବସି ଯୋଗ କରିବା ସହିତ ଟାଇକୋଣ୍ଡୋର ଭିଭିନ୍ନ ମୁଭକୁ ଅଭ୍ୟାସ କରୁଛନ୍ତି । ଆଶା ରଖିଛନ୍ତି ଆଗକୁ ବଢିବେ ଆଉ ଦେଶର ନାଁ ରଖିବେ, ହେଲେ ତାଙ୍କର ସବୁ ସ୍ୱପ୍ନ, ସ୍ୱପ୍ନ ହୋଇ ରହିଯାଇଛି, ନା ମିଳୁଛି କୌଣସି ସରକାରୀ ପ୍ରୋତ୍ସାହନ ନା ଭଲ ସ୍ଥାନରେ ତାଲିମ ନେବା ପାଇଁ କୌଣସି ସୁଯୋଗ । ଯତୀନ କହନ୍ତି ଅର୍ଥର ଅଭାବ ଥିବା ବେଳେ କୋଚ ଜିତେନ୍ ଓରାମ ଓ ତ୍ରିବେଣୀ ଅର୍ଥ ମୁଭର କମ୍ପାନୀର ପାର୍ଥ ସାର ତାଙ୍କୁ ଡ୍ରେସ ଜୋତା ଠାରୁ ଆରମ୍ଭ କରି ଡେରାଡୁନ ଯିବା ପର୍ଯ୍ୟନ୍ତ ସାହାଯ୍ୟ କରିଥିଲେ, ଯାହା ଫଳରେ ସେ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିଥିଲେ, କିନ୍ତୁ ଏବେ ପର୍ଯ୍ୟନ୍ତ ସରକାରୀ ସ୍ତରରୁ କୌଣସି ସାହାଯ୍ୟ ଓ ସହାୟତା ଟାଇକୋଣ୍ଡ ପାଇଁ ମିଳି ପାରିନାହିଁ । ତେବେ ଯତୀନଙ୍କ ମା ଓ ଭାଇ କୁହନ୍ତି ଏତେ ପ୍ରତିକୂଳ ପରିସ୍ଥିତିରେ ଯତୀନ ଭଲ ଖେଳୁଛି, ସରକାର ଯଦି ଦୃଷ୍ଟି ଦିଅନ୍ତେ ତେବେ ଯତୀନ ନିଶ୍ଚିତ ଭାବେ ରାଜ୍ୟ ସମେତ ଦେଶର ନାଁ ରଖିପାରନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.