ଛାତ୍ରଛାତ୍ରୀଙ୍କ ପାଇଁ ଘରେ ଥାଇ ପଢିବାର ସୁଯୋଗ ସୃଷ୍ଟି କଲା କିସ୍, ଆରମ୍ଭ ହେଲା ଟେଲି ଇ-ଲର୍ଣ୍ଣିଂ କ୍ଲାସ୍

କେନ୍ୟୁଜ୍(ବ୍ୟୁରୋ):  କରୋନା ପାଇଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ । କିସ୍‌ର ୩୦ ହଜାର ପିଲା ଏବେ ସେମାନଙ୍କ ନିଜ ନିଜ ଗାଁରେ । ଛାତ୍ରଛାତ୍ରୀଙ୍କ ଶିକ୍ଷା ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ କିସ୍ କର୍ତ୍ତୃପକ୍ଷଙ୍କୁ କହିଥିଲେ । ତେଣୁ ସେମାନଙ୍କ ପାଖରେ ଶିକ୍ଷା ପହଞ୍ଚାଇବା ପାଇଁ ହ୍ଵାଟ୍‌ସ ଆପ ଓ ଅନ୍ ଲାଇନ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। କିସ୍ କର୍ତ୍ତୃପକ୍ଷ ନିରନ୍ତର ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି । ଏବେ ପୁଣି ଏକ ଅଭିନବ ଢଙ୍ଗରେ କିସ୍ ଛାତ୍ରଛାତ୍ରୀ ଘରେ ଥାଇ ପଢିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । କିସ୍ ଅନୁଷ୍ଠାନ ଏବେ କଳିଙ୍ଗ ଟିଭି ସହାୟତାରେ ଆରମ୍ଭ କରିଛି ଟେଲି ଇ-ଲର୍ଣ୍ଣିଂ କ୍ଲାସ୍ ।

କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ ସୋସିଆଲ ସାଇନ୍ସ ବା  କିସ୍ ଉଦ୍ୟମରେ ଓ କଳିଙ୍ଗ ଟିଭି ପ୍ରୟାସରେ କିସ୍ ଇ ଲର୍ଣ୍ଣିଂ  କାର୍ଯ୍ୟକ୍ରମ କିସ୍ ପରିସରରେ ଉଦ୍‌ଘାଟିତ ହୋଇଛି। କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। କହିଥିଲେ, ଶ୍ରେଣୀଗୃହ ଶିକ୍ଷାଦାନ ପଦ୍ଧତିର ପ୍ରକୃତ ପଦ୍ଧତି। ଏବେ କରୋନା ମହାମାରୀ ପାଇଁ ସ୍କୁଲ କଲେଜ ବନ୍ଦ। ଆବଶ୍ୟକ ନଥିଲେ ଘରୁ କେହି ବାହାରୁ ନାହାନ୍ତି। ଏଥିପାଇଁ କିଟ ଓ କିସ୍ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

କିସ୍ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବା ସହ ସେମାନଙ୍କ ପାଠପଢାରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ କିସ୍ କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା କରିଛନ୍ତି। କିସ୍‌ର ଶିକ୍ଷୟିତ୍ରୀ ଓ କର୍ମଚାରୀ ସମସ୍ତେ କିସ୍ ଛାତ୍ରଛାତ୍ରୀଙ୍କ ସହ ଯୋଗାଯୋଗରେ ରହି ଅଛନ୍ତି। କିସ୍ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଘରେ ପାଠ୍ୟ ପୁସ୍ତକ ଓ ଶୁଖିଲା ଖାଦ୍ୟ ପହଞ୍ଚାଇ ଦିଆଯାଇଛି। ସେମାନେ ଘରେ ଥାଇ ଯେପରି ପାଠ ପଢି ପାରିବେ ସେଥିପାଇଁ, ଏବେ କଳିଙ୍ଗ ଟିଭି ପ୍ରୟାସ କ୍ରମେ କିସ୍ ପକ୍ଷରୁ ଇଲର୍ଣ୍ଣିଂ କ୍ଲାସ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଇ-ଲର୍ଣ୍ଣିଂ କ୍ଲାସ କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନ ୧୦.୩୦ମିନିଟ୍‌ରେ କଳିଙ୍ଗ ଟିଭିରେ ଅଧଘଣ୍ଟ ଲେଖାଏ ଶିକ୍ଷାଦାନର ପ୍ରସାରଣ କରାଯିବ। ଘରେ ବସି ଏହାର ସୁଯୋଗ ନେବା ପାଇଁ ଆଜି ଡ.ସାମନ୍ତ କିସ୍ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଶିକ୍ଷାଦାନକୁ ପିଲାଙ୍କ ଘରେ ପହଞ୍ଚାଇବା ଦେବା ପାଇଁ ଏହା ହେଉଛି କିସ୍‌ର ପ୍ରଥମ ପ୍ରୟାସ ବୋଲି ଡ.ସାମନ୍ତ କହିଥିଲେ। ଏହି ଇ-ଲର୍ଣ୍ଣିଂ କ୍ଲାସ ମାଧ୍ୟମରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀ ବିଶେଷ ଉପକୃତ ହୋଇ ପାରିବେ।

 

ଶିକ୍ଷାନୁଷ୍ଠାନ ବନ୍ଦ ହେବା ପରଠାରୁ କିସ୍‌ର ୩୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ନିଜନିଜ ଗାଁରେ ଅଛନ୍ତି। ସେମାନଙ୍କୁ ହ୍ଵାଟ୍‌ସ ଆପ୍ ଓ ଅନ୍ ଲାଇନ୍‌ରେ ଶିକ୍ଷାଦାନ କରାଯାଉଛି। ଏବେ ଟେଲି ଇ ଲର୍ଣ୍ଣିଂ କ୍ଲାସ ସେମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଆସନ୍ତା ସୋମବାରଠାରୁ କଳିଙ୍ଗ ଟିଭିରେ ପ୍ରତିଦିନ ଏହି କାର୍ଯ୍ୟକ୍ରମର ପ୍ରସାରଣ କରାଯିବ।

ଏହି କାର୍ଯ୍ୟକ୍ରମ କ୍ରମ ଦ୍ୱାରା କେବଳ କିସ୍ ଛାତ୍ରଛାତ୍ରୀ ନୁହନ୍ତି ସମଗ୍ର ଓଡ଼ିଶାର ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ। ଓଡ଼ିଶାର ବିଭିନ୍ନ ଓଡ଼ିଆ ମାଧ୍ୟମ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନେ ଏହି ସୁଯୋଗର ସଦ୍‌ଉପଯୋଗ କରି ପାରିବେ। ଆଜିର ଉଦଘାଟନୀ ଉତ୍ସବରେ ଅବସରରେ ଉପସ୍ଥିତ ଥିଲେ କିଟ୍ ଓ କିସ୍ ସମ୍ପାଦକ ଆର .ଏନ୍ ଦାସ , କିସ  ସିଇଓ ପି.କେ ରାଉତରାୟ , କଳିଙ୍ଗ ଟିଭି ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ହିମାଂଶୁ ଖଟୁଆ। ଏହାସହ କିସର ସମସ୍ତ ଷ୍ଟାଫ ଓ ଶିକ୍ଷକ ଶିକ୍ଷୟତ୍ରୀ ।

Leave A Reply

Your email address will not be published.