Below header

ଆଳୁ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ସନ୍ଦେହ : ପୋଲିସ୍ ଗୋଡ଼ାଇବାରୁ ଘଟିଲା ଦୁର୍ଘଟଣା, ୨ ଜଣ ଫେରାର ଅନ୍ୟ ୨ ଜଣ ଗିରଫ

ବାଲିଗୁଡ଼ା (କେ ନ୍ୟୁଜ୍‌) : ପୋଲିସକୁ ଦେଖି ଖସିଯିବା ଉଦ୍ୟମ ମହଙ୍ଗା ପଡ଼ିଲା । ଗାଡି ଏତେ ଜୋର୍‌ରେ ଚଳାଇଲେ ଯେ ନିୟନ୍ତ୍ରଣ ହରାଇ ଏହା ଦୁର୍ଘଟଣା ଗ୍ରସ୍ତ ହେଲା । ଆଉ ଫସିଗଲେ ଦୁଇ ଜଣ ଓ ଅନ୍ୟ ଦୁଇ ଜଣ ଫେରାର ହୋଇଗଲେ ।
ଗତକାଲି ରାତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଏକ ଆଳୁ ବୋଝେଇ ଗାଡ଼ିରେ ଗଂଜେଇ ଚୋରା ଚାଲାଣ ହେଉଥିବା ସୂଚନା ମିଳିଥିଲା । ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରିଥିଲା । ତେବେ ବାଲିଗୁଡାରେ ଏକ ବୋଲେରୋ ପିକ୍‌ଅପ ଗାଡି ଦ୍ରୁତ ଗତିରେ ପଳାଇବାକୁ ଉଦ୍ୟମ କରିଥିଲା ବେଳେ ପୋଲିସ ଏହାକୁ ଅଟକାଇଥିଲା । ଗାଡ଼ିଟି ନ ଅଟକିବାରୁ ପୋଲିସ ଗାଡ଼ିର ପିଛା କରିଥିଲା ।

ପୋଲିସ୍ ଭୟରେ ଗାଡିଟି ତାର ବେଗ ବଢ଼ାଇ ଦ୍ରୁତ ଗତିରେ ଯାଉଥିଲା । ବାଲିଗୁଡାରୁ ପ୍ରାୟ ପନ୍ଦର କିମି ପରେ ଶୀର୍ତ୍ତିଗୁଡା ଗାଁ ନିକଟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ବାଲିଗୁଡା ଏସ୍‌ଡିପିଓଙ୍କ ମିଳିତ ଟିମ ଘଟଣା ସ୍ଥଳରୁ ଖସି ପଳାଉଥିବା ବେଳେ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇଛି । ଅନ୍ୟ ଦୁଇ ଜଣ ଚମ୍ପଟ ମାରିଛନ୍ତି । ତେବେ ଏହି ଆଳୁ ବୋଝେଇ ଗାଡ଼ିରେ ଗଂଜେଇ ଚୋରା ଚାଲାଣ କରାଯାଉଥିବାର ସନ୍ଦେହ କରାଯାଉଛି । ତଦନ୍ତ ପରେ ପୋଲିସ୍ ଏ ସମ୍ପର୍କରେ ସ୍ପଷ୍ଟ କରିବ ବୋଲି କହିଛି । ତିନି ଦିନ ତଳେ ମଧ୍ୟ ପୋଲିସ୍ ବାଲିଗୁଡ଼ା ଅଞ୍ଚଳରୁ ତିନି କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.