ଭୁବନେଶ୍ୱରରୁ ଆଜି ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୨୨ ଛୁଇଁଲା ମୋଟ ସଂଖ୍ୟା

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ  ବା ବିଏମସି ଅଞ୍ଚଳରୁ ଆଉ ୧୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ । ଚିହ୍ନଟଙ୍କ ମଧ୍ୟରୁ ୧୪ ଜଣ କ୍ଵରେଣ୍ଟୀନ ସେଣ୍ଟରର ହୋଇଥିବା ବେଳେ ୨ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାଯାଇଛି । ଏହି ୧୪ ଜଣଙ୍କର ବାହାର ରାଜ୍ୟରେ ଟ୍ରାଭେଲ ହିଷ୍ଟ୍ରୀ ବି ରହିଛି | ରାଜ୍ୟ ବାହାରୁ ଫେରନ୍ତାଙ୍କ ମଧ୍ୟରୁ ପଟିଆ ଶ୍ରୀବିହାର ଅଂଚଳର ଗୋଟିଏ ପରିବାରର ତିନି ଜଣ, ଜୟଦେବ ବିହାରର ଗୋଟିଏ ପରିବାରରୁ ଦୁଇ ଓ ୟୁନିଟ୍‌ ଚାରି ଜଣ ଅଛନ୍ତି । ଯେବେକି ‌ଶାସ୍ତ୍ରୀ ନଗରରୁ ଗୋଟିଏ ପରିବରର ଦୁଇ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେହିପରି ଡୁମଡୁମା, କଳିଙ୍ଗ ବିହାର, ସତ୍ୟନଗର, ନୟାପଲ୍ଲୀ ସବର ସାହି, ରସୁଲଗଡ଼ ନେତାଜୀ ବିହାର, ଯଦୁପୁର ଓ ୟୁନିଟ୍‌ ଥ୍ରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ପଳାଶୁଣୀ କପିଳେଶ୍ୱର ବିହାରରୁ ଚିହ୍ନଟ ସଂକ୍ରମିତ ନିକଟରେ ଭଦ୍ରକରୁ ଫେରିଥିବା ଜଣାଯାଇଛି । ଏମାନଙ୍କ ବ୍ୟତୀତ ରାଜଧାନୀର ଏକ ଘରୋଇ ହସ୍ପିଟାଲ କର୍ମଚାରୀ ବି ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ୱରରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଅଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ବିଏମ୍‌ସିରେ ୧୨୨କୁ ବୃଦ୍ଧି ପାଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏମାନଙ୍କ ଭିତରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରି ଥିବା ବେଳେ ଏଯାବତ ମହାନଗରରେ ୫୮ଟି ଆକ୍ଟିଭ୍‌ କେସ୍‌ ରହିଛି । ଏଯାବତ ବିଏମସି ଅଞ୍ଚଳରେ ୩ ଜଣଙ୍କ ମୁଣ୍ଡ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.