ମୋହନା ପଞ୍ଚାୟତ ସମିତିର ପ୍ରଥମ ବୈଠକ, ଫୋକସ୍ ରେ ରହିଛି ରାଜସ୍ବ ଉପଖଣ୍ଡ ପ୍ରତିଷ୍ଠା

ମୋହନା (କେନ୍ୟୁଜ): ତ୍ରି ସ୍ତରୀୟ ନିର୍ବାଚନ ପରେ ଗଜପତି ଜିଲ୍ଲା ମୋହନା ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ମଙ୍ଗଳବାର ପ୍ରଥମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅଧକ୍ଷ ରଞ୍ଜୀବ ଶବରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଗଜପତି ଜିଲ୍ଲା ପରିଷଦ ଉପଧକ୍ଷା କୁନ୍ତଳା କୁମାରୀ ମଲ୍ଲିକ, ବ୍ଲକ ଉପଧକ୍ଷା ବାଲ୍ମୀନା ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ୱିନୀ ହାଂସଦା , ମୋହନା ଜୋନ୍ ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର କୁମାର ମଲ୍ଲିକ, ଚନ୍ଦ୍ରଗିରି ଜୋନ୍ ଜ଼ିଲ୍ଲା ପରିଷଦ ସଭ୍ୟ ସୁନୀଲ କୁମାର ବିଷୋୟୀ ଉପସ୍ଥିତ ଥିଲେ।

ଏଥିସହିତ ମୋହନା ବ୍ଲକର ୩୯ ଟି ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ/ ସଭ୍ୟା ଙ୍କ ସହ ମୋହନା ବ୍ଲକ ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଞ୍ଚଳ ରେ ପାନୀୟ ଜଳ ସମସ୍ୟା ରେ କିପରି ସୁଧାର ଆସିବ ଏବଂ ସୋଲାର ସିଷ୍ଟମ ରେ ପାନୀୟ ଜଳ ପ୍ରକଳ୍ପ ପାହାଡିଆ ଅଞ୍ଚଳ ରେ କାର୍ଯ୍ୟକାରୀ ହୋଇପାରିବ ସେ ସମ୍ପର୍କ ରେ ଆଲୋଚନା ହୋଇଥିଲା। ଏହା ସହ ପ୍ରସ୍ତାବିତ ହରଭଙ୍ଗୀ ମେଗା ପାନୀୟ ଜଳ ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହେବ ସେହି ସମ୍ପର୍କରେ ଉପସ୍ଥିତ ଥିବା ଅଧିକାରୀଙ୍କୁ ନିର୍ବାଚିତ ପ୍ରତିନିଧି ମାନେ ପ୍ରଶ୍ନ କରିଥିଲେ।

ପ୍ରକଳ୍ପ ର ବର୍ତ୍ତମାନ ସର୍ଭେ କାର୍ଯ୍ୟ ଚାଲୁରହିଥିବା ଜଣାପଡିଛି। ଏହା ସହ ପ୍ରତିନିଧି ମାନେ ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ସହ ଶିଶୁ ବିକାଶ ସମ୍ପର୍କ ରେ ଆଲୋଚନା କରିଥିଲେ। ଦୀର୍ଘ ଦିନରୁ ଦାବି ହୋଇଆସୁଥିବା ମୋହନା ଠାରେ କିଭଳି ଏକ ରାଜସ୍ବ ଉପଖଣ୍ଡ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ ଏବଂ ଏଥିନିମନ୍ତେ ଗ୍ରାମ ସ୍ତରରୁ ଲୋକଙ୍କ ସମର୍ଥନ ଆସିବ ସେଥିପ୍ରତି ଜନପ୍ରତିନିଧି ମାନେ ଚେଷ୍ଟା କରିବା ସହ ଯେକୌଣସି ପ୍ରକାରେ ମୋହନା କୁ ରାଜସ୍ବ ଉପଖଣ୍ଡ ମାନ୍ୟତା ପାଇଁ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ବୈଠକ ରେ ନିଷ୍ପତି ହୋଇଥିଲା। ଏହା ସହ ମୋହନା ବ୍ଲକ ବିକାଶ ପରିଷଦ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଉପଖଣ୍ଡ ମାନ୍ୟତା ସମ୍ପର୍କିତ ଏକ ଦାବିପତ୍ର ରେ ମୋହନା ପଞ୍ଚାୟତ ସମିତି ର ସମସ୍ତ ନିର୍ବାଚିତ ଜନପ୍ରତିନିଧି ସ୍ଵାକ୍ଷର କରିବା ସହ ଦାବି ପତ୍ର କୁ ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରେରଣ କରାଯାଇଥିଲା।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.