୧୮୦ ଟଙ୍କାର ଚପଲ ନେଇଗଲା ଚୋର…ତ ଅଦ୍ଭୁତ ଅଭିଯୋଗ ଧରି ଥାନାରେ ପହଞ୍ଚିଲେ ବ୍ୟକ୍ତି, ତଦନ୍ତରେ ଲାଗି ପଡ଼ିଛି ପୋଲିସ

ଆମ ଆଖପାଖରେ ଅନେକ ଘଟଣା, ଦୁର୍ଘଟଣା ଘଟୁଛି। ହତ୍ୟା, ଚୋରି, ଲୁଣ୍ଠନ ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବୁ, ତାହା ହୁଏତ ସହଜରେ ବିଶ୍ୱାସ ହୋଇ ନ ପାରେ। କୌଣସି ବି ଧାର୍ମିକ ସ୍ଥଳରୁ ଚପଲ ଚୋରି ହେବା କିମ୍ବା ହଜିଯିବା ଏକ ସାଧାରଣ କଥା। ଆଉ ଲୋକେ ମଧ୍ୟ ଏହାକୁ ହାଲୁକା ଭାବେ ଗ୍ରହଣ କରି ନୂଆ ଚପଲ କିଣନ୍ତି ଏବଂ ପୁରୁଣା ଚପଲକୁ ଭୁଲି ଯାଆନ୍ତି। କିନ୍ତୁ ମଧ୍ୟ ପ୍ରଦେଶର ଉଜ୍ଜୈନରେ ଚପଲ ଚୋରି ନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ଏମିତି ହିଁ ଏକ ଘଟଣା ଘଟିଛି। ଚପଲ ଚୋରି ହେବା ପରେ ଅଭିଯୋଗକାରୀ ତୁରନ୍ତ ଥାନାରେ ପହଞ୍ଚିଥିଲେ, ଆଉ ଅଦ୍ଭୁତ ପ୍ରକାରର ଅଭିଯୋଗ କରିଥିଲେ। ଆସନ୍ତୁ ଜାଣିବା…କ’ଣ ସେଥିରେ ଉଲ୍ଲେଖ ଥିଲା।

ଅଭିଯୋଗକାରୀ ରିପୋର୍ଟ ଫାଇଲ୍‌ କରିବାର ଉଦ୍ଦେଶ୍ୟ ପୋଲିସକୁ କହିଥିଲେ। ସେ ନିଜ ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରିଥିଲେ ଯେ ‘ଯଦି ଚୋର ଆଉ କେଉଁଠୁ ଚପଲ ଚୋରି କରି ସେହି ସ୍ଥାନରେ ତାଙ୍କ ଚୋରି ଚପଲକୁ ରଖିଦିଏ, ତ ଏଥିରେ ସେ ଫସି ଯାଇପାରନ୍ତି। ତେଣୁ ତାଙ୍କ ଅଭିଯୋଗକୁ ଗ୍ରହଣ କରାଯାଉ’। ଏବେ ଥାନା ଅଧିକାରୀ ଘଟଣାର ତଦନ୍ତ ପାଇଁ ପ୍ରଧାନ ଆରକ୍ଷକଙ୍କୁ ନିଯୁକ୍ତ କରିଛନ୍ତି।

ଚପଲ ଚୋରିର ଏହା ବୋଧେ ପ୍ରଥମ ମାମଲା ହେବ, ଯାହା ପୋଲିସ ନିକଟରେ ପହଞ୍ଚିଛି। ଉଜ୍ଜୈନ ଜିଲ୍ଲାର ତାରୋ ଗ୍ରାମର ଜିତେନ୍ଦ୍ର ବାଗରୀ ନାମକ ବ୍ୟକ୍ତି ଏ ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ ‘ମୋ ଘରୁ କେହି ମୋ ଚପଲଟିକୁ ଚୋରି କରି ନେଇଯାଇଛି। ଯଦି ଅଜ୍ଞାତ ଚୋର ଆଉ କେଉଁଠୁ ଚୋରି କରି ମୋ ଚପଲକୁ ସେଠାରେ ରଖିଦିଏ, ତ ମୁଁ ଫସି ଯାଇପାରେ। ଚୋର ଦ୍ୱାରା ଯଦି ମୋ ଚପଲକୁ ଅନୁଚିତ ଉପାୟରେ ଉପଯୋଗ କରାଯାଏ, ତ ମୁଁ ଏଥିପାଇଁ ଉତ୍ତରଦାୟୀ ରହିବି ନାହିଁ’। ଚୋରି ଚପଲ କଳା ରଙ୍ଗର ବୋଲି ଅଭିଯୋଗକାରୀ ଉଲ୍ଲେଖ କରିଛନ୍ତି।

ତେବେ ଅଭିଯୋଗ ପତ୍ରରେ ଚୋରି ହୋଇଥିବା ଚପଲ କମ୍ପାନୀର ନାମ ସହ ଦାମ୍‌ ୧୮୦ ଟଙ୍କା ବୋଲି କୁହାଯାଇଛି। ଅଭିଯୋଗ ମିଳିବା କ୍ଷଣି ଥାନା ଅଧିକାରୀ ଏ ନେଇ ପ୍ରଧାନ ଆରକ୍ଷକଙ୍କୁ ଘଟଣାର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.