ସରକାରୀ ରାସ୍ତାକୁ ନିଜର କହି ଖୋଳି ଦେଲେ ପୂର୍ବତନ ସରପଞ୍ଚ,ଯାତାୟାତରେ ଅସୁବିଧା ପରେ ଟାୟାର ଜାଳି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଗତକାଲି ରାତିରେ ସେ ଏହି ରାସ୍ତାକୁ ନିଜ ରାସ୍ତା ବୋଲି ଦାବି କରି ଜେସିବି ମେସିନ ଲଗାଇ ରାସ୍ତାକୁ ଖୋଳି ଦେଇଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି

ବାଲେଶ୍ବର(କେନ୍ୟୁଜ୍): ସରକାରୀ ରାସ୍ତାକୁ ନିଜର ଦାବି କରି ରାସ୍ତା ଖୋଳି ଦେଲେ ପୂର୍ବତନ ସରପଞ୍ଚ । ରାତି ଅଧରେ ଜେସିବି ଲଗାଇ ରାସ୍ତା ତାଡି ଦେଲେ । ଯାତାୟାତରେ ଅସୁବିଧା ହେବା ପରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ। ବାଲେଶ୍ୱର ଜିଲ୍ଲା ସିଂଲା ଥାନା ସାଉଡି ପଞ୍ଚାୟତର ମହାନ୍ତି ଛକ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ରାସ୍ତାରେ ପାଞ୍ଚଟି ପଞ୍ଚାୟତର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି। ୨୦୦୨ରେ ତତ୍କାଳୀନ ସରପଞ୍ଚ ନବୀନ ମହାନ୍ତି ସରକାରୀ ଅନୁଦାନରେ ପକ୍କା ରାସ୍ତା ନିର୍ମାଣ କରିଥିଲେ।

ଗତକାଲି ରାତିରେ ସେ ଏହି ରାସ୍ତାକୁ ନିଜ ରାସ୍ତା ବୋଲି ଦାବି କରି ଜେସିବି ମେସିନ ଲଗାଇ ରାସ୍ତାକୁ ଖୋଳି ଦେଇଛନ୍ତି। ଏହାକୁ ନେଇ ସେଠାରେ ଉତ୍ତେଜନା ଲାଗି ରହିଛି। ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ବେଳେ ସିଂଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିଛି। ପୂର୍ବତନ ସରପଞ୍ଚ ନବୀନ ମହାନ୍ତିଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।