ତୁର୍କୀରେ ଉଦ୍ଧାର ଅଭିଯାନ ପରେ ଭାରତ ଫେରିଲା NDRF ଟିମ୍; ରାମ୍ବୋ ଓ ହନିକୁ ମିଳିଲା ଏତେ ଭଲ ପାଇବା
ତୁର୍କୀରେ ଉଦ୍ଧାର ଅଭିଯାନ ସାରି ଭାରତ ଫେରଛି NDRF ଟିମ୍। ଶୁକ୍ରବାର ଗାଜିଆବାଦରେ ପହଞ୍ଚିବା ପରେ ଟିମ୍କୁ ଅଞ୍ଚଳବାସୀ ଢୋଲ ବାଜା ବଜାଇ ସ୍ୱାଗତ କରିଥିଲେ। ଟିମ୍ରେ ସାମିଲ ଥିଲେ ଦୁଇ ସନ୍ଧାନୀ କୁକୁର ରାମ୍ବୋ ଓ ହନି।
ତୁର୍କୀ ଏବଂ ସିରିୟାରେ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ୪୦ ହଜାର ଟପିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଭାରତ ‘ଅପରେସନ ଦୋସ୍ତ’ ଅଧୀନରେ ତୁର୍କୀ ଏବଂ ସିରିୟାକୁ ସହାୟତାର ହାତ ବଢ଼ାଇଛି। ଭାରତରୁ ତୁର୍କୀ ଯାଇଥିବା ୪୫ ସଦସ୍ୟ ବିଶିଷ୍ଟ ଏନ୍ଡିଆର୍ଏଫ୍ ଟିମ୍ ବହୁ ଲୋକଙ୍କର ଜୀବନ ରକ୍ଷା କରିଛନ୍ତି। ଟିମ୍ରେ ଥିବା ଦୁଇ ସନ୍ଧାନୀ କୁକୁର ମଧ୍ୟ ଉଦ୍ଧାର ଅଭିଯାନରେ ଚମତ୍କାର କାର୍ଯ୍ୟ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏନ୍ଡିଆର୍ଏଫ୍ର ସ୍ନିଫର ଡଗ୍ ରାମ୍ବୋ ଓ ହନି ଭୂମିକମ୍ପ ପ୍ରଭାବିତ ନୁର୍ଦଗୀରେ ଭଗ୍ନାବଶେଷରେ ଫସିଥିବା ଜଣେ ୬ ବର୍ଷର ବାଳିକାକୁ ରକ୍ଷା କରିଥିଲେ।
୮ମ ବାଟାଲିୟନ ଏନ୍ଡିଆର୍ଏଫ୍ ଟିମ୍ ଶୁକ୍ରବାର ଗାଜିଆବାଦ ଫେରି ଆସିଛନ୍ତି। ଟିମ୍ ସହିତ ଦୁଇ ସନ୍ଧାନୀ କୁକୁର ରହିଥିଲେ। ଯେତେବେଳେ ଅନ୍ୟ ଦୁଇ ର’ କୁକୁର ଜୁଲି ଓ ରୋମିଓ ଏବେ ମଧ୍ୟ ସେଠାରେ ଉଦ୍ଧାର କାର୍ଯ୍ୟରେ ଲାଗି ରହିଛନ୍ତି। ଗାଜିଆବାଦରେ ବ୍ୟାଣ୍ଡ୍, ବାଜା ସହିତ ମାଳା ପିନ୍ଧାଯାଇ ଏନ୍ଡିଆର୍ଏଫ୍ ଟିମ୍କୁ ସ୍ୱାଗତ କରାଯାଇଛି। ଟିମ୍ ପହଞ୍ଚିବା ପରେ ‘ଏନ୍ଡିଆର୍ଏଫ୍ କି ଜୟ’ ଏବଂ ‘ଭାରତ ମାତା କି ଜୟ’ ନାରା ଦିଆଯାଇଥିଲା।
ଏନ୍ଡିଆର୍ଏଫ୍ ଟିମ୍ ଭୂମିକମ୍ପ ପ୍ରଭାବିତ ଅଞ୍ଚଳରେ ୧୦ ଦିନ ପର୍ଯ୍ୟନ୍ତ ରେସ୍କ୍ୟୁ ଅପରେସନ ଜାରି ରଖି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଟିମ୍ ସେଠାକାର ଲୋକମାନଙ୍କର ବିଶ୍ୱାସ ଏବଂ ବନ୍ଧୁତା ଜିତି ନେଇଛି। କେବଳ ଏତିକି ନୁହେଁ, ତୁର୍କୀର ଅଦାନା ଏୟାରପୋର୍ଟରୁ ଯେତେବେଳେ ଟିମ୍ ଭାରତ ଫେରୁଥିଲା, ତ ସେତେବେଳେ ଲୋକେ କିଛି କ୍ଷଣ ପାଇଁ ଭାବୁକ ହୋଇଯାଇଥିଲେ। ସେଠାରେ ଉପସ୍ଥିତ ସମସ୍ତ ଲୋକ ତାଳି ମାରି ଏନ୍ଡିଆର୍ଏଫ୍ ଟିମ୍କୁ ଶୁଭେଚ୍ଛା ଜଣାଇଥିଲେ।