Below header

ସମ୍ବଲପୁର: ବିଦ୍ୟୁତ ଆଘାତରେ ପ୍ରାଣ ହରାଇଲା ଘରର ଏକ ମାତ୍ର ରୋଜଗାରିଆ ପୁଅ

ସମ୍ବଲପୁର: କୁଚିଣ୍ଡା ଉପଖଣ୍ଡ ବାମରା ବ୍ଲକ ଉଚ୍ଚକାପାଟ ପଞ୍ଚାୟତ ଟାଙ୍ଗରମୁଣ୍ଡା ଗାଁର ଜଣେ ଯୁବକ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣା ଅନୁସାରେ, ଟାଙ୍ଗରମୁଣ୍ଡା ଗାଁରେ ଲାଇନ ନଥିବା କାରଣରୁ, ସଂଧ୍ୟା ୬ଟା ବେଳେ ସ୍ଥାନୀୟ ଯୁବକ ମନୋରଞ୍ଜନ ସେଠ(୩୫) ନିଜ ସହିତ ନିକଟସ୍ଥ ୩ ଜଣ ଯୁବକଙ୍କୁ ନେଇ ଘରୁ ବାହାରିଥିଲେ । ଲାଇନ ସଜାଡ଼ିବା ଉଦ୍ଦେଶ୍ୟରେ ଏକ ସିଡ଼ି ନେଇ ଟାଙ୍ଗରମୁଣ୍ଡା (କାଟି ପଡ଼ା)କୁ ଯାଇଥିବା ୧୧ କେଭି ଲାଇନ ଟେପିଙ୍ଗ ପଏଣ୍ଟ ଆଡ଼କୁ ଯାଇଥିଲେ । ସେଠାରେ ୪ ଜଣଙ୍କ ମଧ୍ୟରୁ ମନୋରଞ୍ଜନ, ବିଦ୍ୟୁତ ପ୍ରବାହିତ ହେଉଥିବା ମେନଲାଇନକୁ ନ କାଟି ସିଧାସଳଖ ଖମ୍ବରେ ଚଢ଼ିଥିଲେ । ବିଦ୍ୟୁତ ଆଘାତ ଲାଗିବା ପରେ ଖମ୍ବ ଉପରୁ ତଳକୁ ଖସି ପଡ଼ି ଗୁରୁତର ଆହତ ହୋଇଥିଲେ ।

ମାତ୍ର ଅତି ପରିତାପର ବିଷୟ ଯେ, କୌଣସି କାରଣରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆ ଯାଇପାରି ନ ଥିଲା । ପରେ ପରିବାର ଲୋକେ ତାଙ୍କୁ ୧୦୮ ଯୋଗେ ନିକଟସ୍ଥ ବାମରା ଡାକ୍ତରଖାନାକୁ ନେଇଥିଲେ ହେଁ, ସେଠାରେ ମନୋରଂଜନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏନେଇ ଗୋବିନ୍ଦପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖିଛି ବୋଲି ତଦନ୍ତ ଅଧିକାରୀ ଥୋମାସ କେର୍କେଟା କହିଛନ୍ତି । ମୃତ ମନୋରଞ୍ଜନ ଘରର ଏକମାତ୍ର ରୋଜଗାରିଆ ଥିବା ବେଳେ, ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ସମ୍ପୂର୍ଣ ଭାଙ୍ଗି ପଡ଼ିଛନ୍ତି । ବର୍ତ୍ତମାନ ସ୍ତ୍ରୀ, ଝିଅ(୧୨) ,ପୁଅ(୧୦), ମା, ବାପା ରହିଛନ୍ତି । ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.