ଦିନକୁ ଦିନ ଭୁଶୁଡ଼ି ପଡୁଛି ଆଇନ ଶୃଙ୍ଖଳା, ନାହିଁ ନାହିଁରେ ଚାଲିଛି ପୋଲିସ ଫାଣ୍ଡି

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳରେ ରହିଛି କୁମୁଡା ଜୟପୁର ଫାଣ୍ଡି । ଏହି ଫାଣ୍ଡି ଉପରେ ମାହାଙ୍ଗା ବ୍ଲକର ୯ ଟି ଗ୍ରାମ ପଞ୍ଚାୟତର ୬0 ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ନିର୍ଭରଶୀଳ ।

କଟକ (କେନ୍ୟୁଜ): ଲୋକଙ୍କ ସୁରକ୍ଷା ପାଇଁ ପୋଲିସଙ୍କୁ ନିୟୋଜିତ କରାଯାଇଥାଏ । ରାତି ହେଲେ ଲୋକମାନେ ନିଶ୍ଚିନ୍ତରେ ଶୋଇଥାନ୍ତି । କାରଣ ସେମାନେ ଜାଣିଥାନ୍ତି ତାଙ୍କୁ ଜଗିବା ପାଇଁ ପୋଲିସ ରହିଛି । ଅନେକ ସ୍ଥାନରେ ପୋଲିସ ଥାନା ନଥିବାରୁ ଫାଣ୍ଡି କରାଯାଇଥାଏ । କିନ୍ତୁ ଫାଣ୍ଡିରେ ଯଦି ଆବଶ୍ୟକ ଅନୁସାରେ ପୋଲିସ ନ ରୁହନ୍ତି ତେବେ ସାଧାରଣ ଲୋକଙ୍କୁ ଜଗିବ କିଏ ? ଆମେ ଏପରି ଏକ ଫାଣ୍ଡି ବିଷୟରେ ଜଣାଉୁଛୁ ଯେଉଁଠାରେ ନା ଆବଶ୍ୟକ ଅନୁସାରେ ପୋଲିସ କର୍ମୀ ଅଛନ୍ତି ନା ପେଟ୍ରୋଲିଂ ପାଇଁ ୪ ଚକିଆ ଗାଡ଼ି ଅଛି । ନାହିଁ ନାହିଁରେ ଚାଲିଛି ପୋଲିସ ଫାଣ୍ଡି ।

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳରେ ରହିଛି କୁମୁଡା ଜୟପୁର ଫାଣ୍ଡି । ଏହି ଫାଣ୍ଡି ଉପରେ ମାହାଙ୍ଗା ବ୍ଲକର ୯ ଟି ଗ୍ରାମ ପଞ୍ଚାୟତର ୬0 ହଜାରରୁ ଉର୍ଦ୍ଧ୍ଵ ଜନସାଧାରଣ ନିର୍ଭରଶୀଳ । କିନ୍ତୁ ଆଶ୍ଚର୍ଯ୍ୟର କଥା ସରକାରୀ ସ୍ତରରେ ଗୁରୁତ୍ୱ ଦିଆ ନଯିବାରୁ ଏହି ଫାଣ୍ଡି ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି । ବଡ ଗେଙ୍ଗୁଟି ନଦୀର କୁମୁଡା ଜୟପୁର ବ୍ରିଜ ନିକଟରେ ଏକ ଅସ୍ଥାୟୀ ଗୃହରେ ଫାଣ୍ଡିଟି ଅବସ୍ଥିତ । ସ୍ଥାନୀୟ ମାହାଙ୍ଗା ତହସିଲ ପ୍ରଶାସନ ପକ୍ଷରୁ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଆବଶ୍ୟକ ଜମି ଯୋଗାଇ ଦିଆଯିବା ସତ୍ୱେ ଫାଣ୍ଡିର ନୂଆ ଘର ନିର୍ମାଣ ହୋଇପାରୁ ନାହିଁ । ଏହି ଫାଣ୍ଡିରେ ଆବଶ୍ୟକ ସଂଖ୍ୟକ ପୋଲିସ କର୍ମଚାରୀ ନାହାନ୍ତି ।

ଏଠାରେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହିତ ୪ ଜଣ କନେଷ୍ଟବଳ ପଦବୀ ଖାଲି ପଡିବା ଚର୍ଚ୍ଚା ହେଉଛି । ଏହି ଫାଣ୍ଡିରେ ଡ୍ରାଇଭର ପଦବୀ ପୂରଣ ହୋଇଥିଲେ ମଧ୍ୟ ଚାରି ଚକିଆ ଗାଡି ଖଣ୍ଡେ ନାହିଁ । ଆଇନ ଶୃଙ୍ଖଳା ରକ୍ଷା ସହ ଲୋକଙ୍କ ଧନ ଜୀବନର ସୁରକ୍ଷା ପାଇଁ ପୋଲିସକୁ ବାଇକ ଉପରେ ନିର୍ଭର କରିବାକୁ ପଡୁଛି । ଚୋରି, ଡକାୟତି,ମାରପିଟ, ପାରିବାରିକ ହିଂସା ଭଳି ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡୁଛି ।

କେବଳ କୁମୁଡା ଜୟପୁର ଫାଣ୍ଡି ଅଞ୍ଚଳର ଲୋକେ ସମସ୍ୟା ଘେରରେ ଅଛନ୍ତି ତାହା ନୁହେଁ ବରଂ ନୂଆକରି ଫାଣ୍ଡିରୁ ଥାନାର ମାନ୍ୟତା ପାଇଥିବା ଭଦ୍ରେଶ୍ୱର ଥାନାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ଏ ନେଇ ଆମେ କଟକ ଗ୍ରାମ ଅଞ୍ଚଳ ଏସପିଙ୍କୁ ପଚାରିବାରୁ ସେ କହିଥିଲେ ଯେ ଫାଣ୍ଡି ପାଇଁ ସରକାରଙ୍କ ତରଫରୁ କୌଣସି ଗାଡିର ବ୍ୟବସ୍ତା ନାହିଁ l ପୁରୁଣା ଗାଡି ମରାମତି ଚାଲିଛି ମରାମତି ସରିଲେ ଦିଆଯିବ ବୋଲି କହିଥିଲେ । ଅନ୍ୟପଟେ ଖାଲି ପଡ଼ିଥିବା ପଦବୀ ପାଇଁ ଖୁବ ଶୀଘ୍ର ନିଯୁକ୍ତି ଦିଆଯିବ ବୋଲି କହିଥିଲେ ।

ଏସପିଙ୍କ କହିବା ଅନୁସାରେ ଥାନା ଓ ଫାଣ୍ଡିର ସେପରି କିଛି ସମସ୍ୟା ନାହିଁ ଯଦି ବି କିଛି ସମସ୍ୟା ଥାଏ ତାହା ଖୁବଶୀଘ୍ର ସମାଧାନ କରାଯିବ ବୋଲି ଗ୍ରାମାଞ୍ଚଳ ଏସପି ନର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ତୁରନ୍ତ ବାଇକ୍ ପେଟ୍ରୋଲିଂ କରାଯିବା ପାଇଁ ଫାଣ୍ଡିକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ ଯେଉଁ ସମସ୍ୟା ଅଛି ଥାନା ଆଇ.ଆଇ.ସିଙ୍କ ସହ କଥାହେଇ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଏସପି କହିଛନ୍ତି । ଏସବୁ ସମସ୍ୟା ଭିତରେ ଛନ୍ଦି ହୋଇ ପଡ଼ିଥିବା ସାଧାରଣ ଜନତା ଚିନ୍ତାରେ ପଡ଼ିଥିବା ବେଳେ ସେମାନଙ୍କ ସମସ୍ୟା କେବେ ସମାଧାନ ହେଉଛି ତାହା ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.