ନନ୍ଦନକାନନରେ ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଅଶ୍ବିନୀ ଚୌବେ

ଭୁବନେଶ୍ବର(କେନ୍ୟୁଜ୍):ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବଜାତ ବାଘ ଛୁଆ ଓ ସିଂହ ଛୁଆର ନାମକରଣ କଲେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ । ମାର୍ଚ୍ଚରେ ଜନ୍ମଗ୍ରହଣ କରିଥିବା ବାଘ ଛୁଆର ନାମ ହିମାଂଶୀ ଓ ସିଂହଛୁଆର ନାମ କାମିନୀ ରଖିଛନ୍ତି । ସେହିଭଳି ଏହି ବାଘ ଛୁଆ ଓ ସିଂହ ଛୁଆକୁ ପାଳନ କରୁଥିବା ଜୁ କିପର ହେମନ୍ତ ଓ ପ୍ରଶାନ୍ତ ମା’ ଭଳି ପାଳନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରିବାକୁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ନନ୍ଦନକାନନ ପରିଦର୍ଶନ ପରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଚିଡ଼ିଆଖାନାକୁ ଭୁୟସୀ ପ୍ରଶଂସା କରିବା ସହ ଏହାକୁ ପଶୁଙ୍କ ସ୍ୱର୍ଗ ବୋଲି ଅଭିହିତ କରିଛନ୍ତି । ନନ୍ଦନକାନନ ପଶୁ ଚିକିତ୍ସାଳୟ ବୁଲି ଚିକିତ୍ସାଧୀନ ଚିତା ବାଘ ମଞ୍ଜୁକୁ ଦେଖିବା ସହ ଡାକ୍ତର ଓ ଚିଡ଼ିଆଖାନା ରକ୍ଷକଙ୍କର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ସେହିପରି ନନ୍ଦନକାନନ ପରିଦର୍ଶନ ବେଳେ ଶ୍ରୀ ଚୌବେ ବର୍ଷକର ସିଂହ ଛୁଆ ବର୍ଷାକୁ ଦେଖିବା ସହ ପାଙ୍ଗୋଲିନ ଟ୍ରେନିଂ ସେଣ୍ଟର ବୁଲି ଦେଖିଥିଲେ । ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଚୌବେ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡିଆଖାନା ଭାବେ ବିକାଶ ଲାଗି ଯାହା କିଛି ଆର୍ଥିକ ତଥା ମଞ୍ଜୁରିଗତ ସହାୟତା ଆବଶ୍ୟକ ଯୋଗାଇଦେବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.