Below header

ବିଚ୍ ରାସ୍ତାରେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଘଟଣା: ବାପାଙ୍କ ସହ ଥାନାରେ ପହଁଚିଲେ ପୀଡିତ

ଯାଜପୁର (କେନ୍ୟୁଜ): ଜଣେ ଛାତ୍ରଙ୍କୁ ଗୋଡ଼ାଇ ଗୋଡ଼ାଇ ଅନ୍ୟ କିଛି ଛାତ୍ର ପିଟୁଥିବାର ଭିଡିଓ ବର୍ତ୍ତମାନ ଭାଇରଲ ହେଉଛି । ଏନେଇ ଆଜି ପୀଡିତ ଛାତ୍ର ଓ ତାଙ୍କ ବାପା ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, ଏହି ଥାନା ବାଲିକୁଦା ଗ୍ରାମର ଅନିରୁଦ୍ଧ ଦଳାଇଙ୍କ ପୁଅ ରାଜା ଦଲାଇ ବରୀ ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟର ଯୁକ୍ତ ୨ ଶ୍ରେଣୀର ଛାତ୍ର। ତେବେ ଗତ ମାର୍ଚ୍ଚ ମାସ ୧୬ତାରିଖରେ କଲେଜରେ କିଛି ଛାତ୍ରଙ୍କ ସହ କୌଣସି କାରଣରୁ ରାଜାଙ୍କ ପାଟିତୁଣ୍ଡ ହୋଇଥିଲା।

କଲେଜରୁ ଫେରୁଥିବା ସମୟରେ ବାଲିଆ-ବାଲିକୁଦା ରାସ୍ତାର ବରପଦା ସହିଦ ଛକ ନିକଟରେ ବଣିଆରି ଗ୍ରାମର ଶିଶିର କୁମାର ମହାନ୍ତି, ଜଗା ସାମଲ, ବଳିଆ ସାମଲ, ଶିବୁନ ମହାନ୍ତି, ଦେବରାଜ ସାମଲ ପ୍ରମୁଖ ତାଙ୍କୁ ଅଟକାଇ ହାତରେ ଠେଙ୍ଗା ଓ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ। ରାଜା ନିଜ ଜୀବନକୁ ବଞ୍ଚାଇବାକୁ ଦୌଡିଥିଲେ ମଧ୍ୟ ଆକ୍ରମଣ କାରୀମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା କିଛି ଲୋକ ଓ ସ୍ଥାନୀୟ ଲୋକେ ସେମାନଙ୍କୁ ଅଟକାଇବା ସହ ବୁଝାସୁଝା କରିଥିଲେ। ପରେ ଅନିରୁଦ୍ଧ ଏହା ଜାଣିବା ପରେ ପୁଅ ରାଜକୁ ନେଇ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ। ଘଟଣା ସମ୍ପର୍କରେ ସ୍ଥାନୀୟ କିଛି ଭଦ୍ର ବ୍ୟକ୍ତି ଘଟଣାକୁ ଆଗକୁ ନବଢାଇ ଆପୋଷ ସମାଧାନ କରିବାକୁ ଅନିରୁଦ୍ଧଙ୍କୁ କହିଥିଲେ। ତେବେ ଅନିରୁଦ୍ଧ ଆଇନର ଆଶ୍ରୟ ନେଇନଥିଲେ।

ଏପଟେ ଆକ୍ରମଣକାରୀ ମାନେ ଧନୀ ଶ୍ରେଣୀର ହୋଇଥିବାରୁ ସେମାନେ ମଧ୍ୟ ଧମକ ଚମକ ଦେଇ ପୁଅର ଜୀବନ ନଷ୍ଟ କରିଦେବେ ବୋଲି କହିଥଲେ। ଏବେ କଲେଜ ଖୋଲିବା ପରେ ପୁନର୍ବାର ଆକ୍ରମଣକାରୀ ମାନେ ରାସ୍ତାରେ ଜଗିରହି ତାଙ୍କ ପୁଅ ରାଜାକୁ ଜୀବନରୁ ମାରିଦେବେ ବୋଲି କହୁଥିବାର ଅନିରୁଦ୍ଧ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଆଜି ଅନିରୁଦ୍ଧ ଘଟଣା ସମ୍ପର୍କରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇ ବାଲିଚନ୍ଦ୍ରପୁର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.