କାଲିଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ, ଏଥର ୨୮ଟି ବିଧାନସଭା ଆସନ ମଧ୍ୟରୁ ୮ଟିରେ ହେବ ହେଭିୱେଟ୍ ଲଢେଇ

ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇସାରିଛି । ଏଥର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହେଭିୱେଟ ଲଢୁଥିବା ଆସନ ଉପରେ ସାରା ରାଜ୍ୟର ନଜର ରହିବ ।

ଭୁବନେଶ୍ୱର (କେନ୍ୟୁଜ୍‌): ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି। ବ୍ରହ୍ମପୁର, ନବରଙ୍ଗପୁର, କୋରପୁଟ ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ହେବ ନିର୍ବାଚନ । ଗତକାଲି ଠାରୁ ଆରମ୍ଭ ହୋଇଛି ପ୍ରାର୍ଥିପତ୍ର ଦାଖଲ । ବ୍ରହ୍ମପୁର ଲୋକସଭା ଆସନରେ ଲଢୁଛନ୍ତି ବିଜେଡିରୁ ଭୃଗୁ ବକ୍ସିପାତ୍ର, ବିଜେପିରୁ ପ୍ରଦୀପ ପାଣିଗ୍ରାହୀ ଓ କଂଗ୍ରେସର ରଶ୍ମିରଞ୍ଜନ ପଟ୍ଟନାୟକ। ସେହିପରି କଳାହାଣ୍ଡି ଲୋକସଭା ଆସନରେ ବିଜେଡିର ଲମ୍ବୋଦର ନିଆଲ, ବିଜେପିର ମାଳବିକା କେଶରୀ ଦେଓ ଏବଂ କଂଗ୍ରେସରୁ ଦ୍ରୌପଦୀ ମାଝୀ ପ୍ରାର୍ଥୀ ହୋଇଛନ୍ତି ।

କୋରାପୁଟ ଲୋକସଭା ଆସନରେ ବିଜେଡିର କୌଶଲ୍ୟା ହିକକା ଲଢୁଥିବା ବେଳେ ବିଜେପିରୁ କାଳୁରାମ ମାଝୀ ଓ କଂଗ୍ରେସରୁ ସପ୍ତଗିରି ଉଲ୍ଲାକା ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ନବରଙ୍ଗପୁର ଲୋକସଭା ଆସନରୁ ବିଜେଡିରୁ ପ୍ରଦୀପ ମାଝୀଙ୍କ ସହ ବିଜେପିର ବଳଭଦ୍ର ମାଝୀ ଓ କଂଗ୍ରେସର ଭୁଜବଳ ମାଝୀଙ୍କ ଟକ୍କର ହେବ । ଗତ ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ଆସନରେ ବିଜେଡି ଜିତିଥିବା ବେଳେ କଳାହାଣ୍ଡିରେ ବିଜେପି ଓ କୋରାପୁଟ ଲୋକସଭା ଆସନରେ କଂଗ୍ରେସ ଜିତିଥିଲା । ଏହି ଚାରୋଟି ସଂସଦୀୟ କ୍ଷେତ୍ର ଅଧୀନ ୨୮ ବିଧାନସଭା ଆସନରୁ ଗତଥର ୨୧ଟି ଆସନ ବିଜେଡି ଜିତିଥିଲା । ବିଜେପି ଚାରିଟି ଓ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିଲେ ।

ଏଥର ୨୮ଟି ବିଧାନସଭା ଆସନ ମଧ୍ୟରୁ ୮ଟିରେ ହେବ ହେଭିୱେଟ୍ ଲଢେଇ । ନୂଆପଡ଼ା ବିଧାନସଭା ଆସନରେ ପିସିସି ସଭାପତି ଶରତ ପଟ୍ଟନାୟକ ଭାଗ୍ୟ ପରୀକ୍ଷା କରୁଛନ୍ତି । ବିଜେଡିରୁ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ପୁଣି ଲଢୁଥିବା ବେଳେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ । କଳାହାଣ୍ଡି ଲୋକସଭା କ୍ଷେତ୍ରର ନର୍ଲା ଆସନରୁ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ମଇଦାନକୁ ଓହ୍ଲାଇଛନ୍ତି ।

ବିଜେଡିରୁ ମନୋରମା ମହାନ୍ତି ଓ ବିଜେପିରୁ ଅନିରୁଦ୍ଧ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଭବାନୀପାଟଣା ବିଧାନସଭା ଆସନରୁ ବିଜେପି ଟିକେଟରେ ପୁଣି ପ୍ରାର୍ଥୀ ହୋଇଛନ୍ତି ଭେଟରାନ ପ୍ରଦୀପ୍ତ ନାଏକ । ତାଙ୍କ ସହ ଲଢ଼ିବେ ବିଜେଡିର ଲଳିତା ନାଏକ, କଂଗ୍ରେସର ହେଭିୱେଟ ଭକ୍ତ ଦାସଙ୍କ ପୁଅ ସାଗର । ଧର୍ମଗଡ଼ ଆସନରେ ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓ, ବିଜେପିର ସୁଧୀର ପାଟଯୋଶୀ ଓ କଂଗ୍ରେସ ପ୍ରାର୍ଥୀ ରଶ୍ମିରେଖା ରାଉତ ମୁହାଁମୁହିଁ ହେବେ ।

ସେହିପରି ପାରଳାଖେମୁଣ୍ଡି ବିଧାନସଭା ଆସନରୁ କଂଗ୍ରେସର ବିଜୟ ପଟ୍ଟନାୟକଙ୍କ ସହ ବିଜେପି ବିଧାୟକ କେ. ନାରାୟଣ ରାଓ ଓ ବିଜେଡିର ରୂପେଶ ପାଣିଗ୍ରାହୀଙ୍କ ଟକ୍କର ହେବ । ଜୟପୁର ବିଧାନସଭା ଆସନରେଏଥର ତାରା-ରବି ଲଢ଼େଇ ବଦଳରେ କଂଗ୍ରେସର ତାରା ବାହିନୀପତିଙ୍କ ପାଇଁ ଚ୍ୟାଲେଞ୍ଜ ହେବେ ପୂର୍ବତନ ମନ୍ତ୍ରୀ ରବି ନନ୍ଦଙ୍କ ପତ୍ନୀ ଇନ୍ଦିରା ନନ୍ଦ । ତେଣୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହେଭିୱେଟ ଲଢୁଥିବା ଆସନ ଉପରେ ସାରା ରାଜ୍ୟର ନଜର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.