ଦିନରେ ତାତି, ଅପରାହ୍ନରେ ଆଶ୍ୱସ୍ତି ; ଆସନ୍ତା ୪ରୁ ୫ ଦିନ ଯାଏଁ ରାଜ୍ୟରେ ସକ୍ରିୟ ରହିବ କାଳବୈଶାଖୀ
ପ୍ରବଳ ତାତି ଭିତରେ କାଳବୈଶାଖୀ ବର୍ଷା କିଛି ମାତ୍ରାରେ ଆଶ୍ୱସ୍ତି ଆଣିଛି । କିନ୍ତୁ ଏହି କାଳବୈଶାଖୀ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସକ୍ରିୟ ରହିବ । ଆଜି ପାଇଁ ୨୨ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଭୁବନେଶ୍ୱର (କେନ୍ୟୁଜ): ଦିନରେ ତାତି, ଗୁଳୁଗୁଳି । ଅପରାହ୍ନରେ ଆଶ୍ୱସ୍ତି । ଗତ କିଛି ଦିନ ହେବ ରାଜ୍ୟରେ ଏମିତି ପାଗ ଦେଖାଯାଉଛି । ହଠାତ୍ ବଦଳିଯାଇଛି ପାଣିପାଗ । ସକାଳୁ ମୁଣ୍ଡଫଟା ଖରା ହେଉଥିବା ବେଳେ ଅପରାହ୍ଣ ପରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସୁଛି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ପବନ ହେଉଛି । ଆଜି ପାଇଁ ୨୨ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଆସନ୍ତା ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଜାରି ରହିବ । ୩ ତାରିଖ ଯାଏ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପବନ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିଛି ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ଛୁଇଁପାରେ । ବିଶେଷ କରି ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, କାଳହାଣ୍ଡି ଓ କନ୍ଧମାଳ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ଏବଂ କାଳବୈଶାଖୀ ସମୟରେ ଏହିସବୁ ଜିଲ୍ଲାରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ମଧ୍ୟରେ ରହିବ। ସେହିଭଳି କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଢେଙ୍କାନାଳ, ଅନୁଗୁଳ, ଗଜପତି, ଓ ଗଞ୍ଜାମ ଆଦି ଜିଲ୍ଲାର କିଛି ଅଞ୍ଚଳରେ କାଳବେଶାଖୀଜନିତ ହାଲୁକା ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି।
ଅନ୍ୟପକ୍ଷରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରାରେ ବିଶେଷ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବ। ସେହିପରି ଉପକୂଳ ଓଡ଼ିଶାରେ ପାରା ୪୦ ଡିଗ୍ରି ଟପିବ। ବିଶେଷ କରି ପଶ୍ଚିମ ଓଡ଼ିଶାର ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡ଼ା ଓ ବରଗଡ଼ ଆଦି ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଅଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।