ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି: ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦେଇଛି ବିଜେପି

ସମ୍ବଲପୁର(କେନ୍ଯୁଜ୍): ଆଜି ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ । ବନ୍ଦ ଡାକରା ଦେଇଛି ସମ୍ବଲପୁର ବିଜେପି । ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିବା ସୂଚନା ମିଳିଛି । ସକାଳୁ ସକାଳୁ  ବିଜେପି ନେତା ଓ କର୍ମୀ ମାନେ ସହରର ଲକ୍ଷ୍ମୀ ଟକିଜ ଛକରେ ବିକ୍ଷୋଭ ପ୍ରଦର୍ଶନ କରି ଦୋକାନ ବଜାର ବନ୍ଦ କରିଛନ୍ତି । ଅଇଁଠାପାଲି ଛକ ନିକଟ ବସଷ୍ଟାଣ୍ଡରେ ବସ ଚଳାଚଳ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖାଯାଇଛି ।

ସହରର କୁଚିଣ୍ଡା, ରେଙ୍ଗାଲି, ରେଢ଼ାଖୋଲ, ବୁର୍ଲା, ହୀରାକୁଦ ଆଦି ସ୍ଥାନରେ ବିଜେପି କର୍ମୀମାନେ ପିକେଟିଂ କରୁଥିବାର ଦେଖିବାକୁ ମିଳିଛି । ହେଲେ କିଛି ସ୍ଥାନରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ରଗୁଡିକ ଖୋଲା ରହିବ ବୋଲି ଜଣାପଡିଛି । ସେପଟେ ବରପାଲି ଭୁଲିଆ ସମାଜ ପକ୍ଷରୁ ୬ ଘଣ୍ଟିଆ ବରପାଲି ବନ୍ଦ । ସକାଳ ୬ଟାରୁ ଦିନ ୧୨ଟା ଯାଏ ବନ୍ଦ ଡାକରା ଦିଆଯାଇଛି।

ଏପଟେ ରିମାଣ୍ଡ ସରିବା ପରେ ପୁଣି ଜେଲ୍‌ ଗଲା ଗୋବିନ୍ଦ ସାହୁ । ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଗତକାଲି ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ହାଜର କରାଇଥିଲା । ପରେ ତାକୁ କଣ୍ଟାବାଞ୍ଜି ସବଜେଲ୍‌କୁ ପଠାଇ ଦିଆଯାଇଛି । ମମିତା ହତ୍ୟା ମାମଲାରେ ଦୋଷ ମାନିଛି ଗୋବିନ୍ଦ । ମମିତାଙ୍କ ମୋବାଇଲକୁ ଜଳାଇ ଦେଇଥିବା କହିଛି । ଘଟଣାସ୍ଥଳରୁ ମିଳିଛି କିଛି ପୋଡା ମେଟାଲ୍ସ ଓ ପ୍ଲାଷ୍ଟିକ । ସେସବୁକୁ ଫରେନସିକ୍‌ ଟେଷ୍ଟ ପାଇଁ ପଠାଯାଇଛି । ପୋଲିସକୁ ମିଳିଛି ୨ଟି ବ୍ୟାଗ୍‌ । ଗୋଟିଏ ଶବ ପୋଡ଼ାଯାଇଥିବା ସ୍ଥାନ ଓ ଅନ୍ୟଟି ରାଧେ ଘରୁ ମିଳିଛି । ଡିଏନଏ ଟେଷ୍ଟ ପାଇଁ ମୃତଦେହର ନମୁନା ପଠାଯାଇଛି। ଦରକାର ପଡ଼ିଲେ ଅଭିଯୁକ୍ତ ରାଧେଶ୍ୟାମ ଚଣ୍ଡିକୁ ରିମାଣ୍ଡରେ ଆଣିବ ବଲାଙ୍ଗିର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.