ମୁଣ୍ଡର ଝାଳ ତୁଣ୍ଡରେ ମାରି ସଂଗ୍ରହ କରୁଛନ୍ତି ମହୁଲ, ହେଲେ ମିଳୁନାହିଁ ଉଚିତ୍‍ ମୂଲ୍ୟ

ଫଗୁଣ ମାସ ଆଗମନ ପୂର୍ବରୁ ଚଳଚଞ୍ଚଳ ହୋଇପଡନ୍ତି ଆଦିବାସୀ। ଗଛରୁ ପଡିଥିବା ମହୁଲ ଫୁଲକୁ ସଂଗ୍ରହ କରିଥାନ୍ତି। ହେଲେ ଉଚିତ୍‍ ବିକ୍ରିବଟା ବ୍ୟବସ୍ଥା କରାଯାଇନଥିବାରୁ ମହୁଲର ଅଭାବି ବିକ୍ରି ଦଖାଦେଇ ଥିବା ଅଭିଯୋଗ ହୋଇଛି ।

ଗୁଣୁପୁର(କେନ୍ୟୁଜ୍): ଫଗୁଣ ମାସ ଆଗମନ ପୂର୍ବରୁ ଚଳଚଞ୍ଚଳ ହୋଇପଡନ୍ତି ଆଦିବାସୀ । ବଣ ଜଙ୍ଗଲ ମୂଲକରେ ଜୀବନ ସାଉଁଟୁ ଥିବା ଏଇ ସଂପ୍ରଦାୟର ଲୋକେ ଲାଗିପଡନ୍ତି ମହୁଲ ସଂଗ୍ରହରେ।  କିଏ ମହୁଲ ଗୋଟାଇବାରେ ଲାଗିପଡନ୍ତି ତ, ପୁଣି କିଏ ଜଙ୍ଗଲରୁ ସଂଗ୍ରହ କରି ଆଣିବାରେ ଲାଗିପଡନ୍ତି । ପିଲା ଠାରୁ ବୟସ୍କ ସମସ୍ତେ ଗଛରୁ ପଡିଥିବା ମହୁଲ ଫୁଲକୁ ସଂଗ୍ରହ କରିଥାନ୍ତି । ପୁଣି କିଏ ସଂଗୃହିତ ମହୁଲକୁ ଶୁଖାଇ ସାଇତିବାରେ ଲାଗିପଡନ୍ତି ।

ଏ ହେଉଛି ରାୟଗଡା ଜିଲ୍ଲା ଗୁଣପୁର ଅଞ୍ଚଳ ଗାଁର ଦୃଶ୍ୟ । ଏବେ ବନ୍ୟଜାତ ଦ୍ରବ୍ୟ ମହୁଲ ସଂଗ୍ରହର ମାସ । ସେଥିପାଇଁ ବନ ମୂଲକରେ ରହୁଥିବା ଆଦିବାସୀ ସଂପ୍ରଦାୟର ପିଲା ଠାରୁ ବୁଢାବୁଢି ଯାଏଁ ସମସ୍ତେ ରାତି ନପାଉଣୁ ଏମିତି ଲାଗିପଡିଥାନ୍ତି । ଆଦିବାସୀ ଗାଁ ଗାଁ ରେ ଭୋର ରୁ ସଂନ୍ଧ୍ୟା ଯାଏଁ ଏବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ରୌଦ୍ର ତାପରେ ମୁଣ୍ଡର ଝାଳ ତୁଣ୍ଡରେ ମାରି ଯେଉଁ ମହୁଲ ସଂଗ୍ରହ କରୁଛନ୍ତି ସେମାନଙ୍କୁ ତାର ଉଚିତ୍‍ ମୂଲ୍ୟ ମିଳୁନାହିଁ । ଉଚିତ୍‍ ବିକ୍ରିବଟା ବ୍ୟବସ୍ଥା କରାଯାଇନଥିବାରୁ ମହୁଲର ଅଭାବି ବିକ୍ରି ଦଖାଦେଇ ଥିବା ଅଭିଯୋଗ ହୋଇଛି ।

mahulaa

ମହୁଲ ଋତୁ ଜନିତ ଫୁଲ । ରବି ଋତୁରେ ପାଣି ଅଭାବ ଯୋଗୁଁ କୌଣସି ଫସଲ କରୁନଥିବା ବେଳେ ବେଳେ ଆଦିବାସୀ ଏହି ଖରା ଋତୁର ବନ ଜାତ ଦ୍ରବ୍ୟ ମାଧ୍ୟମରେ ଆର୍ଥିକ ଉପାର୍ଜନ ର ସୁଯୋଗ ପାଆନ୍ତି । ଘର ପାଖକୁ ବେପାରୀ ଆସି କିଣୁଥିବା ଓ ସରକାରଙ୍କ ନିର୍ଧାରିତ ମୂଲ୍ୟ ଜାଣିନଥିବା ଯୋଗୁଁ କମ୍‍ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି । ତେବେ ମହୁଲର ପୁରୁଣା ଦର କୁଇଣ୍ଟାଲ ଦୁଇ ହଜାରରୁ ଅଧିକ ଥିଲା । ନୂଆ ଦର କଣ ରହିଛି ତାହା ସଂଗ୍ରହ କାରି ଜାଣିନାହାନ୍ତି ।

ପରିଶ୍ରମ କରି ସଂଗ୍ରହ କରୁଥିବା ଏହି ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ପାଇଁ ଉଚିତ୍‍ ବ୍ୟବସ୍ଥା କରାଯାଉ ନଥିବାରୁ ଶୋଷଣର ଶିକାର ହେଉଥିବା ସବୁବେଳେ ଅଭିଯୋଗ ହେଉଛି । ଏଭଳି ସ୍ଥିତିରେ ଆଦିବାସୀଙ୍କ ଜୀବନ ଜୀବିକା ପାଲଟିଥିବା ଲଘୁ ବନ ଜାତ ଦ୍ରବ୍ୟ ମହୁଲର ଉଚିତ୍‍ ମୂଲ୍ୟ କେବେ ମିଳିବ ତାହା ଏବେ ବଡ ପ୍ରଶ୍ନ ।