Below header

ମରିନାହିଁ ମାନବିକତା, ପାଇଥିବା ସୁନା ଅଳଙ୍କାର ବ୍ୟାଗକୁ ହଜାଇଥିବା ଲୋକକୁ ଫେରାଇଲେ ଟ୍ରକ ଡ୍ରାଇଭର

କଟକ(କେନ୍ୟୁଜ୍): ଟ୍ରକ ଡ୍ରାଇଭରଙ୍କ ସଚୋଟତା। ଏକ ହଳ ସୁନା ଚୁଡ଼ି ସହ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଇ ଫେରାଇଲେ ହଜାଇ ଥିବା ଯୁବକଙ୍କୁ। ଏଭଳି ମହାନ କାର୍ଯ୍ୟ ପାଇଁ ଜଗତପୁର ମା ମଙ୍ଗଳା ଟ୍ରାନ୍ସପୋର୍ଟରେ ଟ୍ରକ ଡ୍ରାଇଭର ଥିବା ବିଜୟ କୁମାର ପ୍ରଧାନଙ୍କର ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚା। ଘଟଣାଟି ଥିଲା ଏହିପରି। ବୌଦ୍ଧର ଶ୍ରୀଧର ସାହୁ କେଉଁଝର ଆନନ୍ଦପୁରରେ ରିଲାଏନ୍ସ ଟ୍ରେଣ୍ଡରେ ମ୍ୟାନେଜର ଭାବେ କାର୍ଯ୍ୟ କରନ୍ତି। ଗତ ୨୨ ତାରିଖରେ ସେ ବୌଦ୍ଧରୁ ଦଶପଲ୍ଲା ଦେଇ ଆନନ୍ଦପୁରକୁ ଆସୁଥିଲେ। ବାଇକର ପଛରେ ଲାଗିଥିଲା ନିଜର ଏୟାର ବ୍ୟାଗ। ବ୍ୟାଗରେ ଥିଲା ଏକ ହଳ ସୁନା ଚୁଡ଼ି, ପାୱାର ବ୍ୟାଣ୍ଡ, ଗାଡିର ଆରସି ଡ଼କୁମେଣ୍ଟ ସହ ଅନ୍ୟ କିଛି ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର। ଚାରିଛକ ଅତିକ୍ରମ କରିବା ପରେ ଦଶପଲ୍ଲା ଭିତରେ ବାଇକରୁ ବ୍ୟାଗ ଖସି ପଡ଼ିଥିଲା।

truck driver2

ଦଶପଲ୍ଲା ନିକଟରେ ବ୍ୟାଗ ନ ଥିବା ଦେଖି ମନ ଦୁଃଖରେ ଥିଲେ ଶ୍ରୀଧର। ବ୍ୟାଗରେ ସୁନା ଚୁଡ଼ି ଥିବାରୁ ତାହା ଆଉ ମିଳିବ ନାହିଁ ବୋଲି ମନେ ମନେ ଭାବି ନେଇଥିଲେ। ଅନୁପଟରେ ଜଗତପୁରରୁ ଟ୍ରକ ନେଇ କେସିଙ୍ଗା ଯାଉଥିଲେ ଟ୍ରକ ଡ୍ରାଇଭର ବିଜୟ କୁମାର ପ୍ରଧାନ। ଜାତୀୟ ରାଜପଥରେ ରାସ୍ତାକଡ଼ରେ ବ୍ୟାଗ ଦେଖି ବ୍ୟାଗ ତଲାସୀ କରିଥିଲେ। ବ୍ୟାଗରେ ସୁନା ଚୁଡ଼ି ଥିବା ତୁରନ୍ତ ଟ୍ରକ ମାଲିକ ପ୍ରଦୀପ ସ୍ଵାଇଁଙ୍କୁ ମଧ୍ୟ ଜଣାଇଥିଲେ। ଟ୍ରକରେ ମାଲ ଲୋଡ଼ ଥିବାରୁ ଆଉ ନ ଅଟକି ନିଜର ଗନ୍ତବ୍ୟ ସ୍ଥଳ କେସିଙ୍ଗାକୁ ଯାଇଥିଲେ ବିଜୟ। ସେଠାରୁ ଫେରିବା ପରେ ଆରସି ଡ଼କୁମେଣ୍ଟରେ ଥିବା ଠିକଣାରେ ଚିଠି ଲେଖି ବ୍ୟାଗ ପାଇଥିବା କଥା ଜଣାଇଥିଲେ ଟ୍ରକ ଡ୍ରାଇଭର ବିଜୟ।

ଗତ ୧ ତାରିଖରେ ଏହି ଚିଠି ପାଇଥିଲେ ଶ୍ରୀଧର ସାହୁ। ବିଜୟ ଦେଇଥିବା ଟେଲିଫୋନ ନମ୍ବରରେ ଯୋଗାଯୋଗ କରି ଆଜି ଆନନ୍ଦପୁରରୁ କଟକ ଜଗତପୁରରେ ପହଞ୍ଚିଥିଲେ। ଶ୍ରୀଧର ସାହୁଙ୍କର ନିଜ ବ୍ୟାଗରେ ସମସ୍ତ ଡ଼କୁମେଣ୍ଟ ଓ ସୁନା ଚୁଡ଼ି ସଠିକ ଥିବା କହିଛନ୍ତି। ଏହା ସହ ଟ୍ରକ ଡ୍ରାଇଭର ବିଜୟ ପ୍ରଧାନଙ୍କ ସଚୋଟତାର ଭୁରି ଭୁରି ପ୍ରଂସଶା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.