ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ କାହ୍ନା

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱର ପଟିଆରେ ୨ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ । ତା ନାଁ କାହ୍ନା ଓରଫ୍‌ କୃଷ୍ଣଚନ୍ଦ୍ର ମଲ୍ଲିକ । ଘର କଟକ ଜିଲ୍ଲା ବାଙ୍କିର ପଦନପୁରରେ । ଆଉ ଜଣେ ଅଭିଯୁକ୍ତକୁ ଖୋଜୁଛି ଜିଆରପି । ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଖୋଳତାଡ ଚଳାଇଛି ରେଲେଓ୍ଵ ପୋଲିସ ।

ଜିଆରପିର ୪ଟି ଟିମ୍‌ ବିଭିନ୍ନ ସ୍ଥାନରେ ରେଡ୍‌ ଚଳାଇଛି । ପଟିଆ ଅଞ୍ଚଳରେ ମାଛ ଦୋକାନରେ କାମ କରୁଥିଲେ ଦୁଇ ଅଭିଯୁକ୍ତ । ସ୍ଥାନୀୟ ଅଞ୍ଚଳରେ ରହୁଥିବା ବେଳେ ପୀଡ଼ିତାଙ୍କୁ ପୂର୍ବରୁ ଜାଣିଥିବା ସୂଚନା ମିଳିଛି । ଅନ୍ୟପଟେ ସିଆରପିସି ଧାରା ୧୬୧ରେ ପୀଡ଼ିତାଙ୍କର ବୟାନ ରେକର୍ଡ କରିଛି ଜିଆରପି । ଆଜି ଡାକ୍ତରୀ ମାଇନା କରିବା ସହ ପୀଡ଼ିତାଙ୍କୁ ନେଇ କ୍ରାଇମ୍‌ ସ୍ପଟ୍‌ ଯିବ ରେଳବାଇ ପୋଲିସ । ସୋମବାର ରାତିରେ ପଟିଆ ଷ୍ଟେସନ ଅଞ୍ଚଳରେ ୨ ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କ ବୟସ ୧୨ ଓ ୧୪ ବର୍ଷ ।

ଅଭିଯୋଗ ହୋଇଛି ସୋମବାର ଦୁଇ ନାବାଳିକା ପଟିଆ ଷ୍ଟେସନ ଅଞ୍ଚଳକୁ ବୁଲିବା ପାଇଁ ଆସିଥିଲେ । ସେଠାରୁ ସେମାନଙ୍କୁ ଟେକି ନେଇଥିଲେ ୨ ଜଣ ଦୁର୍ବୃତ୍ତ । ରେଳବାଇ ଓଭରବ୍ରିଜ୍‌କୁ ନେଇ ଯାଇଥିଲେ ଯୁବକ । ସେଠାରେ ଦୁଇ ଜଣଙ୍କୁ ହାତ ଗୋଡ଼ ବାନ୍ଧି ସାରା ରାତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତକାଲି ସକାଳେ ଘରକୁ ଫେରି ପୀଡ଼ିତା ପରିବାର ଲୋକଙ୍କୁ ଜଣାଇଥିଲେ । ପଟିଆ ଷ୍ଟେସନରେ ଦୁଇ ନାବାଳିକାଙ୍କୁ ରାତି ତମାମ ଦୁଷ୍କର୍ମ କରାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.