Below header

ଗଜପତି: ପାରିବାରିକ କଳହର କରୁଣ ପରିଣତି, ଦୁଇ ପୁତୁରାଙ୍କ ଠେଙ୍ଗା ମାଡ଼ରେ ଦାଦା ବୁଜିଲା ଆଖି

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ବୁରୁପଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି, ପାରିବାରିକ କଳହକୁ କେନ୍ଦ୍ର କରି ଦୁଇ ପୁତୁରାଙ୍କ ଠେଙ୍ଗା ମାଡ଼ ରେ ଦାଦା ମୃତ୍ୟୁ ବରଣ କରିଛନ୍ତି l ମୃତକ ହେଲେ ସେହି ଗ୍ରାମର ରଘୁନାଥ ନାୟକ (୫୫) l

ପୋଲିସ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ବୁରୁପଦା ଗ୍ରାମର ଦୁଇ ଭାଇ ନାଥ ନାୟକ ଏବଂ ରଘୁନାଥ ନାୟକଙ୍କ ମଧ୍ୟରେ ପାରିବାରିକ କଳହ ଲାଗିରହିଥିଲା। ଏକ ବର୍ଷ ତଳେ ବଡ଼ ଭାଇ ନାଥ ନାୟକଙ୍କ ଝିଅ ଜଣେ ଟ୍ରାକ୍ଟର ଚାଳକଙ୍କୁ ପ୍ରେମ ବିବାହ କରି ଗଞ୍ଜାମ ଜ଼ିଲ୍ଲା ପାତ୍ରପୁର ବ୍ଲକ ପୂହୁଣ୍ଡି ଗ୍ରାମକୁ ଚାଲିଯାଇଥିଲେ । ଏନେଇ ସାନଭାଇ ରଘୁନାଥ ଗ୍ରାମରେ ବୈଠକ ଡକାଇଥିଲେ।  ଏହାକୁ କେନ୍ଦ୍ର କରି ନିଜର ସମ୍ମାନହାନି ହେବାଯୋଗୁଁ ନାଥ ଏବଂ ରଘୁନାଥଙ୍କ ପରିବାର ମଧ୍ୟରେ ପ୍ରତିଦିନ ଝଗଡା ଲାଗିରହୁଥିଲା । ଗତ ଗୁରୁବାର ଝଗଡା ଉଗ୍ରରୂପ ନେଇଥିଲା। ବିଳମ୍ବିତ ରାତିରେ ଦୁଇପରିବାର ମଧ୍ୟରେ ପୁଣି ଝଗଡା ଆରମ୍ଭ ହୋଇଥିଲା।

ରଘୁନାଥଙ୍କ ସମେତ ତାଙ୍କ ଦୁଇପୁଅ ବିଟୁ, ସୁରେଶ ଏବଂ ନାଥ ତାଙ୍କର ଦୁଇ ପୁଅ ଗଣେଶ, ବାବୁଲାଙ୍କ ମଧ୍ୟରେ ବଚସା ହୋଇଥଲା । ଧସ୍ତାଧସ୍ତି ମଧ୍ୟରେ ଉତକ୍ଷିପ୍ତ ହୋଇ ନାଥ ନାୟକଙ୍କ ଦୁଇପୁଅ ଗଣେଶ ଏବଂ ବାବୁଲା ଏକ ଠେଙ୍ଗାରେ ରଘୁନାଥଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।  ଏଥିରେ ରଘୁନାଥ ଅଚେତ ହୋଇପଡିଥିବା ବେଳେ ତାଙ୍କ ଦୁଇ ପୁଅ ଏବଂ ନାଥଙ୍କ ଦୁଇପୁଅ ଆହତ ହୋଇଥିଲେ । ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ରଘୁନାଥ ଙ୍କ ଅବସ୍ଥା ଗୁରୁତର ହେବାରୁ ଶୁକ୍ରବାର ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା କିନ୍ତୁ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ମୋହନା ପୋଲିସ ବୁରୁପଦା ଗ୍ରାମକୁ ଯାଇ ତଦନ୍ତ କରିଥିବା ବେଳେ ଉଭୟ ପକ୍ଷର ଏତଲା ପ୍ରକାରେ ଥାନାରେ କେସ ନଂ 193/21ଏବଂ 194/21 ରେ ଦୁଇଟି ମାମଲା ରୁଜୁ କରି ନାଥ ଏବଂ ରଘୁନା.ଙ୍କ ଦୁଇ ଜଣ ଲେଖାଏଁ ପୁଅକୁ ଅଟକ ରଖିଛି । ଶବ ବ୍ୟବଛେଦ ପରେ ଘଟଣାର ଦୋଷୀ ମାନଙ୍କୁ ଗିରଫ କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ତଥା ମୋହନା ଥାନା ଅଧିକାରୀ ସୁଜିତ ନାୟକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.