କେନ୍ଦ୍ର ସରକାର ଟିକା ଯୋଗାଇବା କ୍ଷଣି ଓଡ଼ିଶାରେ ଟିକାକରଣ ଆରମ୍ଭ ହେବ, ଜୁଲାଇରେ ସେରମ ସିଇଓଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଖୁବଶୀଘ୍ର ଆରମ୍ଭ ହେବ କୋଭିସିଲ୍ଡର ବିତରଣ। କେନ୍ଦ୍ର ସରକାର ଟିକା ଯୋଗାଇବା କ୍ଷଣି ଓଡ଼ିଶାରେ ଟିକାକରଣ ଆରମ୍ଭ ହେବ। ଡ୍ରାଏ ରନ ସରିଛି। ପ୍ରାଥମିକ ସ୍ତରରେ ପ୍ରସ୍ତୁତ ହୋଇଥିବା ଡାଟାବେସ୍ ଅନୁସାରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ପାଖରେ ଦାବି ରଖାଯାଇଛି। ବୟସ୍କ ଓ ଫ୍ରଣ୍ଟଲାଇନ ଯୋଦ୍ଧାଙ୍କ ଡାଟାବେସ୍ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରସ୍ତୁତ ହେବ। ଓଡ଼ିଶାକୁ ପ୍ରାଥମିକତା ଦେବା ପାଇଁ ଗତ ଜୁଲାଇରେ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସିଇଓଙ୍କ ସହ କଥା ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେରମ ପାଖରେ ୫ କୋଟି ଡୋଜ୍ ଥିବାରୁ ଦିନେ ଦୁଇଦିନ ଭିତରେ ଟିକା ବିତରଣ ଆରମ୍ଭ ହୋଇପାରେ। ଏହି ବିତରଣ କେନ୍ଦ୍ର ସରକାରଙ୍କ ଜରିଆରେ ହେବ।
କୋଭିସିଲଡ୍ ଓ କୋଭାକସିନକୁ ଅନୁମତି ମିଳିଥିଲେ ମଧ୍ୟ, କୋଭିସିଲ୍ଡର ବିତରଣ ପ୍ରଥମେ ହେବ ବୋଲି ଅନୁମାନ କରାଯାଉଛି। ଭାରତ ସରକାରଙ୍କୁ ଅକ୍ସଫୋର୍ଡ କୋଭିସିଲ୍ଡ ଡୋଜ୍ ୨୦୦ ଟଙ୍କାରେ ମିଳିବ। ପ୍ରଥମ ୧୦ କୋଟି ଡୋଜ୍ ଏହି ଦାମରେ ମିଳିବ । ଏହା ପରେ ପୁନଃ ଦର ନିର୍ଦ୍ଧାରଣ ହେବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ର ସିଇଓ ଆଦାର ପୁନାଓ୍ଵାଲା କହିଛନ୍ତି । ସେହିପରି ଖୋଲା ବଜାରରେ କୋଭିସିଲ୍ଡ୍ର ଗୋଟିଏ ଡୋଜ୍ ୧ ହଜାର ଟଙ୍କାରେ ଉପଲବ୍ଧ ହେବ । ଏହାର ଦୁଇଟି ଡୋଜ୍ ନେବା ଆବଶ୍ୟକ ଥିବାରୁ ପୂରା ଡୋଜ୍ ପାଇଁ ୨ ହଜାର ଟଙ୍କା ଲାଗିବ । କିନ୍ତୁ ଏବେ ବଜାରରେ ଉପଲବ୍ଧ ହେବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏବେ ସେରମ୍ ପାଖରେ ୫ କୋଟି ଡୋଜ୍ ମହଜୁଦ ରହିଛି । ଆସନ୍ତା ମାସରେ ୭-୮ କୋଟି ଡୋଜ୍ ଯୋଗାଇ ଦିଆଯିବ ବୋଲି ପୁନାଓ୍ଵାଲା କହିଛନ୍ତି ।