ସବୁଠି କରୋନା ଭୟ, ଗାଁରୁ ତଡା ଖାଉଛି ଶବ

ରାଇରଙ୍ଗପୁର (କେନ୍ୟୁଜ) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଏକ ଗାଁରେ କୋଭିଡ ସଂକ୍ରମିତଙ୍କ ମୃତ୍ୟଦେହ ସତ୍କାରକୁ ନେଇ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ରାଇରଙ୍ଗପୁର ପୌରାଞ୍ଚଳର ଜଣେ କୋଭିଡ ସଂକ୍ରମିତଙ୍କ ମୃତ୍ୟଦେହ ସତ୍କାର କରିବା ପାଇଁ ପୌର ପ୍ରଶାସନ ଓ ପୋଲିସ ମିଳିତ ଭାବେ ନିକଟସ୍ଥ ଦୁବୁଲାବେଡା ଜଙ୍ଗଲକୁ ନେଇଥିଲେ । କିନ୍ତୁ ସଂକ୍ରମଣ ହେବା ଭୟରେ ଦୁବୁଲାବେଡା ଅଂଚଳର କିଛି ଲୋକେ ଏକଜୁଟ ହୋଇ ଶବସତ୍କାର କରିବାକୁ ଦେଇନଥିବା ବେଳେ ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଶାସନ ସ୍ଥାନୀୟ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ବୁଝିବାକୁ ରାଜି ହୋଇନଥିଲେ ।

dead body creamation

ଫଳରେ ପ୍ରଶାସନ କତ୍ତୃପକ୍ଷ ଶବ ଧରି ସେଠାରୁ ଫେରିବାକୁ ବାଧ୍ୟ ହୋଇଥିଲେ । ପରେ ପରିବାର ଲୋକଙ୍କ ବଦଳରେ ପ୍ରଶାସନର ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି । ରାଇରଙ୍ଗପୁରରେ ସପ୍ତାହ ମଧ୍ୟରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରଥମ ସଂକ୍ରମିତଙ୍କ ଶବ ଦୁବୁଲାବେଡା ନିକଟସ୍ଥ ଚମ୍ପାଉଦା ଜଙ୍ଗଲରେ ସତ୍କାର କରାଯାଇଥିଲା । ସେ ସମୟରେ ଶବକୁ ନେଇ ମଧ୍ୟ ପୋଲିସ ପ୍ରଶାସନ ବିଭିନ୍ନ ପାଖ ଆଖର ଜଙ୍ଗଲକୁ ଯାଇ ହଟହଟା ହେବା ପରେ ଶେଷରେ ଚମ୍ପାଉଦା ଜଙ୍ଗଲରେ ସ୍ଥାନୀୟ ଲୋକଙ୍କ ଅଜାଣତରେ ସତ୍କାର କରିଥିଲେ ।

ତେବେ କରୋନା ମହାମାରୀ ବ୍ୟାପିବାର ବର୍ଷେରୁ ଅଧିକ ସମୟ ବିତିଥିଲେ ମଧ୍ୟ ରାଇରଙ୍ଗପୁର ଉପଖଣ୍ଡରେ କୋଭିଡ ସଂକ୍ରମିତଙ୍କ ଶବ ଦାହ ପାଇଁ କୌଣସି ନିର୍ଦ୍ଧିଷ୍ଟ ଶ୍ମଶାନ ସ୍ଥାନ ଚିହ୍ନଟ କରାଯାଇନଥିବା ବେଳେ ଶବଦାହ ପାଇଁ କୋଭିଡ ପରିବାର ସମେତ ପ୍ରଶାସନକୁ ମଧ୍ୟ ହଟହଟା ହେବାକୁ ପଡୁଛି । ତେଣୁ ଉପଖଣ୍ଡ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ନେଇ ବିଭିନ୍ନ ମହଲରୁ ଦାବି ଉଠୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.