ଆମେରିକାରେ ମର୍ମନ୍ତୁଦ ଦୁର୍ଘଟଣା, ତେଲଙ୍ଗାନାର ୨ ଛାତ୍ର ମୃତ; ଭାବପୂର୍ଣ୍ଣ ଅପିଲ୍ କଲେ ପରିବାର ଲୋକ
ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା କ୍ରମାଗତ ବଢ଼ିଚାଲିଛି । ଏବେ ଆମେରିକୀୟ ରାଜ୍ୟ ଏରିଜୋନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟଣା କ୍ରମାଗତ ବଢ଼ିଚାଲିଛି । ଏବେ ଆମେରିକୀୟ ରାଜ୍ୟ ଏରିଜୋନାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ତେଲଙ୍ଗାନାର ଏହି ଦୁଇ ଛାତ୍ର ସେଠାରେ ରହି ପାଠ ପଢ଼ୁଥିଲେ । ଦୁର୍ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ସଦସ୍ୟଙ୍କୁ ଜଣାଇ ଦିଆଯାଇଛି । ମୃତ ଛାତ୍ରଦ୍ୱୟ ହେଲେ, ୧୯ ବର୍ଷର ନିବେଶ ମୁକ୍କା ଓ ଗୌତମ କୁମାର ପାର୍ସି ।
ରିପୋର୍ଟରୁ ପ୍ରକାଶ ଯେ ସ୍ଥାନୀୟ ସମୟାନୁସାରେ, ଗତ ଶନିବାର ରାତିରେ ପିଓରିଆରେ ଦୁଇ ଛାତ୍ର ଏକ କାର୍ରେ ଯାଉଥିଲେ । ଏହି ସମୟରେ ହଠାତ୍ ସେମାନଙ୍କ କାର୍ ସାମ୍ନାରୁ ଆସୁଥିବା ଅନ୍ୟ ଏକ କାର୍କୁ ଧକ୍କା ଦେଇଥିଲା ।
ନିବେଶ ମୁକ୍କା ତେଲଙ୍ଗାନାର କରିମ୍ନଗର ଜିଲ୍ଲା ହୁଜୁରାବାଦ ସହରର ନିବାସୀ ହୋଇଥିବା ବେଳେ ଗୌତମ କୁମାର ଜନଗାଁ ଜିଲ୍ଲାର ଷ୍ଟେସନ ଘନପୁରର ନିବାସୀ ଥିଲେ । ଉଭୟ ଏରିଜୋନା ଷ୍ଟେଟ୍ ୟୁନିଭର୍ସିଟିରେ କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂରେ ପାଠ ପଢ଼ୁଥିଲେ ।
ଦୁର୍ଘଟଣା ଘଟିବା ସମୟରେ ଦୁଇଜଣ ସେମାନଙ୍କ ସାଙ୍ଗମାନଙ୍କ ସହିତ ୟୁନିଭର୍ସିଟିରୁ ଘରକୁ ଫେରୁଥିଲେ । ଏତିକି ବେଳେ ବିପରୀତ ଦିଗରୁ ଆସୁଥିବା କାର୍ ସେମାନଙ୍କ କାର୍କୁ ଜୋରଦାର୍ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ନିବେଶ ଓ ଗୌତମଙ୍କର ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ିଯାଇଥିଲା । ସେପଟେ ଉଭୟ କାର୍ର ଡ୍ରାଇଭର ଆହତ ହୋଇଥିବା ଖବର ରହିଛି । ନିବେଶଙ୍କ ମାଆବାପା ପେସାରେ ଡାକ୍ତର । ଦୁଇ ଛାତ୍ରଙ୍କ ପରିବାର ଲୋକେ ମୃତଦେହକୁ ଘରକୁ ଆଣିବାରେ ସାହାଯ୍ୟ କରିବା ପାଇଁ ଭାରତ ସରକାରଙ୍କୁ ଅପିଲ୍ କରିଛନ୍ତି ।
ଏହିପରି ଗତ କିଛି ଦିନ ତଳେ ସ୍କଟଲାଣ୍ଡରୁ ମଧ୍ୟ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା । ପାଣିରେ ବୁଡ଼ି ଏଠାରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ମୃତ ଛାତ୍ର ହେଲେ, ୨୬ ବର୍ଷୀୟ ଜିତେନ୍ଦ୍ରନାଥ କରୁତୁରୀ ଓ ୨୨ ବର୍ଷୀୟ ଚାଣକ୍ୟ ବୋଲିସେଟି । ଉଭୟ ସ୍କଟ୍ଲାଣ୍ଡର ଡୁଣ୍ଡି ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ । ସ୍କଟଲାଣ୍ଡର ଏକ ପର୍ଯ୍ୟଟନସ୍ଥଳୀରୁ ସେମାନଙ୍କ ମୃତଦେହ ମିଳିଥିଲା ।