ଆଜି ୧୦ଟି ଜିଲ୍ଲାରେ ଉଦଘାଟିତ ହେବ ଭର୍ଚୁଆଲ ହାଇକୋର୍ଟ

ଭୁବନେଶର (କେନ୍ୟୁଜ): ଓଡିଶା ହାଇକୋର୍ଟଙ୍କର ୧୦ଟି ଜିଲ୍ଲାରେ ଭର୍ଚୁଆଲ କୋର୍ଟ ବା ଭିସି କ୍ୟାବିନ ଆଜି ଉଦଘାଟିତ ହେବ। ଭର୍ଚୁଆଲରେ ପ୍ରଧାନ ବିଚାରପତି ଜଷ୍ଟିସ ଡି ୱାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବ୍ୟବସ୍ଥାକୁ ଉଦଘାଟନ କରିବେ। ଅପରାହ୍ନ ସାଢେ ୪ ଟାରେ ଜୁଡିସିଆଲ ଏକାଡେମୀରେ ଆୟୋଜିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କ ସମେତ ସମସ୍ତ ବିଚାରପତି ଯୋଗ ଦେବାର ରହିଛି।

ବାଲେଶ୍ଵର, ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର, ଭଦ୍ରକ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା, ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର, ବଲାଙ୍ଗୀର, କୋରାପୁଟ ଜିଲ୍ଲାର ଜୟପୁର, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ଏହି ଭିସି କୋର୍ଟ ଉଦଘାଟିତ ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ୧୦ ଟି ଜିଲ୍ଲାରେ ଭିସି କ୍ୟାବିନ ସ୍ଥାପିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେବ।

ଏହି ସମସ୍ତ ଜିଲ୍ଲାରୁ ଏବେ ହାଇକୋର୍ଟର ଭର୍ଚୁଆଲ କୋର୍ଟ କାର୍ଯ୍ୟ କରିବ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି ନେଇ ଆନ୍ଦୋଳନ ଚାଲିଥିବା ବେଳେ ଭର୍ଚୁଆଲ କୋର୍ଟ ସ୍ଥାପନ ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ ଭର୍ଚୁଆଲ କୋର୍ଟ ସ୍ଥାପନ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି।