ନବ ଦାସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚକୁ ମିଳୁନି ଗୋପାଳ ମାରିଥିବା ଗୋଟିଏ ଗୁଳି

ଝାରସୁଗୁଡା (କେନ୍ୟୁଜ): ନବ ଦାସଙ୍କ ଉପରେ ବାଜିଥିବା ଗୁଳି ଏଯାଏ ମିଳିନି । ଗୋପାଳ ଦାସ ୩ ରାଉଣ୍ଡ ଫାୟାର କରିଥିଲା । ନବ ଦାସଙ୍କୁ ବାଜିଥିଲା ପ୍ରଥମ ଗୁଳି । ତେବେ ନବ ଦାସଙ୍କୁ ହତ୍ୟାର ତଦନ୍ତରେ ମିଳିଲା ବଳିଷ୍ଠ ପ୍ରମାଣ । ନବଙ୍କ ଛାତିରେ ବାଜିଥିବା ଗୁଳି କୁଆଡ଼େ ଗଲା ବୋଲି ତନାଘନା ଚାଲିଥିବା ବେଳେ ଗୋଟିଏ ଫୁଟିଥିବା ଗୁଳି ପାଇଛି କ୍ରାଇମବ୍ରାଞ୍ଚ । ଫାରୋ 3D ସ୍କାନରରେ ସାଇଣ୍ଟିଫିକ୍‌ ଓ ବାଲିଷ୍ଟିକ ଏକ୍ସପର୍ଟ ଟିମ୍‌ ନବ ଦାସଙ୍କ କାର୍‌ ଓ କ୍ରାଇମ୍‌ ସ୍ପଟ୍‌ରେ ଯାଞ୍ଚ ବେଳେ ଏହି ଫୁଟିଥିବା ଗୁଳି ପାଇଛନ୍ତି । ଏହି ଗୁଳି ହେଉଛି ଗୋପାଳ ଦାସ ଚଳାଇଥିବା ଦ୍ୱିତୀୟ ଗୁଳି । ବଡ଼ମାଲ ଥାନାରେ ଥିବା ନବ ଦାସଙ୍କ ଗାଡ଼ିରୁ ଗୁଳି ଖୋଜିଛି କ୍ରାଇମବ୍ରାଞ୍ଚ । ନିଜେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ପହଞ୍ଚି ଗାଡ଼ିର ଯାଞ୍ଚ କରିଛନ୍ତି ।

ସେହିପରି ଗୋପାଳ ହତ୍ୟା ପଛର ବିସ୍ତତ ଉଦ୍ଦେଶ୍ୟ ଲେଖିଥିବା ହାତଲେଖା କାଗଜକୁ ଜବତ କରିଛି କ୍ରାଇମବ୍ରାଞ୍ଚ । ଝାରସୁଗୁଡ଼ା ଏୟାରପୋର୍ଟ ପୋଲିସ ଷ୍ଟେସନର ଟଏଲେଟରେ କାଗଜକୁ ସେ ପକାଇ ଦେଇଥିଲା । ସେଥିରେ ସବୁ କଥା ଲେଖିଥିଲା ଗୋପାଳ । ରିମାଣ୍ଡରେ ନେଇ ଜେରା ବେଳେ କ୍ରାଇମବ୍ରାଞ୍ଚକୁ ଏକଥା କହିଥିଲା ଗୋପାଳ । ଏହାପରେ ପାଇଖାନା ଟାଙ୍କିକୁ ଖୋଳି କାଗଜ ଟୁକୁଡ଼ା ଜବତ କରାଯାଇଛି । ସେସବୁକୁ ଯୋଡ଼ିବା ଓ ପରୀକ୍ଷଣ ପାଇଁ ଫୋରେନସିକ୍‌ ଓ ହ୍ୟାଣ୍ଡ ରାଇଟିଂ ଏକ୍ସପର୍ଟଙ୍କ ପାଖକୁ ପଠାଯିବ ।

ସେହିପରି ନବ ଦାସଙ୍କ ସଂରକ୍ଷିତ ଭିସେରା ନମୁନାକୁ ରସାୟନିକ ପରୀକ୍ଷଣ ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ଷ୍ଟେଟ ଫୋରେନସିକ ଲାବକୁ ପଠାଯିବ । ଅନ୍ୟପଟେ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍‌ ଗୋପାଳର ଚିକିତ୍ସା ରେକର୍ଡ ଓ ଆର୍ଥିକ କାରବାରର ଖୋଳତାଡ କରୁଛି । ଏଥିସହ ଅଭିଯୁକ୍ତର ନିକଟ ସମ୍ପର୍କୀୟଙ୍କୁ କରାଯାଉଛି ପଚରାଉଚରା । କ୍ରାଇମ୍‌ ସ୍ପଟରେ କ୍ୟାମ୍ପ କରି ତଦନ୍ତର ଅନୁଧ୍ୟାନ କରୁଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ରିମାଣ୍ଡର ଆଜି ତୃତୀୟ ଦିନ । ହେଲେ ଭୁଆଁ ବୁଲାଉଛି ଗୋପାଳ । ହତ୍ୟା ପଛର କାରଣ କହୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.