ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ, କଡ଼ା ସୁରକ୍ଷା ଭିତରେ ଚାଲିଛି ଭୋଟ୍‌ ଗ୍ରହଣ

ଭଦ୍ରକ(କେନ୍ୟୁଜ୍):ଧାମନଗର ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ । କଡ଼ା ସୁରକ୍ଷା ଭିତରେ ଭୋଟ୍‌ ଗ୍ରହଣ କରାଯାଉଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟିଂ । ସକାଳୁ ପ୍ରଥମେ ମକ୍‌ ଭୋଟିଂ କରାଯାଇଥିଲା । ୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୩୮ହଜାର ୪୧୭ ଭୋଟର୍‌ । ଏମାନଙ୍କ ଭିତରେ ଅଛନ୍ତି ୧ ଲକ୍ଷ ୨୩ ହଜାର ୩୮ ପୁରୁଷ ଓ ୧ ଲକ୍ଷ ୧୫ହଜାର ୩୪୬ ମହିଳା ଭୋଟର୍‌ । ଧାମନଗରରେ ମୋଟ୍‌ ୨୫୨ଟି ବୁଥ୍‌ କରାଯାଇଛି । ଏଥିରୁ ୧୫ଟି ମଡେଲ୍‌ ବୁଥ୍‌ ଓ ୫ଟି ପିଙ୍କ ବୁଥ୍‌ । ୧୧୦ଟି ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ କରାଯାଇଛି । ୧୨୬ଟି ବୁଥରେ ହେବ ୱେବ କାଷ୍ଟିଂ । ମତଦାନରେ ୧ହଜାର ୮ ପୋଲିଂ ପାର୍ଟି ନିୟୋଜିତ ଅଛନ୍ତି ।

ପ୍ରତି ବୁଥରେ ଜଣେ ଲେଖାଏ ପ୍ରିଜାଇଡିଂ ଅଫିସର, ୩ ଜଣ ପୋଲିଂ ଅଫିସର ଓ ଜଣେ ପୋଲିସ କର୍ମଚାରୀ ନିୟୋଜିତ ଅଛନ୍ତି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ଵିଲ୍‌ ଚେୟାରର ବ୍ୟବସ୍ଥା ହୋଇଛି । ଭୋଟର ୧୨ଟି ପରିଚୟପତ୍ରରୁ ଯେକୌଣସି ଗୋଟିଏ ଦେଖାଇ ଭୋଟ୍‌ ଦେଇପାରିବେ । ବୁଥର ଶହେ ମିଟର ମଧ୍ୟରେ କେହି କଥାବାର୍ତ୍ତା କରିପାରିବେ ନାହିଁ । ମାସ୍କ ପିନ୍ଧି ଭୋଟ୍‌ ଦେବାକୁ ଆସିବା ପାଇଁ ଭୋଟରଙ୍କୁ ନିବେଦନ କରାଯାଇଛି ।

ଆଜି ସକାଳ ୭ଟାରୁ ସଂଧ୍ୟା ସାଢେ ୬ଟା ଯାଏଁ ଏକଜିଟ୍‌ ପୋଲ ମନା । ନିର୍ବାଚନ ରଣାଙ୍ଗନାରେ ଅଛନ୍ତି ବିଜେଡିର ଅବନ୍ତୀ ଦାସ, ବିଜେପିର ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ଶତପଥୀ । ଏମାନଙ୍କ ସହ ସ୍ୱାଧୀନ ପ୍ରାର୍ଥୀ ଭାବରେ ରାଜେନ୍ଦ୍ର ଦାସ ବି ନାମାଙ୍କନ ଦାଖଲ କରିଛନ୍ତି । ୬ ତାରିଖରେ ଜଣାପଡ଼ିବ ଧାମନଗର କାହାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.