କେବେ ଆସିବ ଭୁବନେଶ୍ୱର ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା ପରେ ନିଖୋଜ ଥିବା ସିମାଞ୍ଚଳଙ୍କ ବାପା ମା’ଙ୍କ DNA ରିପୋର୍ଟ? ଅପେକ୍ଷାରେ ପରିବାର ଲୋକେ

ଭଞ୍ଜନଗର: ସରିଯାଇଛି , ସୁଧିକ୍ରିୟା । ସମବେଦନା ଜଣାଇବାକୁ ଆସିଥିବା ସଂପର୍କୀୟ ଓ ବନ୍ଧୁ-ବାନ୍ଧବ , ଯେ- ଯା, ଘରକୁ ଚାଲିଗଲେଣି । କାନ୍ଦ-ବୋବାଳିରେ ଫାଟି ପଡୁଥିବା ଘର, ଆଜି ନିରବ । ସରକାରୀ ଘୋଷଣା ହୋଇନି , ତଥାପି ସବୁ କ୍ରିୟା-କର୍ମ ସାରିବାକୁ ପଡ଼ିଛି ପରିବାର ଲୋକଙ୍କୁ । ଏହେଉଛି ଗତ ୭ ତାରିଖରେ , ଭୁବନେଶ୍ୱର ପେଟ୍ରୋଲ ପମ୍ପ ନିକଟରେ ହୋଇଥିବା ବିସ୍ଫୋରଣ ଘଟଣା ପରେ, ସରକାରୀ ରିପୋର୍ଟରେ ନିଖୋଜ ଥିବା, ଗଂଜାମ ଜିଲ୍ଲା ଗହଙ୍ଗୁ ଗାଁ ର ସିମାଞ୍ଚଳ ପରିଡ଼ାଙ୍କ ପରିବାର କଥା ।

simanchalଘର ବାରଣ୍ଡାରେ, ବସି ରହିଛନ୍ତି ରୋଗିଣା ବୁଢା ବାପା । ଆଖିରେ, ଆଖିଏ ଲେଖାଏଁ ଲୁହ ଧରି ଘରଭିତରେ ବସିଛନ୍ତି, ସ୍ତ୍ରୀ ଓ ବୁଢ଼ୀ ମା’ । ଆଶ୍ଚର୍ଯ୍ଯ ପାଲଟିଯାଇଛନ୍ତି , ଏଯାଏଁ ଭଲଭାବରେ କିଛି ବୁଝିପାରୁନଥିବା, ଦୁଇ କଅଁଳା ଛୁଆ । ସମସ୍ତେ ଯେମିତି, କାହାକୁ ଅପେକ୍ଷା କରିଛନ୍ତି । ହେଲେ ସେମାନେ ନିଶ୍ଚିତ ଯେ, ଯାହାକୁ ସେମାନେ ଅପେକ୍ଷା କରିଛନ୍ତି  ସିଏ ଆଉ କେବେହେଲେ ଫେରିବେନି  । ସେଥିପାଇଁ ପରିବାର ଓ ସଂପର୍କୀୟ ମାନେ ପ୍ରତୀକ ଶବ ସତ୍କାର ଠାରୁ ଆରମ୍ଭ କରି ଦଶା-କର୍ମ ଓ ସୁଧିକ୍ରିୟା କରିସାରିଛନ୍ତି । ସ୍ତ୍ରୀ ବାଧ୍ୟ ହୋଇଛନ୍ତି ନିଜ ହାତକୁ ଫୁଙ୍ଗୁଳା କରିବାକୁ , ଆଉ ମଥାରୁ ସିନ୍ଦୁର ପୋଛିବାକୁ । ପୁଅ ବି, ମୁଣ୍ଡନ ହୋଇସାରିଛି । ଖାଁ ଖାଁ ହୋଇପଡିଛି  ଚଳ-ଚଞ୍ଚଳ ଘର ।  ଅପେକ୍ଷା ର ୧୮ ଦିନ ବିତିଗଲାଣି । ତଥାପି ସେହି ଅଜଣା ଘୋଷଣାକୁ ଚାହିଁ ରହିଛନ୍ତି ସମସ୍ତେ ।

ବିସ୍ଫୋରଣ ଘଟଣା ପରେ ପରିବାର ଲୋକେ ଭୁବନେଶ୍ୱର ଯାଇ ସବୁ ଦେଖିଲେ ଓ ବୁଝାସୁଝା କଲେ । ଗାଁ କୁ ଫେରିବା ପରେ, ସେହି ଅନୁସାରେ ନିଷ୍ପତ୍ତି ନେଲେ ।  ବାପା- ମା’ ଙ୍କ DNA ପରୀକ୍ଷା ମଧ୍ୟ କରାଗଲା । ତଥାପି ଏଯାଏଁ ରିପୋର୍ଟ ଆସିନି । IOCL କତ୍ତୃପକ୍ଷଙ୍କୁ ଦେଖାକରିବାକୁ ଯାଇଥିଲେ ବାପା- ମା’ । ସମବେଦନା ଜଣାଇବା ଦୂରର କଥା , ଉପର ମହଲାରୁ ତଳକୁ ଓହ୍ଲାଇ , ଦେଖା ବି ଦେଲେନି IOCL ର ବଡ଼ବାବୁ । ଏମିତି ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏକମାତ୍ର ରୋଜଗାରିଆ ପୁଅର, ରୋଜଗାରରେ ଚଳୁଥିଲା ପରିବାର । ହେଲେ ଏବେ, ପୁଅର ଅନୁପସ୍ଥିତିରେ , ଆଜି ପର୍ଯ୍ୟନ୍ତ କେମିତି ଚଳିଛନ୍ତି ଏବଂ ଆଗକୁ କେମିତି ଚଳିବେ, ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ ।

childସବୁଠାରୁ ହ୍ରୃଦୟବିଦାରକ ହୋଇଛି, ସିମାଞ୍ଚଳଙ୍କ ଆଠ ବର୍ଷର ପୁଅର, ଆକୁଳ ନିବେଦନ । ବାପା ଫୋନରେ କହିଥିଲେ ଦଶହରା କୁ, ଗାଁ କୁ ଆସିବେ । ଡ୍ରେସ୍ କିଣିଦେବେ , ଆଉ ବୁଲାଇ ନେବେ । ହେଲେ ବାପା, ଏଯାଏଁ, ଆସୁନାହାନ୍ତି କାହିଁକି । ବାପା ନ ଆସିଲେ, ମୋ ପାଠପଢ଼ା ଅଧାରେ ରହିଯିବ । ପୁଅ ର ଏଭଳି ଅନେକ କୋହଭରା କଥା,ଅତି ହ୍ରୃଦୟବିଦାରକ ପାଲଟିଛି । ସିମାଞ୍ଚଳଙ୍କ ବିଷୟରେ, ଘୋଷଣା ହେବାକୁଥିବା ରିପୋର୍ଟକୁ ନେଇ କାହିଁକି ନୀରବତା? ପରିବାର ଲୋକଙ୍କ ସବୁ ଅନୁମାନ ସତହେବ, ନା’ ଭିନ୍ନଏକ ଇତିହାସ ସ୍ରୃଷ୍ଟି ହେବ ? ତାକୁ ହିଁ ଏବେ ସମସ୍ତଙ୍କ ଅପେକ୍ଷା ।

 

 

 

 

 

Leave A Reply

Your email address will not be published.