ଜଙ୍ଗଲ ନିଆଁକୁ ଟାଣି ଆଣିଲା ଖଣ୍ଡିଆ ଭୂତ, ପୋଡ଼ି ହୋଇ ୫ ଗୁରୁତର

କରଞ୍ଜିଆ: ଅଚାନକ ସୁ ସୁ ଗର୍ଜନ କରି ମାଡ଼ି ଆସିଲା ପବନ। କେହି କିଛି ବୁଝିବା ପୂର୍ବରୁ ଉଡ଼ାଇ ନେଲା ଗଛ, ପତ୍ର ଏମିତି କି ବଡ଼ ବଡ଼ ଗାଡ଼ି ମଧ୍ୟ। କେବଳ ଏତିକିରେ ଥମିନଥିଲା ପ୍ରକୃତିର ପ୍ରହାର। ଏହି ପବନ କ୍ରମେ ଖଣ୍ଡିଆଭୂତର ରୂପ ନେଇଥିଲା। ଫଳରେ ସବୁ କିଛି ଉପରକୁ ଉଠିବାକୁ ଆରମ୍ଭ କରିଥିଲା। ଖଣ୍ଡିଆ ଭୂତର ପ୍ରଭାବ ଏତେ ଶକ୍ତିଶାଳୀ ଥିଲା ଯେ ଏହି ଚାପରେ ଜଙ୍ଗଲର ନିଆଁ ବି ରାସ୍ତାକୁ ମାଡ଼ି ଆସିଥିଲା। ଫଳରେ ରାସ୍ତାରେ କିଛି ଦେଖାଯାଇନଥିଲା।

ଖଣ୍ଡିଆ ଭୂତର ତୀବ୍ର ପବନ ଓ ଧୂଆଁ ଯୋଗୁ ରାସ୍ତା ଉପରେ ଅଟୋ ସହ ଭ୍ୟାନ୍‌ ପିଟି ହୋଇଯାଇଥିଲା। ଫଳରେ ଅଟୋରେ ବସିଥିବା ୫ ଜଣ ଯାତ୍ରୀ ବାହାରକୁ ଛିଟିକି ପଡ଼ି ନିଆଁ ଉପରେ ପଡ଼ିଥିଲେ। ନିଆଁରେ ପୋଡ଼ି ହୋଇ ଏବେ ସେମାନେ ଗୁରୁତର। ୪ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଅବସ୍ଥା ଗୁରୁତର ରହିଛି। ଏଭଳି ଅଭାବନୀୟ ଘଟିଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା ନିକଟ ଜୁଆଳିକଟା- ତାଳପଦା ପ୍ରଧାନମନ୍ତ୍ରୀ ରାସ୍ତାର ଖେଜୁରିଆ ଜଙ୍ଗଲ ନିକଟରେ।

kahndia bhut2

ଜୁଆଳିକଟା- ତାଳପଦା ରାସ୍ତାର ଖେଜୁରିଆ ଜଙ୍ଗଲ ରେ ନିଆଁ ଲାଗି ଜଙ୍ଗଲ ଜଳୁଥିବା ବେଳେ ଖଣ୍ଡିଆଭୂତର ପବନ ଯୋଗୁଁ ନିଆଁ ବି ବୋଲ ମାନି ନଥିଲା ଓ ଧୂଆଁ ଚାରି ଆଡ଼େ ଖେଳିଯାଇଥିଲା। ଏହି ସମୟରେ ରାଇପଦା ଗ୍ରାମରୁ ଏକ ଅଟୋ ଯୋଗେ ୩ ଜଣ ଠାକୁରମୁଣ୍ଡା ବଜାରକୁ ଆସୁଥିବା ବେଳେ ବିପରୀତ ଦିଗରୁ ଠାକୁରମୁଣ୍ଡାରୁ ଜଣେ ବ୍ୟବସାୟୀ ନିଜ ଭ୍ୟାନ୍ ଯୋଗେ ସେହି ରାସ୍ତାରେ ଯାଉଥିଲେ। ଧୂଆଁ ଯୋଗୁ ରାସ୍ତା ନ ଦିଶିବାରୁ ଅଟୋ ଓ ଭ୍ୟାନ୍ ଗାଡ଼ିଗୁଡ଼ିକ ପରସ୍ପର ସହ ଧକ୍କା ହୋଇ ୫ ଜଣ ଗୁରୁତର ହୋଇଛନ୍ତି। ଏବେ ସମସ୍ତେ ଠାକୁରମୁଣ୍ଡା ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି। ଗୁରୁତରଙ୍କ ମଧ୍ୟରେ ୧୫ ବର୍ଷର ଝିଅ ସମ୍ମିତା ନାଏକ, ସୁମତି ମହାରଣା ଓ ୫ ବର୍ଷର ପୁଅ ପିଣ୍ଡୁ ମହାରଣା ଅଛନ୍ତି। ସବୁଠୁ ଅଧିକ ପୋଡ଼ିଯାଇଛନ୍ତି ସମ୍ମିତା। ତାଙ୍କ ହାତ ,ଗୋଡ ଓ ପିଠିରୁ ଛାଲ ଉତୁରିଯାଇଛି। ଅନ୍ୟପଟେ ଭ୍ୟାନ୍ ଚାଳକ ମମତାଜ ଅଲ୍ଲୀ ମଧ୍ୟ ଆହତ ହୋଇଛନ୍ତି। ତେବେ ପ୍ରକୃତିର ତାଣ୍ଡବ ଯୋଗୁ ମାତ୍ର କିଛି ସମୟ ଭିତରେ ସବୁ କିଛି ଓଲଟପାଲଟ ହୋଇଯାଇଥିବାରୁ ନିଜକୁ ରକ୍ଷା କରିବାକୁ ସମୟ ମିଳିନଥିଲା ବୋଲି କହିଛନ୍ତି ଦୁର୍ଘଟଣାଗ୍ରସ୍ତ ଯାତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.