Below header

ସମ୍ବଲପୁର ଗଣ୍ଡଗୋଳ ପଛରେ କିଏ? ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା ପାଇଁ MHA ଗାଇଡ୍‌ ଲାଇନ୍‌ ପାଳନ ହୋଇ ଥିଲା କି?

କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଗାଇଡ୍‌ ଲାଇନ୍‌ ପାଳନ ହୋଇ ଥିଲା କି। ସାମ୍ପ୍ରଦାୟିକ ସଦ୍‌ଭାବ ନେଇ କେନ୍ଦ୍ର ମନ୍ତ୍ରାଳୟର ଗାଇଡ୍‌ ଲାଇନରେ ସ୍ପଷ୍ଟ ରହିଛି, ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ଓ ସାମ୍ପ୍ରଦାୟିକ ବିଭ୍ରାଟକୁ ପ୍ରତିରୋଧ କରିବା, ରାଜ୍ୟର ପ୍ରମୁଖ କାମ।

କେନ୍ୟୁଜ୍(ବ୍ୟୁରୋ): ସମ୍ବଲପୁରରେ ଅଶାନ୍ତି,ଗଣ୍ଡଗୋଳ ପଛରେ କିଏ? ଏ ନେଇ ଖୋଳତାଡ୍‌ ଆରମ୍ଭ ହୋଇ ସାରିଛି। କିନ୍ତୁ ବଡ଼ ପ୍ରଶ୍ନ ଉଠୁଛି, ସାମ୍ପ୍ରଦାୟିକ ସଦ୍‌ଭାବ ରକ୍ଷା ପାଇଁ ପ୍ରଶାସନ କଣ ପଦକ୍ଷେପ ନେଇଥିଲା। କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ ଗାଇଡ୍‌ ଲାଇନ୍‌ ପାଳନ ହୋଇ ଥିଲା କି। ସାମ୍ପ୍ରଦାୟିକ ସଦ୍‌ଭାବ ନେଇ କେନ୍ଦ୍ର ମନ୍ତ୍ରାଳୟର ଗାଇଡ୍‌ ଲାଇନରେ ସ୍ପଷ୍ଟ ରହିଛି, ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ଓ ସାମ୍ପ୍ରଦାୟିକ ବିଭ୍ରାଟକୁ ପ୍ରତିରୋଧ କରିବା, ରାଜ୍ୟର ପ୍ରମୁଖ କାମ। ସାମ୍ପ୍ରାଦାୟିକ ବିଭ୍ରାଟକୁ ନିୟନ୍ତ୍ରଣ ଅପେକ୍ଷା, ଅଧିକ ଗୁରୁତ୍ୱପୂର୍ଣ୍ଣ ବିଭ୍ରାଟ ସୃଷ୍ଟି ହେବା ପୂର୍ବରୁ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ ନେବା। ଏଥିରେ ରହିଛି ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଭୂମିକା। ଆଗୁଆ ସାମ୍ପ୍ରଦାୟିକ ସ୍ଥିତିର ଆକଳନ ସହ କେଉଁ ଅଂଚଳ ସାମ୍ପ୍ରଦାୟିକ ଦୃଷ୍ଟିରୁ ସମ୍ବେଦନଶୀଳ, କେଉଁ ଅଂଚଳରେ ବିବାଦ କି ଗଣ୍ଡଗୋଳର ଇତିହାସ ରହିଛି, କେଉଁ ଅଂଚଳରେ ପୂର୍ବରୁ ଶୋଭାଯାତ୍ରା ବେଳେ ଉତ୍ତେଜନା ସୃଷ୍ଟି ହୋଇଛି ତାର ଚିହ୍ନଟ ଜରୁରୀ।ବର୍ତ୍ତମାନ ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରିଥିଲା କି।

କେନ୍ଦ୍ର ଗୃହମନ୍ତ୍ରାଳୟର ଗାଇଡ୍‌ ଲାଇନ ମୁତାବକ, ତୃଣମୂଳ ସ୍ତରରୁ ଗୁଇନ୍ଦା ତଥ୍ୟ ସଂଗ୍ରହ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ସପ୍ତାହକୁ କିମ୍ବା ୧୫ ଦିନକୁ ଥରେ ପ୍ରତି ପୋଲିସ ଷ୍ଟେସନ ତଥ୍ୟ ସଂଗ୍ରହ କରି ଜିଲ୍ଲା ପ୍ରଶାସନକୁ ଅବଗତ କରାଇବେ। ଯାହା ଜିଲ୍ଲା ପ୍ରଶାସନକୁ ପରବର୍ତ୍ତୀ ପଦକ୍ଷେପ ନେବାରେ ସାହାଯ୍ୟ କରିବ। ସମ୍ବଲପୁର ପୋଲିସ କଣ ଗୁଇନ୍ଦା ତଥ୍ୟ ସଂଗ୍ରହ କରିଥିଲା? ଜିଲ୍ଲା ପ୍ରଶାସନକୁ ଗୁଇନ୍ଦା ତଥ୍ୟ ମିଳିଥିଲା କି ?

ସମ୍ବେଦନଶୀଳ ଅଂଚଳରେ ବିଭିନ୍ନ ସମ୍ପ୍ରଦାୟ ଓ ସ୍ଥାନୀୟ ରାଜନୈତିକ ପ୍ରତିନିଧିଙ୍କୁ ନେଇ ଶାନ୍ତି କମିଟି ଗଠନ ହେବା କଥା। ନିୟମିତ ବ୍ୟବଧାନରେ ଶାନ୍ତି କମିଟି ବୈଠକ ବସିବା ଜରୁରୀ। ବିଭିନ୍ନ ପର୍ବପର୍ବଣୀ ପାଳନ ବେଳେ କଣ ରହିବ କୋଡ୍‌ ଅଫ କଣ୍ଡକ୍ଟ। ଶାନ୍ତି କମିଟି ବୈଠକରେ ଏହା ଉପରେ ନିଷ୍ପତ୍ତି ହେବା କଥା।… କେବଳ ଏତିକ ନୁହଁ, କେଉଁ ବାଟ ଦେଇ ଶୋଭାଯାତ୍ରା ହେବ ତାର ରୁଟ୍‌ ମଧ୍ୟ ଆଗୁଆ ପ୍ରସ୍ତୁତ ହେବା କଥା। ସେହି ବାଟରେ ପୋଲିସ ଆବଶ୍ୟକ ସୁରକ୍ଷା ବନ୍ଦୋବସ୍ତ କରିବା କଥା। ସମ୍ବଲପୁରରେ ଏପ୍ରିଲ ୧୨ରେ ହନୁମାନ ଜୟନ୍ତୀ ପାଳନ ପୂର୍ବରୁ ବାଇକ ରାଲି ହେଲା। ସେହି ଦିନ ସୃଷ୍ଟି ହେଲା ଗଣ୍ଡଗୋଳ। ଏହାପରେ ଯାଇ ୧୩ ତାରିଖରେ ବସିଥିଲା ଶାନ୍ତି କମିଟି ବୈଠକ। ଶାନ୍ତି କମିଟି ବୈଠକ ପରେ ମଧ୍ୟ ଗତକାଲି ଉତ୍ତେଜନା ଦେଖା ଦେଇଥିଲେ।

ଗୃହମନ୍ତ୍ରାଳୟ ଗାଇଡ୍‌ ଲାଇନ ମୁତାବକ, ସମ୍ବେଦନଶୀଳ ଅଂଚଳରେ ଧାର୍ମିକ ଶୋଭାଯାତ୍ରାର ଭିଡିଓ ଏବଂ ଅଡିଓ ରେକର୍ଡିଂ ହେବାକଥା। ଯଦି କିଛି ବିଭ୍ରାଟ ସୃଷ୍ଟି ହୁଏ ତେବେ ଏହି ଭିଡିଓ-ଅଡିଓ ଦ୍ୱାରା ବିଶୃଙ୍ଖଳା ସୃଷ୍ଟିକାରୀଙ୍କୁ ଧରି ହେବ। ସମ୍ବଲପୁରରେ ଶୋଭାଯାତ୍ରାର ରେକର୍ଡିଂ କରିଛି କି ଜିଲ୍ଲା ପ୍ରଶାସନ।ଅଶାନ୍ତ ସ୍ଥିତି ବେଳେ ଗୁଜବକୁ ଅଟକାଇବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଯେଉଁ ବ୍ୟକ୍ତି ସାମ୍ପ୍ରଦାୟିକ ସଦ୍‌ଭାବ ବିଗାଡିବାକୁ ଚେଷ୍ଟା କରିବା ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗାଇଡ୍‌ଲାଇନରେ ଉଲ୍ଲେଖ ରହିଛି। ଗୁଜବ ସୃଷ୍ଟି ରୋକିବା ଦିଗରେ ସମ୍ବଲପୁରରେ ଜିଲ୍ଲା ପ୍ରଶାସନ ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇଛି। ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଥିଲା। ଏହାସହ କର୍ଫ୍ୟୁ ମଧ୍ୟ ଲାଗୁ କରାଯାଇଥିଲା। ବର୍ତ୍ତମାନ ସମ୍ବଲପୁରରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି। କିନ୍ତୁ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି, କେନ୍ଦ୍ର ସରକାରଙ୍କ MHA ଗାଇଡ୍‌ ଲାଇନ୍‌ ପାଳନ ହୋଇଥିଲା କି?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.