ରଙ୍ଗେଇଲୁଣ୍ଡା ବସ୍‌ ଟ୍ରାଜେଡି : ମରିଗଲେ ନା ମାରିଦେଲେ? ସିଧାସଳଖ ନହେଲେ ବି ଦୋଷ ତ କାହାର ?

କେନ୍ୟୁଜ୍(ବ୍ୟୁରୋ):  ଅତ୍ୟନ୍ତ ଦୁଃଖଦାୟକ । ଦୁର୍ଭାଗ୍ୟପୂର୍ଣ୍ଣ । ଅକାଳରେ ଅଯଥାରେ ଚାଲିଗଲା ଏତେଗୁଡ଼ିଏ ଜୀବନ । ମାତ୍ର ଦିନ କେଇଟା ତଳେ ଈଶ୍ୱର ମୋହନା ନିକଟ ତତ୍ପପାଣି ଘାଟୀରେ ୪୦ରୁ ଅଧିକ କଲେଜ ପିଲାଙ୍କୁ ଅଳ୍ପକେ ବଞ୍ଚାଇ ଦେଇଥିଲେ । ବସ୍‌ଟି ଉଦ୍ଧାର ବେଳର ଚିତ୍ର ଯିଏ ଦେଖିଛି ତାର ଦେହ ଶୀତେଇ ଉଠିବ । ହେଲେ ଏଠି ଆଉ ଯେମିତି ରକ୍ଷା ପାଇବାର ଉପାୟ ନଥିଲା । ୧୧ କେ.ଭି. ତାର ଛିଡ଼ି ପଡ଼ିଥିଲା ଓ ବସ୍‌ରେ ଲାଗିଲା ବିଦ୍ୟୁତ୍‌ ଝଟ୍‌କା । କିଏ ସେଇଠି ପୋଡ଼ିଗଲେ କି ମରିଗଲେ । ଆଉ କାହାର ଜୀବନ ଗଲା ବ୍ରହ୍ମପୁର ଏମ୍‌କେ.ସିଜି ମେଡିକାଲ କଲେଜରେ । ବ୍ରହ୍ମପୁର ବଡ଼ ମେଡିକାଲର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦାରକ । କିଏ ନିଜର ସାନ ଭଉଣୀ ପାଇଁ ତ କିଏ ନିଜ ଭାଇ ପାଇଁ କାନ୍ଦି କାନ୍ଦି ଡାକ୍ତରଙ୍କୁ ନେହୁରା ହେଉଥିଲା । ଆହତମାନଙ୍କ କରୁଣ ଚିତ୍କାର ସାଙ୍ଗକୁ ସମ୍ପକୀୟଙ୍କ କାନ୍ଦ ବୋବାଳି ସମସ୍ତଙ୍କ ହୃଦୟକୁ ତରଳାଇ ଦେଉଥିଲା ।

silkcity busବାହାଘର ପୂର୍ବରୁ ଥିଲା ନିର୍ବନ୍ଧ କାର୍ଯ୍ୟକ୍ରମ । ସମସ୍ତେ ଖୁସିରେ ଯାଉଥିଲେ ଯୋଗ ଦେବାକୁ। ପୁଅ ଘର ପରିବାର ଓ ସମ୍ପର୍କୀୟମାନେ ହିଁ ଥିଲେ ଏହି ବସ୍‌ରେ । କାହା ହାତରେ ମିଠା ତ କାହା ହାତରେ ଫଳ ଥିଲା । ଭେଟି ଦେଇଥାନ୍ତେ ଝିଅ ଘରକୁ । ହେଲେ ସିଲ୍କ ସିଟି ବସ୍‌ରେ ଯେ ସେମାନଙ୍କ ମରଣ ଲେଖା ହୋଇଥିଲା ଏକଥା କେହିବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ନିର୍ବନ୍ଧ ବେଳେ କିଏ କଣ କରିବ ମିଶି କଥା ହେଉଥିଲେ । ହସଖୁସିରେ ପୂରି ଉଠୁଥିଲା ବସ୍‌ଟି । କିନ୍ତୁ ଅଚାନକ ମୃତ୍ୟୁ ଆସିଲା ୧୧ କେଭି ତାରର ରୂପରେ । ଆଉ ନେଇଗଲା ଏତେଗୁଡ଼ି ଜୀବନ । ଯେଉଁଠି ଥିଲା ହସଖୁସି ଓ ଆନନ୍ଦ ଉଲ୍ଲାସ । ସେଠି ହଠାତ୍‌ ଖେଳିଗଲା ମୃତ୍ୟୁର ବିଭୀଷିକା । ମୃତକଙ୍କ ଭିତରେ ଅଧିକ ଅଛନ୍ତି ମହିଳା ।

silk city bus

ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ମେଣ୍ଡରାଜପୁର ଠାରେ ଦିନ ୧୨ଟା ପରେ ଏହି ଘଟଣା ଘଟିଛି । ଏହି ଗାଁରେ ୧୧ କେ.ଭି. ବିଦ୍ୟୁତ୍‌ ତାର ଅତି ନୀଚାରେ ଥିଲା । ଯାହାଫଳରେ ବିଶାଳ ତଥା ଉଚ୍ଚା ସିଲ୍କ ସିଟି ସ୍ଲିପର ବସ୍‌ଟି ଏଥିରେ ଲାଗି ଯାଇଥିଲା । ଗାଁ ଭିତରେ ହୋଇଥିବାରୁ ପ୍ରଥମେ ସ୍ଥାନୀୟ ଲୋକ ଏବଂ ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୋଲିସ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା ।
କିଭଳି ଦାୟିତ୍ୱହୀନତାର ଉଦାହରଣ ଏଇ ଘଟଣା ? କିଏ କହୁଛି ଡ୍ରାଇଭର୍‌ର ଭୁଲ ତ ଆଉ କିଏ କହୁଛି ବିଦ୍ୟୁତ୍‌ ବିଭାଗର । ଯାହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । କାରଣ ଖୋଜାଯିବ । ମୃତକ ପରିବାରକୁ ମିଳିବ କ୍ଷତି ପୂରଣ । ହେଲେ ଫେରି ଆସିବକି ଏହି ଅମୂଲ୍ୟ ଜୀବନ ସବୁ ? ଯଦି ଗ୍ରାମବାସୀ ବିଦ୍ୟୁତ୍‌ ବିଭାଗକୁ ଜଣାଇ ମଧ୍ୟ ୧୧ କେ.ଭି. ତାରର ଉଚ୍ଚତା ବଢ଼ାଇ ପାରି ନଥିଲେ ତେବେ ନିଶ୍ଚିତ ଭାବେ ବିଦ୍ୟୁତ୍‌ ବିଭାଗ ଉପରେ ଦୋଷାରୋପ କରାଯାଇ ପାରିବ । ସେହିପରି ଯଦି କୁହାଯିବା ସତ୍ତ୍ୱେ ଯଦି ଡ୍ରାଇଭର୍‌ ସଚେତନ ହୋଇ ନଥିଲା ତେବେ ସେ ମଧ୍ର ସମାନ ପରିମାଣରେ ଦାୟୀ ।

ବ୍ରହ୍ମପୁରରୁ ମାନସ ବିଶୋୟୀ, କେ ନ୍ୟୁଜ୍‌ ଓଡ଼ିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.